Blog
ସତର୍କ ରୁହନ୍ତୁ ଓଡ଼ିଶାବାସୀ ! ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ଆଜି ଓ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟ ପାଇଁ ସତର୍କତା ଜାରି କରାଯାଇଛି। ବର୍ଷା ସହ ଘଡ଼ଘଡ଼ି, ବିଜୁଳି ଏବଂ ଝଟକା ପବନର ସମ୍ଭାବନା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଜି ପାଇଁ ପାଣିପାଗ ବିଭାଗ ରାଜ୍ୟର ୩୦ଟି ଜିଲ୍ଲାକୁ ସତର୍କ କରିଛି। ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟ ୨୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ନିମ୍ନାଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ପାଣି ଜମିବା ଏବଂ ଛୋଟ ନଦୀ-ନାଳରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଏହାସହ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତାରେ ପାଣି ଜମିବା ଏବଂ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ବାକି ଜିଲ୍ଲା ଗୁଡ଼ିକର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ମଧ୍ୟ ବର୍ଷାର ପ୍ରକୋପ ଜାରି ରହିବ। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ପୁଣିଥରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଅବଶିଷ୍ଟ ୨୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ବଳବତ୍ତର ରହିଛି। ଲଗାଣ ବର୍ଷା ଯୋଗୁ ଚାଷଜମିରେ ପାଣି ଜମିବା, ନଦୀ ଓ ନାଳର ଜଳସ୍ତର ବଢ଼ିବା ସହ କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ପାଣିପାଗ ବିଭାଗ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନ ଯିବା, ବଜ୍ରପାତ ସମୟରେ ଖୋଲା ସ୍ଥାନ, ବଡ଼ ଗଛ ତଳେ କିମ୍ବା ଜଳାଶୟ ନିକଟରେ ଆଶ୍ରୟ ନ ନେବାକୁ ପରାମର୍ଶ ଦେଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।
- Trending




