
ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ କୋର୍ଟ। ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ସମେତ ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ୨୩ ଜଣ ବ୍ୟକ୍ତିଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁଇ ହଜାର ବାଇଶି – ଦୁଇ ହଜାର ତେଇଶିକୁ ନେଇ ସିବିଆଇ ଏବଂ ଇଡି ଦ୍ୱାରା ହୋଇଥିବା ଅଭିଯୋଗରେ ଏହା ପ୍ରଥମ ବଡ଼ ରାୟ। ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ଦୋଷମୁକ୍ତ କରାଯିବା ପରେ ଆମ୍ ଆଦମୀ ପାର୍ଟି ଶିବିରରେ ଉତ୍ସବର ମାହୋଲ ଦେଖାଦେଇଛି।ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଦୁଇହଜାର ଏକୋଇଶି- ଦୁଇ ବଜାର ବାଇଶି ଅ ବକାରୀ ନୀତିରେ ଅନିୟମିତତା ଏବଂ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ ସିସୋଦିଆ ଏବଂ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗ ଥିଲା ଯେ ମଦ ମାଫିଆଙ୍କୁ ଅହେତୁକ ସୁବିଧା ଦେଇ ରାଜକୋଷର କ୍ଷତି କରାଯାଇଛି। କିନ୍ତୁ ଆଜିର କୋର୍ଟ ରାୟ ଏହି ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛି।

ଏହି ନିଷ୍ପତ୍ତି ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପାଇଁ ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଖଲାସ ହେବା, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।





