ନୂଆଦିଲ୍ଲୀ: ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ପୁଣିଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ରେ ସେ କୁସ୍ତିକୁ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲେ । ଏବେ ୧୮ମାସ ପରେ ସେ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ପୁଣିଥରେ ଖେଳି ଭାରତ ପାଇଁ ପଦକ ଆଣିବିକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ଆମେରିକାର ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ-୨୦୨୮ ଉପରେ ଏବେ ତାଙ୍କ ନଜର ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପୋଷ୍ଟ କରି ସେ ଖେଳକୁ ଫେରିବା ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲରେ ଅଯୋଗ୍ୟ ଘୋଷିତ ହେବା ପରେ ସେ କୁସ୍ତିରୁ ଅବସର ନେଇଥିଲେ । ୫୦ କିଲୋ ବର୍ଗରେ ସେ ଖେଳିବାର ଥିଲା । ହେଲେ ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଏବେ ଦୀର୍ଘ ୧୮ ମାସର ଅବସର ପରେ ପୁଣି ସେ ପୁଣିଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
୩୧ ବର୍ଷୀୟା ମହିଳା କୁସ୍ତିଯୋଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ, “ଲୋକେ ପ୍ରାୟତଃ ମୋତେ ପଚାରନ୍ତି ଯେ, ପ୍ୟାରିସ୍ ମୋର ଶେଷ ଯାତ୍ରା ଥିଲା କି ? ଦୀର୍ଘ ସମୟ ପର୍ଯ୍ୟନ୍ତ ମୋ ପାଖରେ ଏହାର ଉତ୍ତର ନଥିଲା । ମୋତେ ନିଜକୁ ଜିତିବାର ଚାପରୁ, ଲୋକଙ୍କ ଆଶାରୁ, ଏପରିକି ମୋର ନିଜସ୍ୱ ମହତ୍ତ୍ୱାକାଂକ୍ଷାରୁ ଦୂରେଇ ଯିବାକୁ ପଡିଲା । ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ମୁଁ ଶାନ୍ତିରେ ନିଶ୍ବାସ ନେଲି । ମୁଁ ମୋର କାର୍ଯ୍ୟଭାର, ଜୀବନର ଉତ୍ଥାନ-ପତନ, ତ୍ୟାଗ ଏବଂ ମୋର ସେହି ଦିଗଗୁଡ଼ିକୁ ଯାହା ବିଶ୍ୱ କେବେ ଦେଖିନାହିଁ, ତାକୁ ବୁଝିବା ପାଇଁ କିଛି ସମୟ ନେଇଥିଲି। । ମୁଁ ଏବେ ବି ଖେଳକୁ ଭଲପାଏ । ମୁଁ ଏବେ ବି ପ୍ରତିଯୋଗିତା କରିବାକୁ ଚାହୁଁଛି । କିଛି ଦିନ ଖେଳଠାରୁ ନିଜକୁ ଦୂରେଇ ରଖିବା ପରେ ମୁଁ ନିଜର ଦକ୍ଷତାକୁ ଆହୁରି ଭଲ ଭାବରେ ବୁଝିପାରିଛି । ମୋ ଭିତରେ ଢ଼େଳିବାର ଏବଂ ଜିତିବାର ନିଆଁ ଏବେ ବି ରହିଛି । ଏଥର ମୁଁ ଏକା ନୁହେଁ, ମୋ ସହ ମୋ ପୁଅ ବି ଲସ୍ ଆଞ୍ଜେଲସ୍ ଯିବ।”

ସୂଚନାଯୋଗ୍ୟ ଯେ, ୧୯୯୪ରେ ଜନ୍ମଗ୍ରହଣ କରିଥିବା ବିନେଶ ବିଶ୍ୱ ଚାମ୍ପିଅନସିପରେ ଦୁଇଟି କାଂସ୍ୟ ପଦକ, ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରି ବର୍ତ୍ତମାନ ଜୁଲାନା ବିଧାନସଭା ନିର୍ବାଚନମଣ୍ଡଳୀର ସାଂସଦ ଭାବେ ନିଜର ଦାୟିତ୍ୱ ସଂପାଦନ କରୁଛନ୍ତି।





