Blog
ଭାରତରେ ମଧ୍ୟ ବୁଲୁଥିଲା ପୃଥିବୀର ସବୁଠାରୁ ବିଶାଳକାୟ ସାପ ! ବୈଜ୍ଞାନିକଙ୍କ ଗବେଷଣାରୁ ସାମ୍ନାକୁ ଆସିଛି ଆଶ୍ଚଜନକ ତଥ୍ୟ…
ଅନେକ ବର୍ଷ ପୂର୍ବରୁ ପୃଥିବୀରେ ବିଶାଳକାୟ ପ୍ରାଣୀମାନେ ବାସ କରୁଥିଲେ। ମଣିଷର ଅସ୍ତିତ୍ୱ ଆସିବା ପୂର୍ବରୁ ଡାଇନୋସର ଭଳି ରାକ୍ଷସକାୟ ଜୀବଜନ୍ତୁମାନଙ୍କର ଏହି ପୃଥିବୀ ଉପରେ ରାଜ ଚାଲିଥିଲା। ସେହି ସମୟରେ ଭାରତରେ ମଧ୍ୟ ବିଶ୍ୱର ସବୁଠାରୁ ବିଶାଳକାୟ ସାପ ଘୁରି ବୁଲୁଥିଲା। ନିକଟରେ ବୈଜ୍ଞାନିକମାନେ ଏକ ଗବେଷଣା ପରେ ଏପରି କିଛି ଦାବି କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ବଡ଼ ସାପ ଭାବେ ଟାଇଟାନୋବୋଆ (Titanoboa) କୁ ମନାଯାଉଥିଲା। କୋଟି କୋଟି ବର୍ଷ ପୂର୍ବେ ଏହା ଆଫ୍ରିକା ଓ ୟୁରୋପ ଅଞ୍ଚଳରେ ଏହା ବାସ କରୁଥିଲା। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ଓ ଗବେଷକମାନେ ଭାରତରେ ଟାଇଟାନୋବୋଆ ଠାରୁ ମଧ୍ୟ ଏକ ବଡ଼ ସାପର ଅସ୍ତିତ୍ୱର ପ୍ରମାଣ ପାଇଛନ୍ତି। ଏହାର ବିଶାଳତା ପୃଥିବୀର ସବୁଠାରୁ ବଡ଼ ସାପକୁ ମଧ୍ୟ ପଛରେ ପକାଇଦେଇଛି।
ଆକଳନ ଅନୁଯାୟୀ, ଟାଇଟାନୋବୋଆର ଲମ୍ବ ପ୍ରାୟ ୫୦ ଫୁଟ୍ ଏବଂ ଚଉଡ଼ା ୩ ଫୁଟ୍ ଥିଲା। କିନ୍ତୁ ଭାରତରେ ବର୍ତ୍ତମାନ ମିଳିଥିବା ଏହି ବିଶାଳକାୟ ସାପର ଅବଶେଷ ଟାଇଟାନୋବୋଆକୁ ମଧ୍ୟ ପଛରେ ପକାଇଦେଇଛି।
ବାସ୍ତବରେ, ଗୁଜରାଟରେ ଏହି ବିଶାଳକାୟ ସାପର ମେରୁଦଣ୍ଡ (ରୀଢ଼ ହାଡ଼)ର କିଛି ଅଂଶ ମିଳିଛି। ଏହି ସାପର ନାମ “ବାସୁକୀ ଇଣ୍ଡିକସ୍” (Vasuki Indicus) ରଖାଯାଇଛି। ଗବେଷକମାନେ ଏହାର ମୋଟ ୨୭ଟି ହାଡ଼ ପାଇଛନ୍ତି, ଯାହା ମଧ୍ୟରୁ ଅଧିକାଂଶ ଭଲ ଭାବରେ ସଂରକ୍ଷିତ ଅବସ୍ଥାରେ ରହିଛି। ଏହି ହାଡ଼ ଗୁଡ଼ିକ ଅନ୍ୟ ସାପମାନଙ୍କ ଜୀବାଶ୍ମ ତୁଳନାରେ ବହୁତ ବଡ଼।
ପ୍ରତ୍ୟେକ ହାଡ଼ର ଲମ୍ବ ୧.୪୮ ରୁ ୨.୪୭ ଇଞ୍ଚ ଏବଂ ଚଉଡ଼ା ୨.୪୬ ରୁ ୪.୩୯ ଇଞ୍ଚ ମଧ୍ୟରେ ରହିଛି। ଏଥିରୁ ଜଣାପଡ଼େ ଯେ, ଜୀବିତ ଅବସ୍ଥାରେ ଏହି ସାପର ଶରୀର ବହୁତ ମୋଟା ଥିଲା।
ଗବେଷକମାନଙ୍କ କହିବା ଅନୁସାରେ, ଏହି ସାପର ଲମ୍ବ ପ୍ରାୟ ୪୯.୯ ଫୁଟ୍ ଥିଲା। କିଛି ଆକଳନ ଅନୁଯାୟୀ, ଏହା ଏପର୍ଯ୍ୟନ୍ତ ଆବିଷ୍କୃତ ସବୁଠାରୁ ବଡ଼ ସାପ ଟାଇଟାନୋବୋଆଠାରୁ ମଧ୍ୟ ଲମ୍ବା ହୋଇପାରେ। ଏହା ଫଳରେ ପୃଥିବୀର ସବୁଠାରୁ ବଡ଼ ସାପ କିଏ ଥିଲା, ସେଥିପାଇଁ ବୈଜ୍ଞାନିକମାନେ ନୂତନ ଦୃଷ୍ଟିକୋଣରୁ ଚିନ୍ତା କରୁଛନ୍ତି।
ବୈଜ୍ଞାନିକଙ୍କ ମତରେ, ବାସୁକୀ ଇଣ୍ଡିକସ୍ ଭଳି ସାପମାନେ ଭାରତର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବେ, ଯେଉଁମାନେ ସେହି ସମୟର ଟାଇଟାନୋବୋଆଠାରୁ ଅଧିକ ବଡ଼ ଓ ଭାରୀ ଥିଲେ।
ବୈଜ୍ଞାନିକମାନଙ୍କର ବିଶ୍ୱାସ ଯେ, ଏହି ବିଶାଳକାୟ ସାପ ପ୍ରାୟ ୪୭ ମିଲିୟନ ବର୍ଷ ପୂର୍ବରୁ ଇଓସିନ୍ (Eocene) ଯୁଗରେ ବାସ କରୁଥିଲା। ସେହି ସମୟରେ ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ୮୨ ଡିଗ୍ରୀ ଥିଲା। ଏହାର ଜୀବାଶ୍ମ ପଶ୍ଚିମ ଭାରତର ଗୁଜରାଟର କଚ୍ଛ ଅଞ୍ଚଳରେ ଥିବା ଏକ ଲିଗ୍ନାଇଟ୍ ଖଣିରୁ ମିଳିଥିବା ପଥର ମଧ୍ୟରୁ ଆବିଷ୍କୃତ ହୋଇଛି।
- Trending




