Blog
ଋଣଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ! ରାତିରେ କଲ୍ କିମ୍ବା ଧମକ ଦେଇପାରିବେ ନାହିଁ ରିକଭରି ଏଜେଣ୍ଟ
EMI ବାକି ପଡ଼ିଯିବା ଯେକୌଣସି ଋଣଗ୍ରାହକଙ୍କ ପାଇଁ ଚିନ୍ତାର କାରଣ। କିନ୍ତୁ ଅନେକ ସମୟରେ ପ୍ରକୃତ ସମସ୍ୟା ତା’ପରେ ଆରମ୍ଭ ହୁଏ। ବାରମ୍ବାର ଫୋନ୍ କଲ୍, ରିକଭରି ଏଜେଣ୍ଟଙ୍କ ଘର କିମ୍ବା କାର୍ଯ୍ୟସ୍ଥଳକୁ ଯିବା ଭଳି ଘଟଣା ଋଣଗ୍ରାହକଙ୍କୁ ମାନସିକ ଚାପରେ ପକାଇଥାଏ।
ଏହାକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଋଣ ଆଦାୟ ପ୍ରକ୍ରିୟା ପାଇଁ ଏକ ନୂଆ ନିୟମାବଳୀ ଜାରି କରିଛି। ଏହି ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଓ ଅନ୍ୟାନ୍ୟ ନିୟନ୍ତ୍ରିତ ଋଣଦାତା ସଂସ୍ଥାମାନଙ୍କୁ ଋଣଗ୍ରାହକଙ୍କ ସହ କେମିତି, କେବେ ଏବଂ କେଉଁ ପ୍ରକାରରେ ଯୋଗାଯୋଗ କରିବେ, ସେଥିପାଇଁ କଡ଼ା ନିୟମ ମାନିବାକୁ ପଡ଼ିବ। ଏହି ନିୟମ ୧ ଜାନୁଆରୀ ୨୦୨୭ ଠାରୁ କାର୍ଯ୍ୟକାରୀ ହେବ।
ଏଥିସହ ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି, ଋଣରେ କିଣାଯାଇଥିବା ସ୍ମାର୍ଟଫୋନ୍, ଟ୍ୟାବଲେଟ୍ ଓ ଲାପଟପ୍କୁ ରିମୋଟ୍ ଭାବେ ଲକ୍ କରିବା ପ୍ରକ୍ରିୟାକୁ ମଧ୍ୟ RBI ପ୍ରଥମ ଥର ପାଇଁ ନିୟମିତ ଢାଞ୍ଚା ମଧ୍ୟରେ ଆଣିଛି।
ରାତିରେ କିମ୍ବା ଯେକୌଣସି ସମୟରେ ଆଉ ହେବ ନାହିଁ ରିକଭରି କଲ୍
ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କ ଓ ରିକଭରି ଏଜେଣ୍ଟମାନେ ସାଧାରଣତଃ ସକାଳ ୮ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଋଣଗ୍ରାହକଙ୍କ ସହ ଯୋଗାଯୋଗ କରିପାରିବେ।
ଏହି ସମୟ ବାହାରେ କେବଳ ସେତେବେଳେ ଫୋନ୍ କିମ୍ବା ସାକ୍ଷାତ୍ କରିପାରିବେ, ଯଦି ଋଣଗ୍ରାହକ ସ୍ୱୟଂ ଏହା ପାଇଁ ଅନୁମତି ଦେଇଥିବେ।
ଏହା ସହିତ ଶୋକାକୁଳ ପରିସ୍ଥିତି, ଚିକିତ୍ସାଜନିତ ଜରୁରୀକାଳୀନ ସମୟ କିମ୍ବା ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମ ସମୟରେ ଋଣଗ୍ରାହକଙ୍କୁ ବିରକ୍ତ କରିବାକୁ ମଧ୍ୟ ବାରଣ କରାଯାଇଛି।
ଧମକ, ଅପମାନ କିମ୍ବା ସୋସିଆଲ ମିଡିଆରେ ବଦନାମ କରିବା ନିଷେଧ
RBI ସ୍ପଷ୍ଟ କରିଛି ଯେ, ରିକଭରି ଏଜେଣ୍ଟମାନେ—
- ଧମକପୂର୍ଣ୍ଣ କିମ୍ବା ଅଶାଳୀନ ଭାଷା ବ୍ୟବହାର କରିପାରିବେ ନାହିଁ।
- ବାରମ୍ବାର ଫୋନ୍ କରି ହଇରାଣ କରିପାରିବେ ନାହିଁ।
- ପରିବାର, ସମ୍ପତ୍ତି କିମ୍ବା ସାମାଜିକ ସମ୍ମାନକୁ ନେଇ ଧମକ ଦେଇପାରିବେ ନାହିଁ।
- ସୋସିଆଲ ମିଡିଆରେ ଋଣଗ୍ରାହକଙ୍କ ଫଟୋ, ଭିଡିଓ, ଅଡିଓ କିମ୍ବା ବ୍ୟକ୍ତିଗତ ସୂଚନା ପୋଷ୍ଟ କରି ସାର୍ବଜନୀନ ଭାବେ ଅପମାନ କରିପାରିବେ ନାହିଁ।
- ହଠାତ୍ ଘରକୁ ଆସିପାରିବେ ନାହିଁ ରିକଭରି ଏଜେଣ୍ଟ
ରିକଭରି ଏଜେଣ୍ଟ ପ୍ରଥମ ଥର ପାଇଁ ଘରକୁ କିମ୍ବା ସାକ୍ଷାତ୍ କରିବାକୁ ଯିବା ପୂର୍ବରୁ ଅତି କମରେ ଗୋଟିଏ ଦିନ ପୂର୍ବରୁ ଋଣଗ୍ରାହକଙ୍କୁ ସୂଚନା ଦେବା ଆବଶ୍ୟକ।
ବ୍ୟାଙ୍କକୁ ଏହା ମଧ୍ୟ ଜଣାଇବାକୁ ପଡ଼ିବ ଯେ କେଉଁ ରିକଭରି ଏଜେନ୍ସିକୁ ମାମଲା ଦିଆଯାଇଛି।
ରିକଭରି ଏଜେଣ୍ଟ ଯେତେବେଳେ ସାକ୍ଷାତ୍ କରିବେ, ସେମାନଙ୍କ ପାଖରେ—
ପରିଚୟ ପତ୍ର (ID Card)
ଅନୁମତିପତ୍ର (Authorisation Letter)
ସମ୍ବନ୍ଧିତ ନୋଟିସ୍ ଥିବା ଆବଶ୍ୟକ। ଏହି ଅନୁମତିପତ୍ରରେ ବ୍ୟାଙ୍କର ଗ୍ରିଭାନ୍ସ ଅଫିସରଙ୍କ ଯୋଗାଯୋଗ ବିବରଣୀ ମଧ୍ୟ ଥିବ।
ପ୍ରତ୍ୟେକ ରିକଭରି କଲ୍ର ରେକର୍ଡ ରଖିବା ବାଧ୍ୟତାମୂଳକ
ନୂଆ ନିୟମ ଅନୁଯାୟୀ ବ୍ୟାଙ୍କମାନେ—
ରିକଭରି କଲ୍ର ରେକର୍ଡିଂ କରିବେ।
କେତେବେଳେ ଓ କେତେଥର ଫୋନ୍ କରାଯାଇଛି ତାହାର ରେକର୍ଡ ରଖିବେ।
ଏହି ସମସ୍ତ ତଥ୍ୟ ସାଧାରଣତଃ ଅତି କମରେ ୬ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବେ।
ଯଦି କୌଣସି ଋଣଗ୍ରାହକ ରିକଭରି ଏଜେଣ୍ଟଙ୍କ ଆଚରଣ ନେଇ ଅଭିଯୋଗ କରନ୍ତି, ତେବେ ବ୍ୟାଙ୍କ ଦାୟିତ୍ୱ ଏଡ଼ାଇ ପାରିବ ନାହିଁ। ଆଉଟସୋର୍ସ କରାଯାଇଥିଲେ ମଧ୍ୟ ଶେଷ ଦାୟିତ୍ୱ ବ୍ୟାଙ୍କର ହେବ।
ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଗୁରୁତ୍ୱ
RBI କହିଛି, ରିକଭରି ଏଜେଣ୍ଟମାନଙ୍କୁ କେବଳ ଆବଶ୍ୟକୀୟ ସୂଚନା ମାତ୍ର ଦିଆଯିବ।
ବ୍ୟାଙ୍କମାନେ ଏପରି ବ୍ୟବସ୍ଥା କରିବେ ଯାହାଦ୍ୱାରା ଋଣଗ୍ରାହକଙ୍କ ବ୍ୟକ୍ତିଗତ ସୂଚନାର ଦୁର୍ବ୍ୟବହାର ହେବ ନାହିଁ।
EMI ବାକି ପଡ଼ିଲେ ବ୍ୟାଙ୍କ କି ଫୋନ୍ ଲକ୍ କରିପାରିବ?
ହଁ, କିନ୍ତୁ ସଙ୍ଗେସଙ୍ଗେ ନୁହେଁ।
RBI ସ୍ପଷ୍ଟ କରିଛି—
- ଏହି ନିୟମ କେବଳ ସେହି ସ୍ମାର୍ଟଫୋନ୍, ଟ୍ୟାବଲେଟ୍ କିମ୍ବା ଲାପଟପ୍ ପାଇଁ ପ୍ରଯୁଜ୍ୟ, ଯାହାକୁ କିଣିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ଋଣ ନିଆଯାଇଥାଏ।
- ସାଧାରଣ ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ଫୋନ୍କୁ ରିମୋଟ୍ ଭାବେ ଲକ୍ କରାଯାଇପାରିବ ନାହିଁ।
- EMI ବାକି ପଡ଼ିବା ପରେ କମରେ ୩୦ ଦିନ ବିତିଲେ ମାତ୍ର ଆଂଶିକ ରିମୋଟ୍ ନିୟନ୍ତ୍ରଣ ଲାଗୁ କରାଯାଇପାରିବ।
- ୬୦ ଦିନ ବାକି ରହିଲେ ପୂର୍ଣ୍ଣ ରିମୋଟ୍ ରେଷ୍ଟ୍ରିକ୍ସନ୍ ଲାଗୁ କରାଯାଇପାରିବ।
ତେବେ ଏହି ସ୍ଥିତିରେ ମଧ୍ୟ—
ଇନକମିଂ କଲ୍, SMS, ଜରୁରୀକାଳୀନ ସେବା,କାର୍ଯ୍ୟ କିମ୍ବା ରୋଜଗାର ପାଇଁ ଆବଶ୍ୟକୀୟ ସୁବିଧା
ଚାଲୁ ରହିବ।
ବ୍ୟାଙ୍କ କିମ୍ବା ଋଣଦାତା ଆପଣଙ୍କ—
କଣ୍ଟାକ୍ଟ
ଫଟୋ
ଭିଡିଓ
କଲ୍ ଲଗ୍
SMS
ଲୋକେସନ୍ ହିଷ୍ଟ୍ରି ଭଳି ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ ନାହିଁ।
ବକେୟା ପୈଠ ପରେ କେତେ ଶୀଘ୍ର ଫୋନ୍ ଅନଲକ୍ ହେବ?
ଋଣଗ୍ରାହକ ବକେୟା ରାଶି ପୈଠ କରିବା କିମ୍ବା ଋଣ ନିୟମିତ କରିବା ପରେ ସାଧାରଣତଃ ୧ ଘଣ୍ଟା ମଧ୍ୟରେ ଡିଭାଇସ୍କୁ ପୁଣି ସକ୍ରିୟ କରିବାକୁ ପଡ଼ିବ।
ଯଦି ଋଣଦାତା ଏହା କରିବାରେ ବିଳମ୍ବ କରନ୍ତି, ତେବେ ପ୍ରତି ଘଣ୍ଟା ବିଳମ୍ବ ପାଇଁ ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିପାରେ। ତେବେ ଏହି କ୍ଷତିପୂରଣର ସର୍ବାଧିକ ସୀମା ବକେୟା ଋଣ ରାଶି ସହ ଜଡ଼ିତ ରହିବ।
ଋଣ ଚୁକ୍ତି କରିବା ପୂର୍ବରୁ ଋଣଗ୍ରାହକଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ ଯେ ଭବିଷ୍ୟତରେ ରିମୋଟ୍ ରେଷ୍ଟ୍ରିକ୍ସନ୍ ଲାଗୁ ହୋଇପାରେ। ଏହି ସର୍ତ୍ତକୁ ଲମ୍ବା ଚୁକ୍ତିପତ୍ର ଭିତରେ ଲୁଚାଇ ରଖାଯିବ ନାହିଁ।
- Trending




