ଭୁବନେଶ୍ୱର: ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ନେଇ ରାଜ୍ୟରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଆମ ସରକାର ଆସିବା ପରେ ପ୍ରତି ସମୟରେ ପିଲାଙ୍କ ଚାକିରୀକୁ ନେଇ ପରୀକ୍ଷାରେ ଯେତେ ସ୍ୱଛତା ଆସିପାରିବ ସେ ଆଧାରରେ କାମ ଆରମ୍ଭ ହୋଇଛି । ଯେଉଁ ଆଇନ ଆଣିଥିଲୁ ସ୍ଵଛତାରେ ଯେଉଁମାନେ ବ୍ୟାହତ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ । ପୁଲିସ ଏସଆଇ ପରୀକ୍ଷାକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଠିକ୍ ଥିଲା । ଦୀର୍ଘ ଦିନ ଧରି ନିଯୁକ୍ତି ବନ୍ଦ ଥିଲା । ଏବେ ସବୁ ଖାଲି ପଦବୀ ପୂରଣ ପାଇଁ ବଡ଼ ସ୍କେଲରେ ନିଯୁକ୍ତି କରାଯାଉଛି । ସେ କଥାକୁ ଯେତେ ସ୍ଵଛ କରାଯାଇ ପାରିବ ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି । ସମସ୍ତେ ନିଶ୍ଚିନ୍ତ ହୋଇ ପରୀକ୍ଷା ଦେବେ । କିଛି ଲୋକ ଲମ୍ବା ସମୟ ଧରି ଯେଉଁ ଅଭ୍ୟାସ ଥିଲା ତାର ପୁନରାବୃତ୍ତି କରାଉଛନ୍ତି । ସେଥିରେ ରୋକ ଲାଗିବ। ସିବିଆଇ ତଦନ୍ତ ଭାର ନେଇ କହିଛନ୍ତି ସମୟ ଆସିଲେ ଜଣାପଡିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ପରୀକ୍ଷା ପ୍ରସଙ୍ଗ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାରଦର୍ଶୀ ସରକାର । ଏସଆଇ ପରୀକ୍ଷା ଦୁର୍ନୀତିରେ ଅନ୍ତଃରାଜ୍ୟ ଲିଙ୍କ ବାହାରୁଛି । ଯେଉଁମାନେ କରୁଥିଲେ ଆଗରୁ ଥିବା ଶକ୍ତି କେନ୍ଦ୍ରଠୁ ପ୍ରୋତ୍ସାହନ ପାଉଥିଲେ । ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ପ୍ରଶ୍ନ ପଚାରିବାରେ ବିଜେଡିର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । ନୂଆପଡାରେ ଜନ ସାଧାରଣ ମନ ବଳାଇଛନ୍ତି ବିଜେପିକୁ ଆଶୀର୍ବାଦ ଦେବେ । ଆମେ ୮୦୦ ଟଙ୍କା ବୋନସ ସହ ସୁଭଦ୍ରାରେ ମା’ମାନଙ୍କୁ ଟଙ୍କା ଦେଇଛୁ । ବିଜେପି ସରକାର ନିର୍ବାଚନ ଘୋଷଣା ହେବା ପୂର୍ବରୁ ନୂଆପଡା ବାସୀଙ୍କ ଦାବିକୁ ପୂରଣ କରିଛନ୍ତି । ବିଜେପିକୁ ବିପୁଳ ମାତ୍ରରେ ଆଶୀର୍ବାଦ ଦେବେ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି।
ଏସଆଇ ପରୀକ୍ଷା ଦୁର୍ନୀତି ସିବିଆଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ସିବିଆଇ ତଦନ୍ତରେ ପ୍ରକୃତ ଦୋଷୀ ଧରା ପାଇବ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ଏଥିରେ ବଡ଼ ବଡ଼ ପଦାଧିକାରୀଙ୍କ ସମ୍ପୃକ୍ତି ଥାଇପାରେ। ଯେହେତୁ ଏହାର ଚେର ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଆମ କ୍ରାଇମବ୍ରାଞ୍ଚ ରାଜ୍ୟର ସୀମା ଡେଇଁ ପାରିବ ନାହିଁ। ଏଣୁ ସିବିଆଇ ତଦନ୍ତ ସ୍ବାଗତ ଯୋଗ୍ୟ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।





