Blog
ପର୍ବତ ଜିତିଥିବା ବୀରଙ୍କୁ ହରାଇଦେଲା ହିମସ୍ଖଳନ ! ଆଉ ନାହାନ୍ତି ‘ନିମ୍ସଦାଇ’ ପୁର୍ଜା
ବିଶ୍ୱ ପର୍ବତାରୋହଣ ଜଗତ ପାଇଁ ଏକ ଦୁଃଖଦ ଖବର । ବିଶ୍ୱପ୍ରସିଦ୍ଧ ପର୍ବତାରୋହୀ ନିର୍ମଳ ‘ନିମ୍ସଦାଇ’ ପୁର୍ଜା ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଅଞ୍ଚଳର ବ୍ରଡ୍ ପିକ୍ ପର୍ବତରେ ହିମସ୍ଖଳନରେ ପ୍ରାଣ ହରାଇଛନ୍ତି। ଏହି ସୂଚନା ତାଙ୍କ ଅଭିଯାନ ସଂସ୍ଥା Elite Exped ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଦିଆଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ବ୍ରଡ୍ ପିକ୍ରେ ହିମସ୍ଖଳନ ଘଟିବା ପରେ ନିର୍ମଳ ପୁର୍ଜାଙ୍କ ସମେତ ମୋଟ ୬ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ। ବ୍ୟାପକ ଖୋଜାଖୋଜି ପରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
Elite Exped ପକ୍ଷରୁ କୁହାଯାଇଛି ଯେ, “ଅତ୍ୟନ୍ତ ଦୁଃଖ ଓ ହୃଦୟବିଦାରକ ମନରେ ଆମେ ସୂଚନା ଦେଉଛୁ ଯେ, ନିର୍ମଳ ‘ନିମ୍ସଦାଇ’ ପୁର୍ଜା ବ୍ରଡ୍ ପିକ୍ରେ ଘଟିଥିବା ହିମସ୍ଖଳନରେ ପ୍ରାଣ ହରାଇଛନ୍ତି। ତାଙ୍କ ସହ ଅଭିଯାନରେ ସାମିଲ ଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ବଞ୍ଚି ପାରିନାହାନ୍ତି।”
ଏହି ଦୁର୍ଘଟଣାରେ ନିର୍ମଳ ପୁର୍ଜାଙ୍କ ବିଶ୍ୱସ୍ତ ସହଯୋଗୀ ଓ ଗାଇଡ୍ ପୁର ବାହାଦୁର ଗୁରୁଙ୍ଗ (ୟୁକ୍ତା) ଏବଂ ନିମା ଶେର୍ପାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସଂସ୍ଥା ପକ୍ଷରୁ ସମସ୍ତ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଛି ।
ବ୍ରଡ୍ ପିକ୍ ବିଶ୍ୱର ଦ୍ୱାଦଶ ସର୍ବୋଚ୍ଚ ପର୍ବତ। ଏହା କାରାକୋରମ ପର୍ବତମାଳାରେ ଅବସ୍ଥିତ ଏବଂ ପାକିସ୍ତାନର ଗିଲଗିଟ୍-ବାଲ୍ଟିସ୍ତାନ ଓ ଚୀନର ସିନଜିଆଙ୍ଗ ସୀମାକୁ ସ୍ପର୍ଶ କରିଛି। ପ୍ରସିଦ୍ଧ K2 ପର୍ବତର ନିକଟବର୍ତ୍ତୀ ଏହି ଶିଖରର ପଶ୍ଚିମ ରିଜ୍ ମାର୍ଗରେ ପ୍ରାୟ ୨୧,୬୦୦ରୁ ୨୧,୮୫୦ ଫୁଟ୍ ଉଚ୍ଚତାରେ ହିମସ୍ଖଳନ ଘଟିଥିଲା।
ନିର୍ମଳ ପୁର୍ଜା କେବଳ ଜଣେ ପର୍ବତାରୋହୀ ନୁହେଁ, ସେ ବ୍ରିଟେନର Brigade of Gurkhas ଏବଂ Royal Marines Special Boat Service (SBS)ର ପୂର୍ବତନ ସଦସ୍ୟ ଥିଲେ। ସେ ପୂର୍ଣ୍ଣକାଳୀନ ପର୍ବତାରୋହୀ ଭାବେ ଅନେକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।
୨୦୧୯ ମସିହାରେ ସେ ‘Project Possible’ ଅଭିଯାନ ଅଧୀନରେ ମାତ୍ର ୬ ମାସ ୬ ଦିନ ମଧ୍ୟରେ ପୃଥିବୀର ସମସ୍ତ ୧୪ଟି ୮,୦୦୦ ମିଟରରୁ ଅଧିକ ଉଚ୍ଚ ପର୍ବତ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ଏହି କୀର୍ତ୍ତି ତାଙ୍କୁ ବିଶ୍ୱ ପର୍ବତାରୋହଣ ଜଗତରେ ଅଦ୍ୱିତୀୟ ପରିଚୟ ଦେଇଥିଲା।
୨୦୨୧ ମସିହାରେ ସେ ୧୦ ଜଣ ନେପାଳୀ ପର୍ବତାରୋହୀଙ୍କ ଟିମ ସହ ମିଶି ଶୀତ ଋତୁରେ ପ୍ରଥମ ଥର ପାଇଁ K2 ଶିଖର ଆରୋହଣ କରି ଆଉ ଏକ ଐତିହାସିକ ସଫଳତା ହାସଲ କରିଥିଲେ।
ତାଙ୍କ ଜୀବନୀ ଓ ସଂଘର୍ଷ ଉପରେ ଆଧାରିତ Netflixର ଡକ୍ୟୁମେଣ୍ଟାରି “14 Peaks: Nothing Is Impossible” ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଥିଲା। ଏହି ଡକ୍ୟୁମେଣ୍ଟାରି ମାଧ୍ୟମରେ ନିର୍ମଳ ପୁର୍ଜା ଆଧୁନିକ ପର୍ବତାରୋହଣର ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଭାବେ ପରିଚିତ ହୋଇଥିଲେ।
ନିର୍ମଳ ପୁର୍ଜାଙ୍କ ମୃତ୍ୟୁ ସହ ବିଶ୍ୱ ପର୍ବତାରୋହଣ ଜଗତ ଜଣେ ସାହସୀ, ଦୂରଦର୍ଶୀ ଓ ଅଦମ୍ୟ ଯୋଦ୍ଧାଙ୍କୁ ହରାଇଛି। ତାଙ୍କ ଅସାଧାରଣ କୀର୍ତ୍ତି ଓ ପ୍ରେରଣାଦାୟକ ଜୀବନ ସବୁବେଳେ ଆଗାମୀ ପିଢ଼ିର ପର୍ବତାରୋହୀମାନଙ୍କୁ ପ୍ରେରଣା ଦେଇ ଚାଲିବ।
- Trending




