
ଆଉ 8 ଦିନ ପରେ ନୂଆ ବର୍ଷ ,କେବଳ ବର୍ଷ ବଦଳିବ ନାହିଁ ,ବଦଳିବ ଅନେକ ନିୟମ ଆଉ ଲାଗୁ ହେବ ନୂଆ ନୂଆ ନିୟମ | ଆମ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିବ | ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି | ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ପର୍ଯ୍ୟନ୍ତ ସମସ୍ତେ ଏହି ନୂଆ ନିୟମ ଦ୍ୱାରା ପ୍ରଭାବିତ ହେବେ |

ପ୍ରତି ମାସ ପରି ୧ ଜାନୁଆରୀରୁ ଏଲପିଜି ବା ରନ୍ଧନ ଗ୍ୟାସ୍ ଏବଂ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଘୋଷଣା କରାଯିବ | ଦର ବଢ଼ୁଛି କି କମୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି | ସେମିତି ପ୍ରତିବର୍ଷ ପରି ଏଥର ମଧ୍ୟ ଜାନୁଆରୀ ମାସରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର କେତେକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ | ଆସନ୍ତା ବର୍ଷଠାରୁ କ୍ରେଡିଟ୍ ସ୍କୋର ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ପ୍ରତି ସପ୍ତାହରେ ଡାଟା ଅପଡେଟ୍ କରିବାକୁ ପଡ଼ିବ | ବର୍ତ୍ତମାନ ଏହି ଅପଡେଟ୍ ପ୍ରତି ୧୫ ଦିନରେ ଥରେ ହେଉଛି | ଏହାଦ୍ୱାରା ଗ୍ରାହକମାନେ ସେମାନଙ୍କର ସଦ୍ୟତମ କ୍ରେଡିଟ୍ ସ୍ଥିତି ବିଷୟରେ ଜାଣିପାରିବେ |

ଏମିତି କି ଫିକ୍ସଡ୍ ଡିପୋଜିଟ୍ ସୁଧ ହାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହାର ପ୍ରଭାବ ଜାନୁଆରିରୁ ଦେଖିବାକୁ ମିଳିବ | ସେହିପରି ନୂଆ ବର୍ଷରୁ ସୋସିଆଲ ମିଡିଆରେ ପିଲାଙ୍କ ଏଣ୍ଟ୍ରି ଉପରେ ଲାଗିବ କଟକଣା | ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି ଭାରତରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ନିୟମ ଲାଗୁ ହୋଇପାରେ |
ପ୍ରଦୂଷଣ ରୋକିବାକୁ ସରକାରଙ୍କ ବି ପ୍ଲାନ୍ କରିଛନ୍ତି | ଆଉ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି |

ହେଲେ ସବୁଠୁ ବଡ କଥା ହେଲା ୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ନେଇ ଆସୁଛି | ଆସନ୍ତା ୧ ଜାନୁଆରୀ, ୨୦୨୬ରୁ ଦେଶରେ ହେବା ନେଇ ପ୍ରବଳ ସମ୍ଭାବନା ରହିଛି | ଜାନୁଆରି ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି | ଏହାଦ୍ୱାରା କର୍ମଚାରୀଙ୍କ ମାସିକ ଦରମାରେ ବଡ଼ ଧରଣର ବୃଦ୍ଧି ହେବ | କେବଳ ସ୍ଥାୟୀ କର୍ମଚାରୀ ନୁହଁନ୍ତି, ବରଂ ପାର୍ଟ-ଟାଇମ୍ ଏବଂ ଦୈନିକ ମଜୁରିଆଙ୍କ ପାଇଁ ମଧ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି |






