Blog
ସୁରକ୍ଷାକର୍ମୀର ସାଂଘାତିକ କାଣ୍ଡ ! ୨୩ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଗୁଜରାଟର ଅହମଦାବାଦରେ ଜଣେ ୨୩ ବର୍ଷୀୟା ଇଣ୍ଟେରିୟର ଡିଜାଇନ୍ ଛାତ୍ରୀଙ୍କୁ ଛାତ ଉପରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ଏକ ଆବାସିକ ସୋସାଇଟିର ସୁରକ୍ଷାକର୍ମୀ ଧରମ ସିଂହଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ମାତ୍ର ୪ ଦିନ ପୂର୍ବରୁ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ କରାଯାଇଥିଲା।
ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୨୨ରେ ଧରମ ସିଂହ ଲିଫ୍ଟରେ ପଞ୍ଚମ ମହଲାକୁ ଯାଇଥିଲେ। ସେଠାରୁ ସିଡ଼ି ଦେଇ ଛାତ ଉପରକୁ ଯାଇଥିଲେ। ପ୍ରାୟ ୯୦ ମିନିଟ୍ ପରେ ସେ ବିଲ୍ଡିଂରୁ ବାହାରୁଥିବା CCTV ଫୁଟେଜ୍ରେ ଦେଖାଯାଇଥିଲେ।
ଅଭିଯୋଗ ଅନୁସାରେ, ଛାତ ଉପରେ ଫୋନ୍ରେ କଥା ହେଉଥିବା ଛାତ୍ରୀଙ୍କ ନିକଟକୁ ସିଂହ ଯାଇଥିଲେ। ପରେ ତାଙ୍କୁ ଧରି ଯୌନ ସମ୍ପର୍କ ପାଇଁ ଦାବି କରିଥିଲେ। ଛାତ୍ରୀ ମନା କରିବା ପରେ ତାଙ୍କୁ ଆକ୍ରମଣ କରିବା ସହ ବେକରେ ତାର ବାନ୍ଧି ଦୁଷ୍କର୍ମ କରିଥିବା ପୁଲିସରେ ଅଭିଯୋଗ ହୋଇଛି।
ଘଟଣା ପରେ ଅଭିଯୁକ୍ତ ଛାତ୍ରୀଙ୍କ ମୋବାଇଲ୍ ନେଇ ତାଙ୍କୁ ଛାତ ଉପରେ ତାଲା ପକାଇ ଫେରାର ହୋଇଯାଇଥିଲା । ଛାତ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ।
CCTV ଫୁଟେଜ୍ରୁ ଧରାପଡ଼ିଲା ଅଭିଯୁକ୍ତ
ଘଟଣା ପରେ ପୁଲିସ, ସ୍ଥାନୀୟ କ୍ରାଇମ୍ ବ୍ରାଞ୍ଚ ଓ ଅନ୍ୟ ଅଧିକାରୀଙ୍କୁ ନେଇ ୧୦ଟି ଟିମ୍ ଗଠନ କରାଯାଇଥିଲା। CCTV ଫୁଟେଜ୍ ଯାଞ୍ଚ ସହ ବ୍ୟାପକ ତଲାସୀ ପରେ ରବିବାର ସକାଳେ ହେବତପୁର ଅଞ୍ଚଳ ନିକଟରୁ ଧରମ ସିଂହଙ୍କୁ ଗିରଫ କରାଯାଇଥିଲା।
ତେବେ ଗିରଫ ପରେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସିଯିବା ସହ ଜଣେ ଅଧିକାରୀଙ୍କ ସର୍ଭିସ୍ ରିଭଲଭର ଛଡ଼ାଇବାକୁ ଚେଷ୍ଟା କରିଥିବା ପୁଲିସ କହିଛି। ଏହି ସମୟରେ ଧସ୍ତାଧସ୍ତି ହେବାରୁ ଜଣେ କନଷ୍ଟେବଲ୍ ଆହତ ହୋଇଥିଲେ। ଅଭିଯୁକ୍ତଙ୍କ ଗୋଡ଼କୁ ଲକ୍ଷ୍ୟ କରି ପୁଲିସ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା।
ହସ୍ପିଟାଲରେ ଚିକିତ୍ସାଧୀନ ଧରମ ସିଂହ ହାତ ଯୋଡ଼ି ପୁଲିସକୁ କ୍ଷମା ମାଗିଥିବା ଜଣାପଡ଼ିଛି।
୪ ଦିନ ତଳେ ନିଯୁକ୍ତ ହୋଇଥିଲା
ପୁଲିସ ଅନୁସାରେ, ଧରମ ସିଂହଙ୍କୁ A1 ସିକ୍ୟୁରିଟି ଏଜେନ୍ସି ମାତ୍ର ୪ ଦିନ ପୂର୍ବରୁ ନିଯୁକ୍ତ କରିଥିଲା। ତାଙ୍କର ଆବଶ୍ୟକ ପଞ୍ଜୀକରଣ ଓ ପୃଷ୍ଠଭୂମି ଯାଞ୍ଚ ହୋଇନଥିବା ଅଭିଯୋଗ ରହିଛି।
ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ମୂଳ ବାସିନ୍ଦା ଧରମ ସିଂହ ଗତ ୪ ବର୍ଷ ଧରି ଅହମଦାବାଦରେ ରହୁଥିବା ବେଳେ ପୂର୍ବରୁ ୪ଟି ସୁରକ୍ଷା ଏଜେନ୍ସିରେ କାମ କରିଥିବା ପୁଲିସ କହିଛି।
ଘଟଣାକୁ ନେଇ ସୁରକ୍ଷା ଏଜେନ୍ସି ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଦୁଷ୍କର୍ମ ଅଭିଯୋଗରେ ଧରମ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
- Trending




