
ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଯକ୍ଷ୍ମା ରୋଗର ନିରାକରଣ ଓ ମୂଳୋତ୍ପାଟନ ପାଇଁ ଛତ୍ରପୁର ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦୁଇଟି ଅତ୍ୟାଧୁନିକ ମୋବାଇଲ୍ ଏକ୍ସ-ରେ ମେସିନ୍ ପ୍ରଦାନ କରାଯାଇଛି।ବ୍ରହ୍ମପୁର ସିଡିଏମଓ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ IREL ର ଅଧିକାରୀମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ବିଭାଗକୁ ଏହି ମେସିନ୍ ହସ୍ତାନ୍ତର କରିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ IREL ର ମାର୍କେଟିଂ ଇନଚାର୍ଜ ରବି ଶଙ୍କର ସାବତ ଏବଂ ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଯୋଗ ଦେଇଥିଲେ।ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ ଏଣିକି ରୋଗୀଙ୍କୁ ଆଉ ମେଡିକାଲ ଦୌଡ଼ିବାକୁ ପଡ଼ିବ ନାହିଁ। ଏହି ମୋବାଇଲ୍ ମେସିନର ବିଶେଷତ୍ୱ ଗୁଡ଼ିକ ହେଲା:
ଘର ପାଖରେ ସେବା: ଫିଲଡ୍ କର୍ମଚାରୀମାନେ ଗାଁ ଗାଁ ବୁଲି ସନ୍ଦେହଜନକ ରୋଗୀଙ୍କ ଘର ପାଖରେ ହିଁ ଏକ୍ସ-ରେ କରିପାରିବେ।
ତୁରନ୍ତ ନିଦାନ: ଏହାଦ୍ୱାରା ଖୁବ୍ ଶୀଘ୍ର ରୋଗ ଚିହ୍ନଟ ହୋଇ ଚିକିତ୍ସା ଆରମ୍ଭ କରାଯାଇପାରିବ।
ଦୁର୍ଗମ ଅଞ୍ଚଳକୁ ସୁବିଧା: ଜିଲ୍ଲାର ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହେବ।

“ଆମର ଲକ୍ଷ୍ୟ ହେଉଛି ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବା। IREL ର ଏହି ସହଯୋଗ ଦ୍ୱାରା ଆମେ ରୋଗୀଙ୍କ ପାଖରେ ପହଞ୍ଚି ସହଜରେ ପରୀକ୍ଷା କରିପାରିବୁ।”IREL ର ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଏହାଦ୍ୱାରା ଜିଲ୍ଲାରୁ ଯକ୍ଷ୍ମା ନିର୍ମୂଳ ଅଭିଯାନ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି।




