ବର୍ଷା ବିତ୍ପାତକୁ ନେଇ ହାଇ ଆଲର୍ଟ ! ସବୁ ଜିଲ୍ଲାକୁ ବଡ଼ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବର୍ଷାଜନିତ ପରିସ୍ଥିତି, ପ୍ରଶାସନର ପ୍ରସ୍ତୁତି ଏବଂ ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନକୁ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ନଦୀ କୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।

ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ପିଇବା ପାଣି, ଜରି ପାଲ, ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓଡ୍ରାଫ୍ (ODRAF), ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଜରୁରୀକାଳୀନ ଉଦ୍ଧାରକାରୀ ଟିମ୍‌ ଗୁଡ଼ିକୁ ଆଲର୍ଟ ରଖାଯାଇଛି।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ଉପରମୁଣ୍ଡ ଅଞ୍ଚଳରେ ବିଶେଷ ବର୍ଷା ନ ହେଉଥିବାରୁ ବଡ଼ ଧରଣର ନଦୀ ବନ୍ୟାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି। ତଥାପି ଅତ୍ୟଧିକ ବର୍ଷା ଯୋଗୁ ଫ୍ଲାସ୍ ଫ୍ଲଡ୍ କିମ୍ବା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ପ୍ରସ୍ତୁତ ରଖିବା ସହ ପୌର ସଂସ୍ଥା ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ଓ ଗ୍ରାମାଞ୍ଚଳରେ ଜଳ ଜମିଲେ ତୁରନ୍ତ ନିଷ୍କାସନ କରିବାକୁ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଏସ୍‌ଆର୍‌ସି (SRC) ଏବଂ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାପାଳମାନେ ଯୋଡ଼ି ହୋଇ ନିଜ ଜିଲ୍ଲାର ବର୍ତ୍ତମାନ ସ୍ଥିତି ଏବଂ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ, ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଲୋକଙ୍କୁ ମଧ୍ୟ ପ୍ରଶାସନର ପରାମର୍ଶ ମାନିବା, ଅନାବଶ୍ୟକ ଭାବେ ଜଳବନ୍ଦୀ କିମ୍ବା ବିପଦପୂର୍ଣ୍ଣ ଅଞ୍ଚଳକୁ ନ ଯିବା ଏବଂ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।