
ପ୍ରତିବର୍ଷ ନୂଆବର୍ଷ ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମେ । ବର୍ଷ ଅରାମବିହାରୀ ଜଗାର ଦର୍ଶନ କାଳେ ବର୍ଷ ଭଲରେ କାଟିବ । ସେଥିପାଇଁ ତ କାହିଁ କେତେ ଦୂରରୁ ଭକ୍ତ ଆସିଥାନ୍ତି । ଆଉ ପ୍ରବଳ ଗହାଲି ହୋଇଥାଏ । ପାଦ ପକାଇବାକୁ ଜାଗା ମିଳିନଥାଏ । ସବୁ ବର୍ଷ ରାତିରେ ମନ୍ଦିର ଖୋଲାରହିଥାଏ । ହେଲେ ଏଥର ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ନ ଖୋଲାଯାଉ ବୋଲି ଚିଠି ଲେଖାଯାଇଛି।

ହଁ ଆଂଜ୍ଞା ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଜାନୁଆରି ୧ ଆମ ପାଇଁ ପରମ୍ପରାଗତ ନବବର୍ଷ ନୁହେଁ, ତେଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି । ଗଜପତି ମହାରାଜା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । ଆଉ ଚିଠି ଲେଖି ଜଣାଇଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସନାତନୀ ହିନ୍ଦୁମାନଙ୍କର ଆସ୍ଥା ତଥା ଆରାଧ୍ୟ ଦେବତା । ମହାପ୍ରଭୁଙ୍କର ସକଳ ପରମ୍ପରା ସନାତନ ଧର୍ମଶାସ୍ତ୍ର ଅନୁଯାୟୀ ହୋଇଆସୁଛି । ହେଲେ ଗତ କିଛି ବର୍ଷ ହେବ ଜାନୁଆରି ୧ ପାଇଁ ମଧ୍ୟରାତ୍ରିରେ ମଧ୍ୟ ମନ୍ଦିର ଖୋଲା ରହୁଛି । ଯାହାକି ଏବେ ନିୟମିତ ହୋଇଗଲାଣି .. ତେବେ ଏହା ଧାର୍ମିକ ଏବଂ ପରମ୍ପରା ଦୃଷ୍ଟିକୋଣରୁ ଆଦୌ ଠିକ୍ ନୁହେଁ ବୋଲି କହିବା ସହିତ ଏହାକୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ହେଲେ ଦେଖାଯାଉ ଏ ନେଇ କଣ ନିଷ୍ପତ୍ତି ନିଆଯାଉଛି ।

() ବନ୍ଦ ହେଲେ ଅନେକ ଭକ୍ତ ନିରାଶ ହେବେ। କାଳିଆଙ୍କୁ ଦର୍ଶନ କରିପାରିବେ ନାହିଁ । ଦର୍ଶନ ପାଇଁ ବଡ଼ଦିନ ଠାରୁ ଲମ୍ବା ଲଇଁ ଲାଗୁଛି । ଏ ନେଇ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସମେତ ସମୁଦ୍ରକୂଳ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।




