Blog
ବଡ଼ ବିମାନ ଦୁର୍ଘଟଣା ଟଳିଲା ! ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ମୁମ୍ବାଇରୁ ଦୁବାଇ ଯାଉଥିବା ଇଣ୍ଡିଗୋ ବିମାନର ଗୁଜରାଟର ରାଜକୋଟରେ ଜରୁରୀ ଅବତରଣ କରାଯାଇଛି। ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଚିହ୍ନଟ ହେବା ପରେ ଏହି ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି।
ଇଣ୍ଡିଗୋର 6E 1452 ବିମାନରେ ମୋଟ ୧୯୪ ଜଣ ଯାତ୍ରୀ ଥିଲେ। ବିମାନଟି ସୁରକ୍ଷିତ ଭାବେ ରାଜକୋଟ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା।
ବିମାନର କାର୍ଗୋ ହୋଲ୍ଡରୁ ଧୂଆଁ ବାହାରୁଥିବା ଚିହ୍ନଟ କରିବା ପରେ ପାଇଲଟ୍ ତୁରନ୍ତ ରାଜକୋଟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀ ସ୍ଥିତି (Full Emergency) ଘୋଷଣା କରାଯାଇଥିଲା।
ରାଜକୋଟ ବିମାନବନ୍ଦରର ନିର୍ଦ୍ଦେଶକ ଦିଗନ୍ତ ବୋରା କହିଛନ୍ତି, “ଦୁବାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନର କାର୍ଗୋ ହୋଲ୍ଡ ଅଞ୍ଚଳରେ ଧୂଆଁ ଚିହ୍ନଟ ହେବା ପରେ ଏହାକୁ ରାଜକୋଟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।”
ଇଣ୍ଡିଗୋ ବର୍ତ୍ତମାନ ଭାରତର ୮୦ରୁ ଅଧିକ ଘରୋଇ ଏବଂ ୩୦ରୁ ଅଧିକ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିମାନ ସେବା ପ୍ରଦାନ କରୁଛି। ସଂସ୍ଥା ଏୟାରବସ୍ A320 ଓ A321 ସିରିଜ୍ ସହ ATR 72-600 ଟର୍ବୋପ୍ରପ୍ ବିମାନ ପରିଚାଳନା କରୁଛି।
- Trending




