Blog
ଫୁଟବଲ କ୍ୟାରିୟରର ପ୍ରଲୋଭନ ଦେଖାଇ ୩ ବର୍ଷ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ କୋଚ୍ !
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜଣେ ନାବାଳିକା ଫୁଟବଲ ଖେଳାଳିଙ୍କୁ ତାଙ୍କ କୋଚ୍ ଯୌନ ନିର୍ଯାତନା ଦେଇଥିବା ନେଇ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଘରୋଇ ଫୁଟବଲ କୋଚଙ୍କୁ ପୋଲିସ ଗିରଫ କରିଛି।
ଅଭିଯୁକ୍ତ ୩୬ ବର୍ଷୀୟ ଅଭିଜିତ ମେଣ୍ଡାଲଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁସାରେ, ୨୦୨୩ ମସିହାରେ ବସାଇ ସ୍ଥିତ ତାଙ୍କ ଫୁଟବଲ ଟ୍ରେନିଂ ଏକାଡେମୀରେ ଯୋଗ ଦେଇଥିବା ୧୭ ବର୍ଷୀୟା ଜଣେ ଖେଳାଳିଙ୍କୁ ସେ ବାରମ୍ବାର ଦୁଷ୍କର୍ମ କରିଥିଲେ।
ଅଭିଯୋଗ ଅନୁଯାୟୀ, ସେ ନାବାଳିକାଙ୍କ କିଛି ଆପତ୍ତିଜନକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ଭିଡିଓ ଆଧାରରେ ତାଙ୍କୁ ବ୍ଲାକମେଲ କରୁଥିଲେ। ପୀଡ଼ିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପ୍ରଥମେ କୋଚ୍ ତାଙ୍କ ବିଶ୍ୱାସ ଜିତିଥିଲେ ଏବଂ ପରେ ଫୁଟବଲରେ ବଡ଼ ସୁଯୋଗ ଦେବାର ପ୍ରଲୋଭନ ଦେଖାଇଥିଲେ।
ଗତ ତିନି ବର୍ଷ ଧରି ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନିର୍ଯାତନାରେ ଅତିଷ୍ଠ ହୋଇ ପୀଡ଼ିତା ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ଏହାପରେ ଅଭିଯୁକ୍ତ ତାଙ୍କ ପାଖରେ ଥିବା ଭିଡିଓ ଏବଂ ଫଟୋ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।
ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଧମକ ଦେଇଥିଲେ ଯେ ତାଙ୍କ ଦାବି ନମାନିଲେ ସେ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ।
ବାରମ୍ବାର ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକା ଶେଷରେ ନିଜ ପରିବାରକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ପରେ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ବସାଇର ମାଣିକପୁର ପୋଲିସ ପ୍ରାଥମିକ ତଦନ୍ତ କରି ଅଭିଜିତ ମେଣ୍ଡାଲଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ, ଧମକ ଏବଂ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
- Trending




