
ସାଧାରଣତଃ ପର୍ଯ୍ୟଟନ କହିଲେ ଆମେ ସମୁଦ୍ର କୂଳ, ଜଙ୍ଗଲ କିମ୍ବା ମନ୍ଦିରକୁ ବୁଝୁ। କିନ୍ତୁ ବର୍ତ୍ତମାନ ସମୟରେ ଏକ ଭିନ୍ନ ଧରଣର ପର୍ଯ୍ୟଟନ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି, ତାହା ହେଉଛି ‘ମାଇନିଂ ଟୁରିଜିମ୍’ (Mining Tourism)। ଓଡ଼ିଶା ଭଳି ଖଣିଜ ସମ୍ପଦରେ ଭରପୂର ରାଜ୍ୟ ପାଇଁ ଏହା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଶିକ୍ଷା ଏବଂ ଅର୍ଥନୀତିର ଏକ ନୂଆ ସମ୍ଭାବନା।

ମାଇନିଂ ଟୁରିଜିମ୍ ହେଉଛି ଏକ ପ୍ରକାର ଶିଳ୍ପଭିତ୍ତିକ ପର୍ଯ୍ୟଟନ, ଯେଉଁଠାରେ ପର୍ଯ୍ୟଟକମାନେ କାର୍ଯ୍ୟକ୍ଷମ ଥିବା କିମ୍ବା ପରିତ୍ୟକ୍ତ ଖଣି ଅଞ୍ଚଳ ଭ୍ରମଣ କରନ୍ତି। ଏଥିରେ ଖଣି ଖନନର ପ୍ରକ୍ରିୟା, ବଡ଼ ବଡ଼ ଯନ୍ତ୍ରପାତିର ବ୍ୟବହାର ଏବଂ ମାଟି ତଳୁ ଖଣିଜ ଦ୍ରବ୍ୟ ବାହାର କରିବାର କୌଶଳକୁ ପାଖରୁ ଦେଖିବାର ସୁଯୋଗ ମିଳିଥାଏ। ଓଡ଼ିଶା ହେଉଛି ଭାରତର ‘ଖଣିଜ ଭଣ୍ଡାର’। ଲୁହାପଥର, କୋଇଲା, ବକ୍ସାଇଟ୍ ଏବଂ କ୍ରୋମାଇଟ୍ର ବିଶାଳ ଭଣ୍ଡାର ରହିଛି। ଆଉ ଏହା ଭୂତତ୍ତ୍ୱ ବିଜ୍ଞାନ (Geology) ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଜୀବନ୍ତ ପାଠଶାଳା ସଦୃଶ।

ଇକୋ-ରିଷ୍ଟୋରେସନ୍ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଖଣି ଖନନ ପରେ ପରିତ୍ୟକ୍ତ ସ୍ଥାନଗୁଡ଼ିକୁ ସୁନ୍ଦର ଇକୋ-ପାର୍କ କିମ୍ବା କୃତ୍ରିମ ହ୍ରଦରେ ପରିଣତ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।
ବିଶାଳକାୟ ଗାତ ଏବଂ ସେଥିରୁ ପଥର ବାହାରିବାର ଦୃଶ୍ୟ। ଡମ୍ପର, ଏକ୍ସକାଭେଟର ଏବଂ ଡ୍ରିଲିଂ ମେସିନର ପ୍ରଦର୍ଶନୀ। ଖଣିଜ ଦ୍ରବ୍ୟର ଇତିହାସ ଏବଂ ବିବର୍ତ୍ତନ ବିଷୟରେ ଜାଣିବା। କିଛି ସ୍ଥାନରେ ସୁରକ୍ଷିତ ଭାବେ ମାଟି ତଳକୁ ଯାଇ ଖଣି ଦେଖିବାର ବ୍ୟବସ୍ଥା। ଏହା ପର୍ଯ୍ୟଟନସ୍ଥଳୀଠୁ କମ ନୁହେଁ ।

ହେଲେ ମାଇନିଂ ଟୁରିଜିମ୍ କେବଳ ବୁଲିବା ପାଇଁ ନୁହେଁ, ଏହା ପରିବେଶ ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ପଦକ୍ଷେପ। ଖଣି ମାଲିକମାନେ ପରିତ୍ୟକ୍ତ ଖଣି ଅଞ୍ଚଳରେ ବୃକ୍ଷରୋପଣ କରି ଏହାକୁ ପର୍ଯ୍ୟଟନ ସ୍ଥଳୀ କଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ଏବଂ ଅଞ୍ଚଳର ଉନ୍ନତି ହେବ। ଭାରତର ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ମାଇନିଂ ଟୁରିଜିମ୍ ବେଶ୍ ସଫଳ ହୋଇଛି। ଓଡ଼ିଶାର ତାଳଚେର, ଅନୁଗୁଳ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଅଞ୍ଚଳରେ ଏହି ପ୍ରକଳ୍ପ ଆରମ୍ଭ ହେଲେ ଏହା ବିଶ୍ୱ ମାନଚିତ୍ରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ।

ଓଡ଼ିଶାର ଖଣି ଶିଳ୍ପକୁ ପର୍ଯ୍ୟଟନ ସହ ଯୋଡ଼ିବା ଦ୍ୱାରା ଆମେ ଆମର ପ୍ରାକୃତିକ ସମ୍ପଦକୁ ଏକ ନୂଆ ରୂପରେ ବିଶ୍ୱ ଆଗରେ ଉପସ୍ଥାପନ କରିପାରିବା। ଏହା ଯୁବପିଢ଼ିଙ୍କୁ ଜ୍ଞାନ ପ୍ରଦାନ କରିବା ସହ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ





