ରାଗିଂ କଲେ ଆଉ ନାହିଁ ରକ୍ଷା ! ଗଠନ ହେବ ସ୍ୱତନ୍ତ୍ର କମିଟି

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାନସିକ ସୁସ୍ଥତା ଏବଂ ନିରାପଦ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା ନେଇ ରାଜ୍ୟ ସରକାର ଆହୁରି କଡ଼ା ପଦକ୍ଷେପ ନେଇଛନ୍ତି। ବିଶେଷକରି ରାଗିଂକୁ ରୋକିବା ପାଇଁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ ବ୍ୟବସ୍ଥାକୁ ସୁଦୃଢ଼ ଓ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ ଏବଂ ଅନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖାଯାଇଛି। ବିଭାଗର ଯୁଗ୍ମ ସଚିବଙ୍କ ପକ୍ଷରୁ ଜାରି ଏହି ଚିଠିରେ ରାଗିଂ ନିରୋଧ ସମ୍ପର୍କିତ ସମସ୍ତ କମିଟି, ସ୍କ୍ୱାଡ୍ ଓ ମନିଟରିଂ ବ୍ୟବସ୍ଥାକୁ ତୁରନ୍ତ ସକ୍ରିୟ କରିବାକୁ କୁହାଯାଇଛି।

ଆଣ୍ଟି-ରାଗିଂ କମିଟି ହେବ ସକ୍ରିୟ

ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ କମିଟି, ଆଣ୍ଟି-ରାଗିଂ ସ୍କ୍ୱାଡ୍ ଏବଂ ମନିଟରିଂ ସେଲ୍ ଗଠନ ସହ ଏଗୁଡ଼ିକୁ ନିୟମିତ ଭାବେ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ରହିଛି। କେବଳ କାଗଜପତ୍ରରେ କମିଟି ଗଠନ କରି ରଖିବା ପରିବର୍ତ୍ତେ, ରାଗିଂର ଅଭିଯୋଗ ମିଳିଲେ ତୁରନ୍ତ ତଦନ୍ତ ଓ ପଦକ୍ଷେପ ନେବା ଭଳି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅନୁଷ୍ଠାନ ଗୁଡ଼ିକୁ କୁହାଯାଇଛି।

ବିଶେଷକରି ନୂଆ ଛାତ୍ରଛାତ୍ରୀ ଅନୁଷ୍ଠାନରେ ପ୍ରବେଶ କରିବା ସମୟରେ ରାଗିଂ ଘଟଣା ଯେପରି ନଘଟେ, ସେଥିପାଇଁ ସଚେତନତା, ନିରୀକ୍ଷଣ ଓ ଅଭିଯୋଗ ଗ୍ରହଣ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରାଯିବ।

ଯୌନ ଉତ୍ପୀଡ଼ନ ରୋକିବାକୁ ମଧ୍ୟ ପଦକ୍ଷେପ

ଛାତ୍ରଛାତ୍ରୀଙ୍କ ସୁରକ୍ଷା କେବଳ ରାଗିଂରେ ସୀମିତ ନରହି, ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗର ତୁରନ୍ତ ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରଚଳିତ ଆଇନ ଓ ନିୟମ ଅନୁସାରେ ଆଭ୍ୟନ୍ତରୀଣ କମିଟି ଗଠନ କିମ୍ବା ଆବଶ୍ୟକ ସ୍ଥଳେ ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ରହିଛି।

ଅର୍ଥାତ୍, ଛାତ୍ରୀ କିମ୍ବା ଛାତ୍ରଙ୍କ ସହ ଯୌନ ଉତ୍ପୀଡ଼ନ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରି ନିୟମ ଅନୁସାରେ ତଦନ୍ତ ଓ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।

ଅଭିଯୋଗର ତୁରନ୍ତ ସମାଧାନ

ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଗ୍ରିଭାନ୍ସ ରିଡ୍ରେସାଲ୍ କମିଟିକୁ ମଧ୍ୟ ସୁଦୃଢ଼ କରାଯିବ। ଏହା ସହିତ ଛାତ୍ର ସେବା କେନ୍ଦ୍ର ଏବଂ ମାନସିକ ସ୍ୱାସ୍ଥ୍ୟ ଓ କାଉନସେଲିଂ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି।

ଛାତ୍ରଛାତ୍ରୀ ଯେପରି ନିଜ ସମସ୍ୟା ବିଷୟରେ ନିର୍ଭୟରେ ଅଭିଯୋଗ କରିପାରିବେ ଏବଂ ସମୟୋଚିତ ଭାବେ ସହାୟତା ପାଇପାରିବେ, ସେଥିପାଇଁ ଅନୁଷ୍ଠାନଗୁଡ଼ିକରେ ଉପଯୁକ୍ତ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଖାଲି ପଦବୀ ଯୋଗୁ ଅସମ୍ପୂର୍ଣ୍ଣ କମିଟିର ପୁନର୍ଗଠନ

ବିଭିନ୍ନ କାରଣରୁ ଅନେକ ଅନୁଷ୍ଠାନରେ ଗଠିତ କମିଟିଗୁଡ଼ିକର କିଛି ପଦବୀ ଖାଲି ପଡ଼ିଥିବାରୁ ସେଗୁଡ଼ିକ ଅସମ୍ପୂର୍ଣ୍ଣ ରହିଛି। କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବଦଳି, ଅବସର କିମ୍ବା ଅନ୍ୟ କାରଣରୁ ପଦବୀ ଖାଲି ହୋଇଥିଲେ, ସେହି କମିଟିଗୁଡ଼ିକୁ ତୁରନ୍ତ ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ରହିଛି।

ଏହା ଫଳରେ ଆଣ୍ଟି-ରାଗିଂ କମିଟି, ସ୍କ୍ୱାଡ୍, ମନିଟରିଂ ସେଲ୍, ଗ୍ରିଭାନ୍ସ ରିଡ୍ରେସାଲ୍ କମିଟି ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ କମିଟିଗୁଡ଼ିକ କାର୍ଯ୍ୟକ୍ଷମ ଭାବେ କାମ କରିପାରିବେ।

୭ ଦିନ ମଧ୍ୟରେ ବ୍ୟବସ୍ଥା ସୁନିଶ୍ଚିତ

ଉଚ୍ଚଶିକ୍ଷା ବିଭାଗର ଚିଠି ପାଇବାର ୭ ଦିନ ମଧ୍ୟରେ ଏହି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ କିମ୍ବା ଅନୁଷ୍ଠାନର ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି।

ବିଶେଷକରି ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ କମିଟି, ଆଣ୍ଟି-ରାଗିଂ ସ୍କ୍ୱାଡ୍, ମନିଟରିଂ ସେଲ୍, ଆଭ୍ୟନ୍ତରୀଣ କମିଟି ଏବଂ ଗ୍ରିଭାନ୍ସ ରିଡ୍ରେସାଲ୍ ବ୍ୟବସ୍ଥାକୁ ପୂରାପୂରି ସକ୍ରିୟ କରିବା ଲକ୍ଷ୍ୟ ରହିଛି।

ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି—ଉଚ୍ଚଶିକ୍ଷାନୁଷ୍ଠାନରେ ରାଗିଂ, ଯୌନ ଉତ୍ପୀଡ଼ନ ଓ ଅନ୍ୟାନ୍ୟ ଛାତ୍ର ସୁରକ୍ଷା ସମ୍ପର୍କିତ ସମସ୍ୟାକୁ ରୋକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିରାପଦ, ସୁସ୍ଥ ଓ ଭୟମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା।