ଓଡ଼ିଶା ପାଇଁ ଗର୍ବ ! ଇଣ୍ଡିଆନ୍ ଆଇଡଲ୍–୧୬ ଟ୍ରଫି ଜିତିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ଭୁବନେଶ୍ୱରର ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ବିଜେତା ହୋଇ ଟ୍ରଫି ନିଜ ନାମରେ କରିଛନ୍ତି। ଜୁଲାଇ ୨୬ ତାରିଖରେ ଆୟୋଜିତ ଗ୍ରାଣ୍ଡ ଫିନାଲରେ ସେ ତନିଷ୍କ ଶୁକ୍ଲା, ଅଂଶିକା ଚୋଙ୍କର, ମନରାଜ ବୀର ସିଂହ, ମିସ୍କମ୍ ବୋସୁ ଏବଂ ସୁହୈଲ୍ ସୁଫିଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି।

ଟ୍ରଫି ସହିତ ଜ୍ୟୋତିର୍ମୟୀ ₹୨୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ବିଜୟ ସହ ସେ ଇଣ୍ଡିଆନ୍ ଆଇଡଲ୍ ଜିତିବାରେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏହା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ହୋଇଛି।

କିଏ ଏହି ଜ୍ୟୋତିର୍ମୟୀ ନାୟକ?

୨୫ ବର୍ଷୀୟା ଜ୍ୟୋତିର୍ମୟୀ ନାୟକ ଭୁବନେଶ୍ୱରର ବାସିନ୍ଦା। ତେବେ ଟେଲିଭିଜନରେ ‘ଇଣ୍ଡିଆନ୍ ଆଇଡଲ୍’ ମାଧ୍ୟମରେ ପରିଚିତ ହେବା ପୂର୍ବରୁ ସେ ଓଡ଼ିଶାର ଆଞ୍ଚଳିକ ସଙ୍ଗୀତ ଜଗତରେ ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ।

ଗୀତ ଗାଇବା ସହିତ ସେ ଜଣେ ମ୍ୟୁଜିକ୍ ଥେରାପିଷ୍ଟ ଭାବେ ମଧ୍ୟ କାମ କରିଛନ୍ତି। ସଙ୍ଗୀତ ମାଧ୍ୟମରେ ଲୋକଙ୍କ ମାନସିକ ଏବଂ ଭାବନାତ୍ମକ ସୁସ୍ଥତା ପାଇଁ ସେ କାର୍ଯ୍ୟ କରୁଥିଲେ।

ପରିବାର ଓ ସଙ୍ଗୀତ ଯାତ୍ରା

ଜ୍ୟୋତିର୍ମୟୀଙ୍କ ଜନ୍ମ ରାଉରକେଲାରେ। ସେ ଚକ୍ରଧର ନାୟକ ଓ ଗୌରୀ ନାୟକଙ୍କ କନ୍ୟା। ସଙ୍ଗୀତ ପ୍ରତି ତାଙ୍କ ବାପାଙ୍କର ବିଶେଷ ଆଗ୍ରହ ଥିଲା ଏବଂ ସେହି ଜ୍ୟୋତିର୍ମୟୀଙ୍କୁ ଛୋଟବେଳୁ ସଙ୍ଗୀତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ।

ସଙ୍ଗୀତ ତାଙ୍କ ଜୀବନର ଅଭିନ୍ନ ଅଂଶ। ସେ Deccan Chronicleକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରୁ ରାଉରକେଲାରେ ଗୁରୁ ବୁଦ୍ଧ ପ୍ରସାଦ ରାଓଙ୍କ ନିକଟରେ ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପରେ ଭୁବନେଶ୍ୱରକୁ ଆସି ଗୁରୁ ବାଳକୃଷ୍ଣ ଭୈରାଙ୍କ ନିକଟରେ ସେ ଶାସ୍ତ୍ରୀୟ ସଙ୍ଗୀତର ତାଲିମ ଜାରି ରଖିଥିଲେ।

ଏହାସହ ସେ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ନିକଟରେ ଲାଇଟ୍ ଭୋକାଲ୍ ମ୍ୟୁଜିକ୍, ବିଶେଷକରି ବଲିଉଡ୍ ଗୀତ ଗାୟନର ପ୍ରଶିକ୍ଷଣ ନେଇଥିଲେ। ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ୨୦୨୩ ମସିହାରେ ପରଲୋକ ଘଟିଥିଲେ ମଧ୍ୟ ତାଙ୍କ ଶିକ୍ଷା ଆଜି ବି ଜ୍ୟୋତିର୍ମୟୀଙ୍କୁ ପ୍ରେରଣା ଦେଉଛି।

ଜ୍ୟୋତିର୍ମୟୀ କହିଛନ୍ତି,”ମୋ ଗୁରୁ କେବଳ ଗୀତ ଗାଇବା ଶିଖାଇ ନଥିଲେ, ପ୍ରତ୍ୟେକ ଗୀତ ମାଧ୍ୟମରେ କିପରି ଭାବନାକୁ ପ୍ରକାଶ କରାଯାଏ, ସେଥି ମଧ୍ୟ ଶିଖାଇଥିଲେ। ତାଙ୍କ ଶିକ୍ଷା ମୋ କ୍ୟାରିୟରକୁ ଗଢ଼ି ତୋଳିବାରେ ବହୁତ ବଡ଼ ଭୂମିକା ନେଇଛି।”

ଶିକ୍ଷାଗତ ଯୋଗ୍ୟତା

ଜ୍ୟୋତିର୍ମୟୀ ଭୁବନେଶ୍ୱରସ୍ଥିତ କିଟ୍ (KIIT) ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ଡିଗ୍ରୀ ହାସଲ କରିବା ପରେ ଚେନ୍ନାଇ ସ୍କୁଲ୍ ଅଫ୍ ମ୍ୟୁଜିକ୍ ଥେରାପିରୁ ମ୍ୟୁଜିକ୍ ଥେରାପିରେ ସାର୍ଟିଫିକେସନ୍ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ।

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିବା ପରେ ଜ୍ୟୋତିର୍ମୟୀ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ କହିଛନ୍ତି ଯେ, ଦିନେ ନା ଦିନେ ସେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ ଗୀତ ଗାଇବାକୁ ଚାହାଁନ୍ତି।

ନିଜ ବିଜୟକୁ ନେଇ ସେ କହିଛନ୍ତି,”ଇଣ୍ଡିଆନ୍ ଆଇଡଲ୍ ଜିତିବା ମୋ ପାଇଁ ଏକ ସ୍ୱପ୍ନ ସାକାର ହେବା ଭଳି। ଏହି ମୁହୂର୍ତ୍ତକୁ ମୁଁ ସାରା ଜୀବନ ମନେ ରଖିବି।”