
ବିଜେଡିରେ ଏବେ କିଛି ଠିକଠାକ ଚାଲିନି | ନବୀନଙ୍କ ନେତୃତ୍ୱ ଉପରକୁ ଆଙ୍ଗୁଳି ଉଠାଉଛନ୍ତି ଦଳୀୟ ନେତା | ଆଉ ପାଣ୍ଡିଆନ ଦମ୍ପତିକୁ ଟାର୍ଗେଟ କରୁଛନ୍ତି | ବେଶଷ କରି ଯେତେବେଳେ ସୁଜାତା କାର୍ତିକେୟନ ବିଜେଡିର ମଙ୍ଗ ଧରିବେ ବୋଲି ଚର୍ଚା ହେଉଥିଲା | ସେତିକି ବେଳେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା | ଆଉ ପ୍ରତିଷ୍ଠା ଦିବସ ଯିବା ପରେ ସବୁ ଶାନ୍ତ ପଡିଯାଇଥିଲା | ଏବେ ପୁଣି ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଝଡ଼ ବହିଲାଣି |

ଦଳ ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା | ନବୀନଙ୍କ ପରେ କିଏ ନେବେ ନେତୃତ୍ବ | ପଶ୍ଚିମରୁ ଜୋର ଧରିଲାଣି ଏହି ସ୍ବର..ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଗାଦିରେ ବସାଇବାକୁ କଳହାଣ୍ଡିର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଦାବି କରିଛନ୍ତି | କିନ୍ତୁ ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୁପ ଥିବା ବେଳେ ଉପକୂଳିଆ ବରିଷ୍ଠ ନେତା ବିରୋଧ କରିଛନ୍ତି | ୨୪ ବର୍ଷର କ୍ଷମତା ହାତରୁ ଯିବା ପରେ ବାରମ୍ବାର ବିଜେଡିର ନେତୃତ୍ବ ହସ୍ତାନ୍ତର ନେଇ ଚର୍ଚ୍ଚା ଜୋର୍ ଧରୁଛି | କିନ୍ତୁ ଥମିଯାଉଅଛି ,କାରଣ ନବୀନ ସବୁବେଳେ ବୁଝି ବିଚାରି କାମ କରନ୍ତି | ଆଉ ଗୋଟି ଚାଳନାରେ ବି ମାହିର , ତେଣୁ ସେ ସମୟ ଆସିଲେ ଉଚିତ ଜବାବ ଦେବେ ବୋଲି ଅନୁମାନ କରାଯାଉଛି | କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପଶ୍ଚିମ ଓଡ଼ିଶାରୁ କାହିଁକି ଉଠିଲାଣି ନେତୃତ୍ବ ଦାବି | ନା ଅନଙ୍ଗ ଓ ନବୀନଙ୍କ ଭେଟଘାଟ ପରେ ଦଳୀୟ ନେତାଙ୍କୁ ମିଳିଛି କି କିଛି ସଂକେତ? କାହିଁକି ଉତ୍ତରାଧିକାରୀ ଘୋଷଣା କରୁନାହାନ୍ତି ନବୀନ? ପରିବାରରୁ କିଏ ଆସିବେ, ନା ଦଳରୁ ?

ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି | ହେଲେ ଏ ସବୁ ଭିତରେ ପଶ୍ଚିମ ଓଡ଼ିଶାରୁ ନେତୃତ୍ବର ସ୍ବର ଶୁଭିବା ପରେ ପୁଣି ବିଜେଡିରେ ଉତ୍ତରାଧିକାରୀ ଚର୍ଚ୍ଚାକୁ ବେଶୀ ଖୋରାକ ଯୋଗାଇ ଦେଇଛି ,ତେବେ ଦେଖାଯାଉ କେବେ ନବୀନ ତାଙ୍କ ଉତ୍ତରାଧିକାରୀ ଵାଛୁଛନ୍ତି |





