ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ କଳାକାର କିଣାକିଣି ଆରମ୍ଭ ହୋଇଯାଇଛି | ଆଉ ଏବେ ମେଳା ଶେଷ ହେଉ ହେଉ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | କେଉଁ ପାର୍ଟିକୁ କେଉଁ କଳାକାର ଯିବେ , ତାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି | ଆଉ ଖାସ କରି ଏ ବର୍ଷ ଖଣ୍ଡଗିରି ମହୋତ୍ସବରୁ ମାଲିକ -କଳାକାର କଳି ଏବେ ଦାଣ୍ଡରେ ପାଡ଼ି ହାଟରେ ଗଡୁଛି | ଚୁକ୍ତି ଆଉ ଟଙ୍କା ଦେଣତେଣ ନେଇ ମଞ୍ଚରୁ ଓହ୍ଲାଇ ପଡ଼ିଥିଲେ ସାଇ ସତ୍ୟଜିତ ପଣ୍ଡା |

ଅନ୍ୟପଟେ ଜୀବନସାଥି କରିବାକୁ ଯାଉଥିବା ପାୟଲ ମଧ୍ୟ ମଞ୍ଚ ଛାଡିଦେଇଛନ୍ତି | ଗତ 5 ତାରିଖରୁ ତୁଳସୀ ପେଣ୍ଡାଲ ଛାଡିଥିବା ସାଇ-ପାୟଲ ଯୋଡି ତୁଳସୀରେ ଯାତ୍ରା କରୁନଥିବାରୁ ,ଏମାନଙ୍କ ବିକଳ୍ପ କଳାକାରରେ ଯାତ୍ରା ଚଳାଇଛନ୍ତି ନାଣ୍ଡୁ ଧଳ ,ଆଉ ଉଭୟ ଯୋଡିକୁ ଆଗାମୀ ଦିନରେ ସୂର୍ଯ୍ୟମନ୍ଦିରରେ ଦେଖିବାକୁ ମିଳିବ ବୋଲି ଚର୍ଚା ହେଲାଣି | ଏପଟେ କଳାକାର ଓ ମାଲିକ ପରସ୍ପର ବିରୋଧରେ ଏତଲା ଦେବା ପରେ ଏବେ ଥାନାରେ ଗଡୁଥିବା ମାମଲା କୋର୍ଟରେ ପହଂଚିଲାଣି | ହେଲେ ଏବେ ସମାଧାନ କରିବାକୁ ଚାହୁଁଛଛନ୍ତି ସାଇ ଆଉ ଏଗ୍ରିମେଣ୍ଟ ଅନୁସାରେ 4 ମାସ ଯାତ୍ରା କରିବେ ବୋଲି କହିଛନ୍ତି |

କିନ୍ତୁ 5 ବର୍ଷ ପାଇଁ ଏଗ୍ରିମେଣ୍ଟ ହୋଇଛି ବୋଲି ତୁଳସୀ ମାଲିକ କହୁଛନ୍ତି , ହେଲେ ବିବାଦ ଭିତରେ ପାଟି ଖୋଲୁନାହାନ୍ତି ମାଲିକ ସଙ୍ଘ କି କଳାକାର ଆସୋସିଏସନ | ଏହା ପୂର୍ବରୁ ଯାତ୍ରା ଜଗତର ଚର୍ଚିତ ଚେହେରା ପିୟୁଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହବାହିନୀ ଏବଂ ସୂର୍ଯ୍ୟମନ୍ଦିର ଭିତରେ ସମାନ ବିବାଦ ଦେଖିବାକୁ ମିଳିଥିଲା | ଏବେ ବି ଏହି କେଶ କୋର୍ଟରେ ବିଚାରାଧୀନ,ଆଉ ଆଗକୁ ନାଣ୍ଡୁ- ସାଇ ବିବାଦ କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା !




