
ଭୁଷୁଡୁଛି ଲାଲଗଡ଼, ମାଓବାଦୀ ଆତ୍ମସମର୍ପଣ!
ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ସକ୍ରିୟ ଥିବା ମାଓବାଦୀମାନେ ଅବଶେଷରେ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। କୁଖ୍ୟାତ ନକ୍ସଲ ନେତା ନିଖିଲ ଓ ଇନ୍ଦୁ ସହ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ କହିଛନ୍ତି, ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ। ଦୁଇ ଦଶକ ଧରି ରାୟଗଡ଼ାରେ ମାଓବାଦୀମାନେ ସକ୍ରିୟ ଥିଲେ। ନିୟମଗିରି ପାଦଦେଶରେ ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ଓଡ଼ିଶା ପୋଲିସଙ୍କ ଦୃଢ଼ ସଙ୍କଳ୍ପ ଓ ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା ମିଳିଛି। ଏଡିଜି ସଂଜୀବ ପଣ୍ତା ଘୋଷଣା କରିଛନ୍ତି ଯେ, ରାୟଗଡ଼ା ଏବେ ମାଓମୁକ୍ତ ଜିଲ୍ଲା। ମାଓବାଦୀମାନେ ହିଂସାକାଣ୍ଡରେ ବ୍ୟବହାର କରୁଥିବା ୨ଟି AK-47, 5ଟି SLR, 1ଟି ଷ୍ଟେନଗନ୍, 1ଟି INSAS, 1ଟି ରାଇଫଲ ସହ ଅଫୁଟା ଗୁଳି ପୋଲିସଙ୍କୁ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ମାଲକାନଗିରି, କୋରାପୁଟ, ବୌଦ୍ଧ ମାଓମୁକ୍ତ ହୋଇଥିଲା। ଏବେ ରାୟଗଡ଼ା ମଧ୍ୟ ମାଓମୁକ୍ତ ହେବାରେ ଓଡ଼ିଶା ପୋଲିସଙ୍କୁ ବଡ଼ ସଫଳତା ମିଳିଛି।





