୧୩ ବର୍ଷ ପୁରୁଣା ମାମଲାରେ ବଡ଼ ରାୟ ! ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ୍

ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ୨୦୧୩ ମସିହାରେ ତାଙ୍କ ଜଣେ କନିଷ୍ଠ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ଦିଆଯାଇଛି। ଗୋଆରେ ଥିବା ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଗୁରୁବାର ୨୦୨୧ ମସିହାରେ ଟ୍ରାଏଲ କୋର୍ଟ ଦ୍ୱାରା ଦିଆଯାଇଥିବା ତାଙ୍କ ଖଲାସ ରାୟକୁ ବାତିଲ କରି ତେଜପାଲଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ଘୋଷଣା କରିଛନ୍ତି।

ହାଇକୋର୍ଟ ତରୁଣ ତେଜପାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପରେ ତେଜପାଲ କୋର୍ଟରେ କହିଥିଲେ ଯେ, ସେ “ରାଜନୀତିର ଶିକାର” ହୋଇଛନ୍ତି ଏବଂ ସେ ସୁପ୍ରିମକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ।

ଏହି ମାମଲା ୨୦୧୩ ନଭେମ୍ବରରେ ଗୋଆରେ ଆୟୋଜିତ ଥିଙ୍କଫେଷ୍ଟ କାର୍ଯ୍ୟକ୍ରମ ସମୟରେ ଜଣେ ପୂର୍ବତନ କନିଷ୍ଠ ମହିଳା ସହକର୍ମୀଙ୍କ ଅଭିଯୋଗ ସହ ଜଡିତ। ଅଭିଯୋଗ ଅନୁଯାୟୀ, ହୋଟେଲର ଏକ ଲିଫ୍ଟ ଭିତରେ ତେଜପାଳ ତାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରିଥିଲେ।

ଏହି ମାମଲାର ଶୁଣାଣି ୨୦୧୭ ମସିହାରେ ମାପୁସା ଟ୍ରାଏଲ କୋର୍ଟରେ ଆରମ୍ଭ ହୋଇଥିଲା। ୨୦୨୧ରେ ଟ୍ରାଏଲ କୋର୍ଟ ତେଜପାଲଙ୍କୁ ଖଲାସ କରିଥିଲେ। ଏହା ପରେ ଗୋଆ ସରକାର ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ।

ନ୍ୟାୟମୂର୍ତ୍ତି ଡଃ ନୀଳା ଗୋଖଲେ ଏବଂ ଅମିତ ଜାମସାଣ୍ଡେକରଙ୍କ ଦ୍ୱାରା ଗଠିତ ଡିଭିଜନ ବେଞ୍ଚ ଉଭୟ ପକ୍ଷର ବିସ୍ତୃତ ଯୁକ୍ତି ଶୁଣିବା ପରେ ଏହି ରାୟ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିବା ବେଳେ, ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆବାଦ ପୋଣ୍ଡା ମାମଲା ପରିଚାଳନା କରିଥିଲେ।

ରାଜ୍ୟ ସରକାରଙ୍କ ଅପିଲ ଉପରେ ଶୁଣାଣି ସମୟରେ ତୁଷାର ମେହେଟ୍ଟା କହିଥିଲେ ଯେ, ଟ୍ରାଏଲ କୋର୍ଟ ଯୌନ ନିର୍ଯାତନା ପୀଡ଼ିତା କିପରି ବ୍ୟବହାର କରିବା ଉଚିତ ସେନେଇ ପୂର୍ବଧାରଣା ଆଧାରରେ ତାଙ୍କ ଆଚରଣକୁ ବିଚାର କରି ଗୁରୁତର ତ୍ରୁଟି କରିଛନ୍ତି।

୨୦୨୧ର ଖଲାସ ରାୟରେ ଟ୍ରାଏଲ କୋର୍ଟ କହିଥିଲେ ଯେ, ଅଭିଯୋଗକାରିଣୀ ଯୌନ ନିର୍ଯାତନାର ଜଣେ ପୀଡ଼ିତାଙ୍କଠାରୁ ଆଶା କରାଯାଉଥିବା “ସାଧାରଣ ବ୍ୟବହାର” ପ୍ରଦର୍ଶନ କରିନଥିଲେ।

ଏହାର ଜବାବରେ ତୁଷାର ମେହେଟ୍ଟା କହିଥିଲେ ଯେ, ଯୌନ ନିର୍ଯାତନାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିକ୍ରିୟା ସମାନ ହୋଇନଥାଏ। ଶିକ୍ଷା, ବ୍ୟକ୍ତିତ୍ୱ, ସାମାଜିକ ପୃଷ୍ଠଭୂମି ଓ ପରିସ୍ଥିତି ଅନୁଯାୟୀ ସେମାନଙ୍କ ଆଚରଣ ଭିନ୍ନ ହୋଇପାରେ।

ହାଇକୋର୍ଟ ଟ୍ରାଏଲ କୋର୍ଟର ଏହି ମତକୁ ଖାରଜ କରି କହିଛନ୍ତି ଯେ, ନିମ୍ନ ଅଦାଲତ “ଆଦର୍ଶ ପୀଡ଼ିତା” କିପରି ଶାରୀରିକ ପ୍ରତିରୋଧ କରିବେ କିମ୍ବା ଭାବପ୍ରବଣ ପ୍ରତିକ୍ରିୟା ଦେବେ, ସେହି ରୂଢ଼ିବାଦୀ ଧାରଣା ଆଧାରରେ ରାୟ ଦେଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଭିଯୋଗକାରିଣୀଙ୍କ ହସୁଥିବା ଆଚରଣକୁ ମଧ୍ୟ ତାଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା।

ଦୋଷୀ ସାବ୍ୟସ୍ତ ହେବା ପରେ ତୁଷାର ମେହେଟ୍ଟା ତେଜପାଲଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ସେ କହିଥିଲେ, “ପୀଡ଼ିତା ତାଙ୍କ ଝିଅର ବୟସର ଥିଲେ। ସେ ତାଙ୍କ ପାଇଁ ବାପା ସଦୃଶ ବ୍ୟକ୍ତି ଥିଲେ, ତଥାପି ସେ ଏଭଳି ଅପରାଧ କରିଛନ୍ତି। ସମାଜକୁ ସ୍ପଷ୍ଟ ସନ୍ଦେଶ ଯିବା ଉଚିତ ଯେ, ଜଣେ ଝିଅ ‘ନା’ କହିଲେ, ତାହାର ଅର୍ଥ ‘ନା’।”

ଅନ୍ୟପକ୍ଷରେ, ଦୋଷୀ ସାବ୍ୟସ୍ତ ହେବା ପରେ ତେଜପାଲ କୋର୍ଟଙ୍କୁ କୋହଳ ଦେଖାଇବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ମୋ ବୟସ ୬୨ ବର୍ଷ। ମୁଁ ନିଜକୁ ଏହି ମାମଲାର ଶିକାର ବୋଲି ମନେ କରେ। ମୋର ସ୍ତ୍ରୀ ଅଛନ୍ତି। ମୁଁ ସୁପ୍ରିମକୋର୍ଟରେ ଅପିଲ କରିବି। ଦୟାକରି ମୋ ପ୍ରତି କୋହଳ ପ୍ରଦର୍ଶନ କରନ୍ତୁ। ଅନ୍ୟ ସମସ୍ତ ତଥ୍ୟ ରେକର୍ଡରେ ରହିଛି।”