
ଏମିତି ଅନେକ ଗାଁ ଅଛି | ଯେଉଁଠି ନାହିଁ ମୋବାଇଲ ନେଟୱର୍କ ,ଆଉ ଅନେକ ଗାଁରେ ଟାୱାର ବସିଛି ହେଲେ ନେଟୱର୍କ କମ ଥାଏ | ଯାହାଫଳରେ ନାକେଦମ ହେଉଛନ୍ତି ଲୋକେ | କିନ୍ତୁ ଏଥର ମୋବାଇଲ ନେଟୱର୍କ ଟେନ୍ସନ୍ ଗଲା | କାରଣ ଆଗାମୀ ଦିନରେ ଇଣ୍ଟରନେଟ୍ ବା ମୋବାଇଲ କଲ୍ ପାଇଁ ମୋବାଇଲ ଟାୱାର ଉପରେ ଭରସା କରିବାକୁ ପଡ଼ିବନି | ଯେଉଁଠି ଥିଲେ ବି ସହଜରେ କଲ୍ ଲାଗିଯିବ |

କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା | ମହାକାଶରେ ସ୍ଥାପନ ହେବ ବ୍ଲୁ ବାର୍ଡ ସାଟେଲାଇଟ୍, ଯାହା ମୋବାଇଲ୍ ଟାୱାର୍ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ | ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ | ଆଉ ଏହି ମିଶନ ସଫଳ ହେଲେ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ହେବ | ମାନେ ବିନା ମୋବାଇଲ୍ ଟାୱାର ରେଞ୍ଜରେ ଥିଲେ ବି ସିଗନାଲ୍ ମିଳିବ |

ଏହା 4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ ଦେବ | ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା କିମ୍ବା କଷ୍ଟମାଇଜ୍ ହୋଇଥିବା ହାର୍ଡୱେର ଆବଶ୍ୟକ ହେବ ନାହିଁ ବର୍ତ୍ତମାନ ସେଲ୍ ଫୋନଗୁଡ଼ିକୁ 4G କିମ୍ବା 5G ନେଟୱାର୍କ ପାଇଁ ମୋବାଇଲ୍ ଟାୱାର ଆବଶ୍ୟକ | କିନ୍ତୁ ଏହି ସାଟେଲାଇଟର ପରୀକ୍ଷଣ ସଫଳ ହେଲେ ମୋବାଇଲ୍ ଟାୱାର ଯୁଗ ଶେଷ ହୋଇଯାଇପାରେ | ଆଉ ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର | ସେହିପରି ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ନେଟୱାର୍କ କଭରେଜ୍ ସମସ୍ୟାକୁ ଦୂର କରିପାରିବ |

ତେବେ ଅକ୍ଟୋବର ୧୯ରେ ଆମେରିକାରୁ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ | ନିଜ କକ୍ଷପଥରେ ପହଞ୍ଚିବା ପରେ ‘ବ୍ଲୁବାର୍ଡ ବ୍ଲକ୍ ୨’ ସାଟେଲାଇଟ୍ ତାର ୨୨୩ ବର୍ଗ ମିଟର ବିଶିଷ୍ଟ ବିଶାଳ ‘ଫେଜଡ୍ ଆରେ ଆଣ୍ଟେନା’ ଖୋଲିବ | ଏହା ପୃଥିବୀର ନିମ୍ନ କକ୍ଷପଥ ବା ଲୋ-ଅର୍ଥ ଅର୍ବିଟରେ ସ୍ଥାପିତ ହେବାକୁ ଥିବା ଦୁନିଆର ସବୁଠାରୁ ବଡ଼ ବ୍ୟବସାୟିକ କମ୍ୟୁନିକେସନ୍ ଆଣ୍ଟେନା ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରିବ | ଆଉ ଏହା ଆଗାମୀ ଦିନରେ ମୋବାଇଲ୍ କନେକ୍ଟିଭିଟି ଏବଂ ନେଟୱର୍କ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି |





