
ଏବେ ଘରେ ଘରେ ସ୍ମାର୍ଟ ଫୋନ | ଯାହା ହାତରେ ଦେଖିବ | ଆଉ ଫୋନରେ ବି ସମସ୍ତେ ଅଭ୍ୟସ୍ତ | ହେଲେ ଏ ନେଇ ଏମିତି ଏକ ନିୟମ ଆସିଛି | ଯାହା ସମସ୍ତଙ୍କୁ ଚକିତ କରିଛି | ଏଣିକି ଆଉ କୌଣସି ଝିଅ ବୋହୂ ଏଣିକି ସ୍ମାର୍ଟଫୋନ୍ ବା କ୍ୟାମେରା ବାଲା ଫୋନ୍ ଧରିବେ ନାହିଁ | ନା ସୋସିଆଲ ମିଡିଆ ଚଲାଇପାରିବେ ନା ଫଟୋ ଉଠାଇପାରିବେ | ଏଭଳି ଅଜବ ନିୟମ ଏବେ କରାଯାଇଛି | ହେଲେ ପୁରୁଣା କି-ପ୍ୟାଡ୍ ଫୋନ ରଖିପାରିବେ | ଯେଉଁଥିରେ କି କେବଳ କଲ୍, ମେସେଜ ଆସିଥାଏ | କିନ୍ତୁ ବିବାହ ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ କିମ୍ବା ପଡୋଶୀ ଘରକୁ ଗଲେ, ଫୋନ୍ ନେଇ ଯାଇପାରିବେ ନାହିଁ |

ଏହି ନିୟମରେ ଟିକେ କୋହଳ ହୋଇଛି ପାଠ ପଢୁଥିବା ଝିଅମାନଙ୍କ ପାଇଁ | ସେମାନେ ଘରେ ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ | କିନ୍ତୁ ବାହାରକୁ ନେଇପାରିବେ ନାହିଁ | ଆସନ୍ତା ଜାନୁଆରୀ ୨୬ ଜାନୁଆରୀରୁ ଲାଗୁ ହେବ ଏହି ନିୟମ | ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ | ଏଠାରେ ଏକ ପଞ୍ଚାୟତ ୧୫ଟି ଗାଁରେ ମହିଳାଙ୍କ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲଗାଇଛି | ଜାଲୋର ଚୌଧୁରୀ ସମୁଦାୟର, ସୁନ୍ଧାମାତା ପଟ୍ଟି ପଞ୍ଚାୟତ ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଛି ଏହି ନିଷ୍ପତ୍ତି |

କାରଣ ମହିଳାମାନେ ସ୍ମାର୍ଟଫୋନ୍ ଧରିବା ଯୋଗୁଁ ପିଲାମାନେ ଏହାର ବ୍ୟବହାର କରୁଛନ୍ତି | ଏଥିରେ ସେମାନଙ୍କ ଆଖି ଉପରେ ଖରାପ ପ୍ରଭାବ ପଡୁଛି | ତେଣୁ ମୋବାଇଲ ଅଭ୍ୟାସରୁ ଦୂରେଇ ରହିବାକୁ ଏହି ନିଷ୍ପତ୍ତି ନିଆଯାଇଛି | ଯାହାର ଅର୍ଥ- ମହିଳା ସ୍ମାର୍ଟଫୋନ୍ ୟୁଜ୍ କରିବେନି, କିନ୍ତୁ ପୁରୁଷ କରିପାରିବେ | ପଞ୍ଚାୟତର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଭିନ୍ନ ସମାଜିକ ସଂଗଠନ | କେବଳ ମହିଳାଙ୍କ ପାଇଁ କାହିଁକି ଏହି କଟକଣା, ପୁରୁଷଙ୍କ ପାଇଁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି |






