ଟିମ୍ ଇଣ୍ଡିଆରେ ନୂଆ ଚେହେରା ! ପ୍ରଥମଥର ସୁଯୋଗ ପାଇଲେ ସରାଂଶ ଜୈନ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଟିମରେ ଅନୁଭବୀ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତରୁ ସୁସ୍ଥ ହୋଇ ପୁଣିଥରେ ଦଳକୁ ଫେରିଥିବା ବେଳେ, ମଧ୍ୟପ୍ରଦେଶର ଯୁବ ସ୍ପିନ୍ ଅଲ୍‌ରାଉଣ୍ଡର ସରାଂଶ ଜୈନ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।

ଏହି ସିରିଜ୍‌ରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ଶୁଭମନ୍ ଗିଲ୍। କେଏଲ୍ ରାହୁଲ୍‌ଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ଟପ୍ ଅର୍ଡରରେ ଯଶସ୍ୱୀ ଜୟସ୍ୱାଲ୍, ସାଇ ସୁଦର୍ଶନ ଓ ଦେବଦତ୍ତ ପାଡିକଲ୍ ଥିବାବେଳେ, ୱିକେଟକିପର୍ ଭାବେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲ୍‌ଙ୍କୁ ସ୍ଥାନ ମିଳିଛି।

ରବୀନ୍ଦ୍ର ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳ ପାଇଁ ବଡ଼ ଶକ୍ତି ବୋଲି ଧରାଯାଉଛି। ଶ୍ରୀଲଙ୍କାର ସ୍ପିନ୍ ସହାୟକ ପିଚ୍‌ରେ ଜାଡେଜାଙ୍କ ବୋଲିଂ ଓ ବ୍ୟାଟିଂ ଅଭିଜ୍ଞତା ଦଳକୁ ଫାଇଦା ହୋଇପାରେ। ଏହାସହ କୁଲଦୀପ ଯାଦବ ଓ ମାନବ ସୁଥାରଙ୍କ ସହ ସ୍ପିନ୍ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରାଯାଇଛି।

ଅନ୍ୟପଟେ, ୱାଶିଂଟନ୍ ସୁନ୍ଦର ଆହତ ଥିବାରୁ ତାଙ୍କ ସ୍ଥାନରେ ସରାଂଶ ଜୈନଙ୍କୁ ଦଳରେ ସୁଯୋଗ ମିଳିଛି। ଘରୋଇ କ୍ରିକେଟ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସରାଂଶଙ୍କ ପାଇଁ ଏହା ଜାତୀୟ ଦଳରେ ନିଜ ପ୍ରତିଭା ଦେଖାଇବାର ପ୍ରଥମ ସୁଯୋଗ ହେବ।

ଦ୍ରୁତ ବୋଲିଂ ବିଭାଗରେ ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣା ଓ ଗୁରନୂର ବ୍ରାର୍‌ଙ୍କୁ ସ୍ଥାନ ମିଳିଛି। ତେବେ ସାଇ ସୁଦର୍ଶନ ଓ ଜସପ୍ରୀତ ବୁମ୍ରାଙ୍କ ଖେଳିବା ନେଇ ଶେଷ ନିଷ୍ପତ୍ତି ଫିଟନେସ୍ କ୍ଲିୟରାନ୍ସ ପରେ ନିଆଯିବ ବୋଲି BCCI ସୂଚନା ଦେଇଛି।

ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ୭ ଅଗଷ୍ଟରୁ କଲମ୍ବୋରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ଅଭ୍ୟାସ ମ୍ୟାଚ୍ ମାଧ୍ୟମରେ ଖେଳାଳିମାନେ ଶ୍ରୀଲଙ୍କାର ପିଚ୍ ଓ ପରିବେଶ ସହ ନିଜକୁ ଖାପ ଖୁଆଇବାର ସୁଯୋଗ ପାଇବେ।

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ୧୫ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଗାଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ କଲମ୍ବୋରେ ଅନୁଷ୍ଠିତ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ଦୃଷ୍ଟିରୁ ଏହି ସିରିଜ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ଟିମ ଇଣ୍ଡିଆ:

ଶୁଭମନ୍ ଗିଲ୍ (ଅଧିନାୟକ), କେଏଲ୍ ରାହୁଲ୍ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍, ଋଷଭ ପନ୍ତ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର୍, ଦେବଦତ୍ତ ପାଡିକଲ୍ ଓ ସରାଂଶ ଜୈନ।