ଫ୍ଲିପକାର୍ଟରୁ ଆଇଫୋନ୍ ବଦଳରେ ତେଲ ପାଇଥିବା ଗ୍ରାହକଙ୍କୁ ମିଳିବ ₹୧.୮ ଲକ୍ଷ ଟଙ୍କା

ମୁମ୍ବାଇର ଏକ ଜିଲ୍ଲା ଉପଭୋକ୍ତା ଆୟୋଗ ଫ୍ଲିପକାର୍ଟ ଏବଂ ସମ୍ପୃକ୍ତ ବିକ୍ରେତାଙ୍କୁ ଜଣେ ଗ୍ରାହକଙ୍କୁ ₹୧,୧୧,୭୯୩ ଫେରସ୍ତ କରିବା ସହ ₹୭୦,୦୦୦ କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଗ୍ରାହକ ଅର୍ଡର କରିଥିବା ଆପଲ୍ ଆଇଫୋନ୍ ପରିବର୍ତ୍ତେ ଦାଢ଼ି ବଢ଼ାଇବା ତେଲ ପାଇଥିଲେ, ଯାହାକୁ ନେଇ ଗ୍ରାହକ ଅଭିଯାଗ କରିଥିଲେ ।

ମୁମ୍ବାଇ (ଉପନଗର) ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଅତିରିକ୍ତ ଡିସିଏଫ୍) ରାୟରେ କହିଛନ୍ତି ଯେ, ଗ୍ରାହକଙ୍କ ଅଭିଯୋଗକୁ କୌଣସି ପ୍ରଭାବଶାଳୀ ସମାଧାନ ନ ଦେଇ ବାରମ୍ବାର “ସମାଧାନ ହୋଇଯାଇଛି” ବୋଲି ବନ୍ଦ କରିଦେବା ଏକ ଅନ୍ୟାୟ ବାଣିଜ୍ୟିକ ପ୍ରଥା (Unfair Trade Practice)।

ଆୟୋଗ କହିଛନ୍ତି ଯେ, ଗ୍ରାହକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ଆବଶ୍ୟକୀୟ ଅର୍ଥ ପ୍ରଦାନ କରି ଅର୍ଡର କରିଥିଲେ। ତେଣୁ, ଫ୍ଲିପକାର୍ଟର ଦାୟିତ୍ୱ ଥିଲା ଯେ ଗ୍ରାହକଙ୍କୁ ସଠିକ୍ ସାମଗ୍ରୀ ପହଞ୍ଚିବ ଏବଂ ଅଭିଯୋଗର କାର୍ଯ୍ୟକର ସମାଧାନ ବ୍ୟବସ୍ଥା କରାଯିବ।

ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ବିକ୍ରୟକୁ ସୁବିଧା ଯୋଗାଇଦେବା ପରେ କେବଳ ନିଜକୁ ଦାୟିତ୍ୱମୁକ୍ତ ବୋଲି କହି ଇ-କମର୍ସ କମ୍ପାନୀ ପଛକୁ ହଟିପାରିବ ନାହିଁ। ବିଶେଷକରି, ଗ୍ରାହକ ତୁରନ୍ତ ସମ୍ପୂର୍ଣ୍ଣ ଭିନ୍ନ ସାମଗ୍ରୀ ମିଳିଥିବା ଅଭିଯୋଗ କରିଥିବା ସ୍ଥିତିରେ କମ୍ପାନୀର ଦାୟିତ୍ୱ ରହିଥାଏ।

ଅଭିଯୋଗର ଯାଞ୍ଚ ନ କରିବା, ଭୁଲ ସାମଗ୍ରୀ ଫେରସ୍ତ ନେବାରେ ବିଫଳ ହେବା, ପରିବର୍ତ୍ତେ ନୂଆ ସାମଗ୍ରୀ କିମ୍ବା ଅର୍ଥ ଫେରସ୍ତ ନ କରିବା ଏବଂ ବାରମ୍ବାର ଅଭିଯୋଗକୁ ବନ୍ଦ କରିଦେବା ସେବାରେ ସ୍ପଷ୍ଟ ତ୍ରୁଟି ଏବଂ ଅନ୍ୟାୟ ବାଣିଜ୍ୟିକ ପ୍ରଥା ବୋଲି ଆୟୋଗ କହିଛନ୍ତି।

ଆୟୋଗ ଆହୁରି କହିଛନ୍ତି ଯେ, ବିକ୍ରେତା ଇଣ୍ଟରନ୍ୟାସନାଲ୍ ଭାଲ୍ୟୁ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି ଅନୁଯାୟୀ ସଠିକ୍ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଥିଲା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ଗ୍ରାହକଙ୍କ ସମସ୍ୟାର ସମାଧାନ କରିନଥିଲା। ଏହା ମଧ୍ୟ ସେବାରେ ତ୍ରୁଟିକୁ ସ୍ପଷ୍ଟ କରୁଛି।

ଏହି କାରଣରୁ, ଫ୍ଲିପକାର୍ଟ ଏବଂ ବିକ୍ରେତା ଉଭୟଙ୍କୁ ଗ୍ରାହକଙ୍କ କ୍ଷତି ଓ ଅସୁବିଧା ପାଇଁ ମିଳିତ ଭାବେ ଦାୟୀ ବୋଲି ଆୟୋଗ ରାୟ ଦେଇଛନ୍ତି।

ଅଭିଯୋଗକାରୀ ମୁମ୍ବାଇର ପୱାଇ ଅଞ୍ଚଳର ବାସିନ୍ଦା। ସେ ୨୨ ଏପ୍ରିଲ୍ ୨୦୨୩ରେ ଫ୍ଲିପକାର୍ଟ ମାଧ୍ୟମରେ ଆପଲ୍ ଆଇଫୋନ୍ ୧୪ ପ୍ରୋ (୧୨୮ ଜିବି) ₹୧,୧୧,୭୯୩ରେ ନୋ-କଷ୍ଟ EMI ଯୋଜନାରେ କିଣିଥିଲେ।

ଆଇଫୋନ୍ ପାଇଁ ପୃଥକ ଭାବେ ଅର୍ଡର କରାଯାଇଥିବା ଚାର୍ଜର ଏବଂ କଭର୍ ଠିକ୍ ଭାବେ ପହଞ୍ଚିଥିଲା। କିନ୍ତୁ ପରଦିନ ଆସିଥିବା ମୁଖ୍ୟ ପାର୍ସଲ୍ ଖୋଲିବା ପରେ ସେଥିରେ ଆଇଫୋନ୍ ପରିବର୍ତ୍ତେ ଦାଢ଼ି ବଢ଼ାଇବା ତେଲ ଓ କିଛି ପ୍ୟାକିଂ ସାମଗ୍ରୀ ଥିବା ଦେଖିଥିଲେ।

ଏହା ପରେ ଗ୍ରାହକ ଏପ୍ରିଲ୍ ଠାରୁ ମେ ୨୦୨୩ ମଧ୍ୟରେ ବାରମ୍ବାର ଫ୍ଲିପକାର୍ଟର ଗ୍ରାହକ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ଏବଂ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲେ। କିନ୍ତୁ କମ୍ପାନୀ ସମସ୍ୟାର ସମାଧାନ କରିନଥିଲା। ବରଂ କୌଣସି ରିଫଣ୍ଡ କିମ୍ବା ବଦଳ ସାମଗ୍ରୀ ନ ଦେଇ ବାରମ୍ବାର ଅଭିଯୋଗକୁ “ସମାଧାନ ହୋଇଯାଇଛି” ବୋଲି ଦର୍ଶାଇଥିଲା।

ଆୟୋଗ ଫ୍ଲିପକାର୍ଟ ଏବଂ ବିକ୍ରେତାଙ୍କୁ ୨୨ ଏପ୍ରିଲ୍ ୨୦୨୩ରୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ₹୧,୧୧,୭୯୩ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଓ ହଇରାଣ ପାଇଁ ₹୫୦,୦୦୦ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦରେ ₹୨୦,୦୦୦, ମୋଟ ₹୭୦,୦୦୦, ୪୫ ଦିନ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି।

ଏହି ମାମଲାରେ ପକ୍ଷଭୁକ୍ତ ଥିବା ଆପଲ୍ ଇଣ୍ଡିଆ ଲିଖିତ ଜବାବରେ କହିଥିଲା ଯେ, ଏହି ଅଭିଯୋଗ ଆଇନଗତ କିମ୍ବା ତଥ୍ୟଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହାକୁ ଖାରଜ କରାଯିବା ଉଚିତ।

କମ୍ପାନୀ ଦର୍ଶାଇଥିଲା ଯେ, ସେମାନେ ସ୍ୱାଧୀନ ଡିଲର ଓ ବିକ୍ରେତାଙ୍କ ମାଧ୍ୟମରେ ଆପଲ୍ ବ୍ରାଣ୍ଡର ସାମଗ୍ରୀ ବିକ୍ରୟ କରନ୍ତି ଏବଂ ସେହି ବିକ୍ରେତାମାନଙ୍କର ଗ୍ରାହକଙ୍କ ପ୍ରତି ଥିବା ଦାୟିତ୍ୱ ଉପରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ।

ଆୟୋଗ ଏହି ଯୁକ୍ତିକୁ ଗ୍ରହଣ କରି ଆପଲ୍ ଇଣ୍ଡିଆ ବିରୋଧରେ ଥିବା ଅଭିଯୋଗକୁ ଖାରଜ କରିଛନ୍ତି। ରାୟରେ କୁହାଯାଇଛି ଯେ, ଏହି ବିବାଦ କେବଳ ଭୁଲ ସାମଗ୍ରୀ ଡେଲିଭରି ସହ ସମ୍ପର୍କିତ ଏବଂ ପ୍ୟାକେଜିଂ, ପଠାଇବା କିମ୍ବା ସେବାରେ ତ୍ରୁଟି ସହ ଉତ୍ପାଦକଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ମିଳିନାହିଁ।