ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା କାଣ୍ଡ ଘଟଣାକୁ ନେଇ ତେଜିଛି ରାଜନୀତି । ଆଉ ଘଟଣାକୁ ଏବେ ରେଡଫ୍ଲାଗରେ ଅନ୍ତଭୁକ୍ତ କରାଯାଇଛି । ଏନେଇ ପୁଲିସ ଡିଜି ସିଏଡବ୍ଲୁକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରା ଘଟଣାର ତଦାରଖ କରିବ ଟିମ୍। ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଦୋଷୀଙ୍କ ଉପରେ ଯେପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।

ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ୬ ଘଣ୍ଟା ପାଇଁ ଅଖ ଚକ ବନ୍ଦ କରିଦେଇଛି ବିଜେଡି । ଆଉ ଏଥିରେ ସାଥ ଦେଇଛି କଂଗ୍ରେସ । ଉଭୟ ମିଶି ବିଜେପି ସରକାରର ଧଜିଆ ଉଡେଇଦେଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିଥିଲେ ।ଜାଣିରଖିବା ଉଚିତ ଯେ, ଦିନକ ତଳେ ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଉଲଗ୍ନ ଅବସ୍ଥାରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲିରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏହାପରେ ଲୋକେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ତା ପରେ ପୁଲିସ ଜଗତସିଂହପୁର ଜିଲାରୁ ମୁଖ୍ୟ ଅଭିଯୁକ୍ତ ବାବୁଲ ଦାସକୁ ଗିରଫ କରିଥିଲା। ଗିରଫ ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଥିଲେ। ସେପଟେ ଚାନ୍ଦବାଲି ଘଟଣାରେ କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏ ସରକାର ସମୟରେ ନାରୀ ନିର୍ଯାତନା ବଢିଥିବା ଅଭିଯୋଗ କରିଛି। କିନ୍ତୁ ପୋଲିସ ପ୍ରଶାସନ ନିରବ ରହିଥିବା ଦଳ କହିଛି। ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ ଦେବାକୁ କଂଗ୍ରେସ ଦାବି କରିଛି।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଦଶ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ବିରୋଧୀ କେବଳ ରାଜନୀତି କରୁଛନ୍ତି ।





