Blog
BeMC ବଡ଼ ଆକ୍ସନ୍ ଦଣ୍ଡନାଚରେ ଅଶ୍ଳୀଳତା ବନ୍ଦ !
ଗଞ୍ଜାମ ମାଟିର ଅସ୍ମିତା, ରୁଷିକୁଲ୍ୟା ଅବବାହିକାର ସବୁଠୁ ବଡ଼ ତଥା କଠୋର ତପସ୍ୟାର ପର୍ବ ହେଉଛି ‘ଦଣ୍ଡନାଚ’ | କିନ୍ତୁ ଦୁଃଖର କଥା, ପାପ କ୍ଷୟ କରି ପୂଣ୍ୟ ଅର୍ଜନ କରିବାର ଏହି ପବିତ୍ର ପରମ୍ପରାରେ ଆଜିକାଲି ପଶିଯାଇଛି ଅପସଂସ୍କୃତିର ବିଷ| ମନୋରଞ୍ଜନ ନାଁରେ ଖୋଲା ମଞ୍ଚରେ ପରିବେଷଣ କରାଯାଉଛି ଅଶ୍ଳୀଳତା| ଯାହାକୁ ନେଇ ଏବେ ଶକ୍ତ ହୋଇଛି ବ୍ରହ୍ମପୁର ମହାନଗର ନିଗମ | ଦଣ୍ଡନାଚରେ କଳାକାର ଓ ଆୟୋଜକଙ୍କ ପାଇଁ ଜାରି ହୋଇଛି କଡ଼ା ଗାଇଡଲାଇନ୍|
ଗଞ୍ଜାମ ମାଟିର ପାରମ୍ପରିକ ତଥା ଆରାଧ୍ୟ ପର୍ବ ହେଉଛି ଦଣ୍ଡନାଚ| କିନ୍ତୁ ବିଗତ କିଛି ବର୍ଷ ହେବ ଏହି ପବିତ୍ର ପରମ୍ପରାରେ ଅଶ୍ଳୀଳତା ଏବଂ ଅପସଂସ୍କୃତିର ବିଷ ବ୍ୟାପିବାରେ ଲାଗିଥିଲା ଆଧୁନିକତାର ଦ୍ୱାହି ଦେଇ ରାତିରେ ହେଉଥିବା ଦଣ୍ଡ ନାଟକରେ ରେକର୍ଡ ଡ୍ୟାନ୍ସ ଏବଂ ସିନେମା ଗୀତର ତାଳେ ତାଳେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା| ହେଲେ ଏଥର ବ୍ରହ୍ମପୁର ମହାନଗର ନିଗମ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ନେଇଛି| ପବିତ୍ର ଦଣ୍ଡନାଚରେ ପଶିଥିବା ଅପସଂସ୍କୃତି ଓ ଅଶ୍ଳୀଳତା ଉପରେ ଏବେ ଲାଗିବ ରୋକ୍| ଏଥିପାଇଁ ଆୟୋଜକ ଏବଂ ନାଟ୍ୟ ସଂସ୍ଥାଙ୍କ ପାଇଁ ଜାରି ହୋଇଛି କଡ଼ା ନିର୍ଦ୍ଦେଶନାମା| ଆଉ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ |
ବ୍ରହ୍ମପୁର ମହାନଗର ନିଗମର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଦଣ୍ଡନାଚ ସମୟରେ କେବଳ ପାରମ୍ପରିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହିଁ ପରିବେଷଣ କରାଯିବ| ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକକୁ ପ୍ରାଧାନ୍ୟ ଦିଆଯିବ.. କୌଣସି ପ୍ରକାର ଅଶ୍ଳୀଳତା, ଖରାପ ଭାଷାର ପ୍ରୟୋଗ କିମ୍ବା ଉତ୍ତେଜକ ନୃତ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ| ଏଥିପାଇଁ ଆୟୋଜକମାନେ ନାଚର ଅତିକମ୍ ରେ ୩ ଦିନ ପୂର୍ବରୁ ମହାନଗର ନିଗମରେ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ବାଧ୍ୟ କରାଯାଇଛି|
କେବଳ ନିୟମ କରି ଚୁପ୍ ବସିନି BeMC | ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ନିୟମ କେବଳ କାଗଜ କଲମରେ ସୀମିତ ରହିବ ନାହିଁ | ଆୟୋଜନ ସ୍ଥଳରେ ହଠାତ୍ ପହଞ୍ଚି ଯାଞ୍ଚ କରିବ ନିଗମର ସ୍ୱତନ୍ତ୍ର ଇନଫୋର୍ସମେଣ୍ଟ ସ୍କ୍ୱାଡ୍| ଯଦି କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ ହୁଏ ବା ଅସାମାଜିକ କାର୍ଯ୍ୟକଳାପ ନଜରକୁ ଆସେ, ତେବେ ତୁରନ୍ତ ସେହି ଆୟୋଜକ ଏବଂ ନାଟ୍ୟ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
- Trending




