Blog
ଟିପର ଓ ଡମ୍ପର ଡ୍ରାଇଭର ସାବଧାନ ! କଭର୍ ବିନା ରାସ୍ତାରେ ଚଳାଚଳ ମନା
ଏଣିକି ରାସ୍ତାରେ ଖୋଲା ଟିପର୍ ଓ ଡମ୍ପର୍ ଯୋଗୁ ସୃଷ୍ଟି ହେଉଥିବା ଧୂଳି, ବାଲି, ମାଟି ଓ ଗୋଡ଼ି ପଡ଼ିବା ଭଳି ସମସ୍ୟା ଉପରେ ଲାଗିବ ରୋକ୍। ନିର୍ମାଣ ସାମଗ୍ରୀ ବୋଝେଇ ନେଉଥିବା ଟିପର୍ ଓ ଡମ୍ପର୍ ଗୁଡ଼ିକୁ ଏଣିକି ଆଉ ଖୋଲା ଅବସ୍ଥାରେ ରାସ୍ତାରେ ଚଳାଚଳ କରିବାକୁ ଅନୁମତି ମିଳିବ ନାହିଁ। କେନ୍ଦ୍ର ସରକାର ଏନେଇ ନୂଆ ନିୟମ ଜାରି କରିଛନ୍ତି।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନୂଆ ବ୍ୟବସ୍ଥା ଅନୁସାରେ, ୨୦୨୭ ଏପ୍ରିଲ୍ ୧ ତାରିଖରୁ ସମସ୍ତ ଟିପର୍ ଓ ଡମ୍ପର୍ର ଲୋଡ୍ ବଡି ଉପରେ କଭର୍ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ ହେବ। ଅର୍ଥାତ୍ ଏହି ଗାଡ଼ି ଗୁଡ଼ିକ ବାଲି, ମାଟି, ଗୋଡ଼ି, ଖଣିଜ ପଦାର୍ଥ କିମ୍ବା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ନେଇ ରାସ୍ତାରେ ଚାଲିବା ସମୟରେ ସମ୍ପୂର୍ଣ୍ଣ ଲୋଡ୍ ବଡିକୁ ଢାଙ୍କି ରଖିବାକୁ ପଡ଼ିବ।
କାହିଁକି ଆସିଲା ଏହି ନିୟମ?
ରାସ୍ତାରେ ଚଳାଚଳ କରୁଥିବା ଖୋଲା ଟିପର୍ ଓ ଡମ୍ପର୍ରୁ ବାଲି, ମାଟି, ଗୋଡ଼ି ଆଦି ଖସି ପଡ଼ିବା ଯୋଗୁ ଅନେକ ସମୟରେ ରାସ୍ତା ଅପରିଷ୍କାର ହେବା ସହ ଯାତାୟାତରେ ସମସ୍ୟା ସୃଷ୍ଟି ହୁଏ। ବିଶେଷକରି ଦ୍ରୁତ ଗତିରେ ଗାଡ଼ି ଚାଲିବା ବେଳେ ଲୋଡ୍ରୁ ଧୂଳି ଓ ଛୋଟ ଛୋଟ ପଥର ଉଡ଼ି ପଛରେ କିମ୍ବା ପାଖରେ ଚାଲୁଥିବା ଯାନବାହନ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।
କେତେକ କ୍ଷେତ୍ରରେ ରାସ୍ତା ଉପରେ ମାଟି କିମ୍ବା ଗୋଡ଼ି ପଡ଼ି ଦୁଇଚକିଆ ଯାନ ଚାଳକଙ୍କ ନିୟନ୍ତ୍ରଣ ହରାଇବାର ଆଶଙ୍କା ମଧ୍ୟ ରହିଥାଏ। ଏହାସହିତ ଧୂଳି ପ୍ରଦୂଷଣ ବଢ଼ିବା ଏବଂ ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।
କେମିତି ହେବ କଭର୍ ବ୍ୟବସ୍ଥା?
ନୂଆ ନିୟମ ଅନୁସାରେ ଟିପର୍ ଓ ଡମ୍ପର୍ର ଲୋଡ୍ ବଡିକୁ ଏପରି ଭାବେ ଢାଙ୍କିବାକୁ ହେବ, ଯେପରି ଗାଡ଼ି ଚଳାଚଳ ସମୟରେ ଭିତରେ ଥିବା ସାମଗ୍ରୀ ବାହାରକୁ ଖସି ନପାରିବ। ଏଥିପାଇଁ ମେକାନିକାଲ୍, ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋମେକାନିକାଲ୍ କିମ୍ବା ହାଇଡ୍ରୋଲିକ୍ ବ୍ୟବସ୍ଥା ବ୍ୟବହାର କରାଯାଇପାରିବ।
କଭର୍ଟି ମଜବୁତ ହେବା ସହ ଲୋଡ୍ ବଡିକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିପାରୁଥିବ। ଫଳରେ ଗାଡ଼ି ଚାଲିବା ସମୟରେ ବାଲି କିମ୍ବା ମାଟି ରାସ୍ତା ଉପରେ ଖସିବା ଆଶଙ୍କା କମିବ।
ଡ୍ରାଇଭରଙ୍କୁ ମିଳିବ ଆଲର୍ଟ
କେବଳ କଭର୍ ଲଗାଇଦେବା ନୁହେଁ, ଏହା ଠିକ୍ ଭାବେ ବନ୍ଦ ହୋଇଛି କି ନାହିଁ, ସେଥିପ୍ରତି ମଧ୍ୟ ନଜର ରହିବ। କଭର୍ ଖୋଲା ରହିଲେ କିମ୍ବା ଠିକ୍ ଭାବେ ବନ୍ଦ ନହେଲେ ଡ୍ରାଇଭରଙ୍କୁ ସତର୍କ କରିବା ପାଇଁ କ୍ୟାବିନ୍ ଭିତରେ ଅଡିଓ-ଭିଜୁଆଲ୍ ଆଲର୍ଟ ସିଷ୍ଟମ୍ ରହିବ।
ଫଳରେ ଗାଡ଼ି ଚଳାଇବା ସମୟରେ କଭର୍ ଖୋଲିଯାଇଥିଲେ ଡ୍ରାଇଭର ତୁରନ୍ତ ସତର୍କ ହୋଇପାରିବେ ଏବଂ ଆବଶ୍ୟକ ପଦକ୍ଷେପ ନେଇପାରିବେ।
ଜୁଲାଇ ୨୮ରେ ନୋଟିଫିକେସନ୍, ଅଗଷ୍ଟ ୭ରେ ଗେଜେଟ୍ ପ୍ରକାଶ
ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୨୮, ୨୦୨୬ରେ ନୋଟିଫିକେସନ୍ ଜାରି କରାଯାଇଥିଲା। ପରେ ଅଗଷ୍ଟ ୭, ୨୦୨୬ରେ ଏହା ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି।
ତେବେ ନୂଆ ବ୍ୟବସ୍ଥା ଲାଗୁ ହେବା ପାଇଁ ଯାନବାହନ ମାଲିକ ଓ ନିର୍ମାତାମାନଙ୍କୁ ପ୍ରସ୍ତୁତି ପାଇଁ ସମୟ ଦିଆଯାଇଛି। ୨୦୨୭ ଏପ୍ରିଲ୍ ୧ରୁ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ହେବ।
ରାସ୍ତା ସୁରକ୍ଷା ଓ ପ୍ରଦୂଷଣ ହ୍ରାସରେ ସହାୟକ ହେବ
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସ୍ତାରେ ଟିପର୍ ଓ ଡମ୍ପର୍ରୁ ସାମଗ୍ରୀ ଖସିବାକୁ ରୋକିବା ଏବଂ ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିବା। ଏହା ଲାଗୁ ପରେ ରାସ୍ତାରେ ଧୂଳି ଓ ମାଟି ପଡ଼ିବା କମିବା ସହ ଅନ୍ୟ ଯାନବାହନ ଚାଳକଙ୍କ ଦୃଶ୍ୟମାନତା ଓ ସୁରକ୍ଷାରେ ମଧ୍ୟ ସୁଧାର ଆସିପାରେ।
ଏହା ସହ ଖୋଲା ଡମ୍ପର୍ରୁ ଆସୁଥିବା ଧୂଳି, ଦୁର୍ଗନ୍ଧ ଓ ବାୟୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବାର ଆଶା ରହିଛି। ଫଳରେ ସହରାଞ୍ଚଳ ଓ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଞ୍ଚଳରେ ଯାତାୟାତ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ।
- Trending




