ଲକର ଖୋଲିବା ପରେ ମହିଳାଙ୍କ ଉଡ଼ିଗଲା ହୋସ୍ ! ୫୦ ଲକ୍ଷର ଗହଣା ଗାଏବ, ବ୍ୟାଙ୍କରେ ହଇଚଇ

‘ମୋ ଗହଣା କୁଆଡ଼େ ଗଲା?’—ବ୍ୟାଙ୍କ ଲକର ଖୋଲିବା ପରେ ଏହି ପ୍ରଶ୍ନ ନେଇ ଆଶ୍ଚର୍ଯ୍ୟରେ ପଡ଼ିଛନ୍ତି ଉତ୍ତରପ୍ରଦେଶର ଜଣେ ୫୫ ବର୍ଷୀୟା ମହିଳା। ରଶ୍ମି ଆରୋରା ନାମକ ଏହି ମହିଳା ୨୦୦୩ ମସିହାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋର (SBT)ର ଏକ ଲକରରେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା ରଖିଥିଲେ। ତେବେ ଲକର ଖୋଲିବା ବେଳକୁ ସେଥିରୁ ସମସ୍ତ ଗହଣା ଗାଏବ ହୋଇଯାଇଥିବା ଦେଖି ସେ ଚକିତ ହୋଇଛନ୍ତି।

୨୦୦୩ ମସିହା ଫେବ୍ରୁଆରୀ ୨୬ ରେ ରଶ୍ମି ଆରୋରା ତାଙ୍କ ସ୍ୱାମୀଙ୍କ ସହ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋର (SBT)ରେ ଏକ ସେଭିଂସ୍ ଆକାଉଣ୍ଟ ଖୋଲିଥିଲେ। ଏହା ସହ ତାଙ୍କୁ ୨୩ ନମ୍ବର ଲକର ଆଲଟ କରାଯାଇଥିଲା। ସେହି ଲକରରେ ସେମାନେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା ରଖିଥିଲେ। ସମୟ ସମୟରେ ଆରୋରା ଦମ୍ପତି ବ୍ୟାଙ୍କକୁ ଯାଇ ଲକରରେ ଥିବା ସାମଗ୍ରୀ ଯାଞ୍ଚ ମଧ୍ୟ କରୁଥିଲେ।

ତେବେ ରଶ୍ମିଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ କାନପୁରର ସ୍ୱରୂପ ନଗରରୁ ଲକ୍ଷ୍ନୌକୁ ଚାଲିଯାଇଥିଲେ। ସେଠାରେ ସେ ନିଜ ଝିଅ ଓ ଜ୍ୱାଇଁଙ୍କ ସହ ରହୁଥିଲେ। ବ୍ୟାଙ୍କ ଦୂରରେ ଥିବାରୁ ସେ ଆଉ ନିୟମିତ ଭାବେ ବ୍ୟାଙ୍କ ଯାଇପାରୁନଥିଲେ। ତେବେ ତାଙ୍କ ଗହଣା ବ୍ୟାଙ୍କ ଲକରରେ ସୁରକ୍ଷିତ ଥିବ ବୋଲି ସେ ଆଶା କରିଥିଲେ।

ପ୍ରାୟ ଚାରି ମାସ ପୂର୍ବରୁ ରଶ୍ମି ତାଙ୍କ ସାନ ଝିଅଙ୍କ ସହ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ, SBT ଆଉ ସ୍ୱତନ୍ତ୍ର ବ୍ୟାଙ୍କ ଭାବେ ରହିନାହିଁ ଏବଂ ଏହା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହ ମିଶିଯାଇଛି। ତାଙ୍କ ନାମରେ SBIରେ କୌଣସି ଲକର ନଥିବା ମଧ୍ୟ ତାଙ୍କୁ କୁହାଯାଇଥିଲା।

ଏହା ଶୁଣି ରଶ୍ମି ଆରୋରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେ ନିଜ ଆକାଉଣ୍ଟ ଓ ଲକର ଆଲଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ପୁଣିଥରେ ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରେ ଶାଖା ପରିଚାଳକ ତାଙ୍କୁ କହିଥିଲେ ଯେ, ଲକରର ବାର୍ଷିକ ଭଡ଼ା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବେ କଟୁଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଶେଷ ହୋଇଯାଇଥିଲା।

ଜୁଲାଇ ୨୧ ତାରିଖରେ ରଶ୍ମି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ଜମା କରି ଏହାକୁ ପୁଣି ସକ୍ରିୟ କରିଥିଲେ। ତେବେ ସେହି ସମୟରେ ଲକରର ଚାବି ନେଇ ଆସିବାକୁ ଭୁଲିଯାଇଥିଲେ।

ଜୁଲାଇ ୨୭ ତାରିଖରେ ସେ ପୁଣିଥରେ ବ୍ୟାଙ୍କକୁ ଯାଇ ଲକର ଖୋଲିବାର ସୁଯୋଗ ପାଇଥିଲେ। କିନ୍ତୁ ଲକର ନମ୍ବର ୨୩ ଖୋଲିବା ପରେ ଯାହା ଦେଖିଲେ, ତାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା। ଲକରଟି ସମ୍ପୂର୍ଣ୍ଣ ଖାଲି ଥିଲା। ସେଥିରେ ରଖାଯାଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଗାଏବ ହୋଇଯାଇଥିଲା।

ଏହା ପରେ ରଶ୍ମି ଆରୋରା ବ୍ୟାଙ୍କ ପରିଚାଳନା ଓ କର୍ମଚାରୀଙ୍କ ବିରୋଧରେ ଗହଣା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣି ପୋଲିସରେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ଆଧାରରେ ଶାଖା ପରିଚାଳକ ଓ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ FIR ରୁଜୁ ହୋଇଛି।

କାନପୁର DCP ଅତୁଲ ଶ୍ରୀବାସ୍ତବ କହିଛନ୍ତି, “ଆମେ ମାମଲା ରୁଜୁ କରିଛୁ ଏବଂ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରୁଛୁ। CCTV ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି।”

ବର୍ତ୍ତମାନ ପୋଲିସ ଲକର ସମ୍ପର୍କିତ ରେକର୍ଡ, ବ୍ୟାଙ୍କ ଦସ୍ତାବିଜ ଏବଂ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ଜାରି ରଖିଛି।