
ସୁନା ବଜାରରେ ପୁଣି ଲାଗିଯାଇଛି ଦର ନିଆଁ | ହୁ ହୁ ହୋଇ ଜଳୁଛି ସୁନା ଏବଂ ରୂପା ଧାତୁ | ସାଧାରଣ ଲୋକଙ୍କ କଥା ଦୂରେ ଥାଉ, କିଣିବା ଲୋକ ବି ରେଟ୍ ଶୁଣି ଚମକିଲେଣି, ଡରିଗଲେଣି | କାରଣ ସୁନା କିଣାର ଆଉ ସେ ସମୟ ନାହିଁ | ଚଳିତବର୍ଷ ଦର ଏତେ ବଢ଼ିଛି ଯେ | ଲୋକେ ସୁନାରେ ହାତ ମାରି ପାରୁନାହାନ୍ତି | ଆଉ କେବେ ସୁନା କମିବ | ତାହା ମଧ୍ୟ ନିକଟ ଭବିଷ୍ୟତରେ ଦିଶୁନି | ବଜାର ବିଶେଷଜ୍ଞଙ୍କ ସବୁ ଆକଳନ ମଧ୍ୟ ଫେଲ୍ ମାରିଯାଉଛି |

ଆଉ କିଛି ଲୋକ ମଧ୍ୟ ସୁନା କମିବ ବୋଲି ମନରେ ଆଶା ବାନ୍ଧିଥିଲେ | କିନ୍ତୁ ସୁନା ସବୁ ଆଶାକୁ ଦଳଚକଟି ସିଧା ନୂଆ ରେକର୍ଡ ଲେଖିଛି | ପ୍ରଥମଥର ପାଇଁ ୨୪ କ୍ୟାରେଟ୍ ସୁନା ଦର ଏକ ଲକ୍ଷ ୪୦ ହଜାର ଟଙ୍କା ପାର୍ କରିଛି | ସେହିଭଳି ୨୨ କ୍ୟାରେଟ୍ ସୁନା ଦରରେ ୧୧୦୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କାରେ ପହଞ୍ଚିଛି | ଗତ ସୋମବାରଠାରୁ ଶନିବାର ମଧ୍ୟରେ ସୁନା ଦରରେ ପାଖାପାଖି ୭୦୦୦ ଟଙ୍କା ବଢିଛି | ଆଉ ଏବେ ଆପଣ ଯଦି ସୁନା କିଣିବାକୁ ପ୍ଲାନ୍ କରିଛନ୍ତି | ତେବେ ଭୁଲିଯାଆନ୍ତୁ , କାରଣ ସୁନାକିଣାର ଆଉ ସେ ଗୋଲ୍ଡେନ୍ ପିରିୟଡ୍ ଆସିବାର ଚାନ୍ସ ଦିଶୁନି |

କିନ୍ତୁ କିଛିଦିନ ତଳେ ସୁନା ଦର ଧୀରେ ଧୀରେ ତଳମୁହାଁ ହେଉଥିଲା | ଲାଗୁଥିଲା ଏବେ ସୁନା ରେଟ୍ ଖସିବ | ବାହାଘର ସିଜିନ୍ ଚାଲିଥିବାରୁ ଗ୍ରାହକ ଟିକେ ହାଲୁକା ହେବେ | ଏକରକମ୍ ପ୍ରାୟ ଠପ୍ ହୋଇଯାଇଥିବା ସୁନା ବଜାରଟା ବି ଗହଳିଚହଳି ହେବ | ହେଲେ ଏବେ ବଜାରରେ ନିଆଁ ଲଗାଉଛି | କେବଳ ସୁନା ନୁହେଁ ରକେଟ୍ ବେଗରେ ମଧ୍ୟ ବଢ଼ୁଛି ରୁପା | ଦିନକରେ ୨୦ ହଜାର ବଢ଼ିଛି କହିବାକୁ ଗଲେ ପ୍ରାୟତଃ ଡିସେମ୍ବରରେ ବଢ଼ିଲାଣି ୭୮ ହଜାର ଟଙ୍କା | ଆଉ ଏବେ ରୁପା ଦର ୨,୭୪,୦୦୦ ହଜାର ଟଙ୍କାରେ ପହଞ୍ଚିଛି |

ଏବେ ଆସିବା ଏମିତି ହୁ ହୁ ହୋଇ ସୁନା ଦର କାହିଁକି ବଢ଼ୁଛି | କାରଣ ନମ୍ବର ଏକ୍ ହେଲା, ସାରା ବିଶ୍ୱରେ ଲାଗି ରହିଥିବା ଭୂରାଜନୈତିକ ଉତ୍ତେଜନା, ଯେମିତି ରୁଷ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମେତ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଉତ୍ତେଜନା | ଯେଉଁ କାରଣରୁ ନିବେଶକ ସୁନାକୁ ସୁରକ୍ଷିତ ଆଶ୍ରୟସ୍ଥଳ ବୋଲି ଭାବି ସେଥିରେ ନିବେଶ କରୁଥିବାରୁ ଦର ବଢ଼ୁଚି | କାରଣ ନମ୍ବର ଟୁ ହେଲା, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଓ ଆର୍ଥିକ ମାନ୍ଦାବସ୍ଥାର ଭୟ ଲୋକଙ୍କୁ ମୁଦ୍ରା ଅବମୂଲ୍ୟାୟନରୁ ରକ୍ଷା କରିବା ପାଇଁ ସୁନା କିଣିବାକୁ ବାଧ୍ୟ କରୁଛି, ଯେଉଁଥି ପାଇଁ ସୁନା ଚାହିଦା ବଢ଼ିବାରୁ ଦର ବଢ଼ୁଛି |





