Blog
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଆଉ ମିଳିବ ନାହିଁ କଫ୍ ସିରପ୍ !
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଆଉ ମିଳିବ ନାହିଁ କଫ୍ ସିରପ୍। ସାଧାରଣ କାଶ ହେଲେ ବି ମନଇଚ୍ଛା ଫାର୍ମାସୀରୁ କଫ ସିରପ କିଣିପାରିବେନି। ଏଥିପାଇଁ ଏଣିକି ଦରକାର ପଡିବ ଡାକ୍ତରଙ୍କ ପରାମର୍ଶ ।ଭାରତରେ ଏବେ ଡାକ୍ତରଙ୍କ ବୈଧ ପ୍ରେସକ୍ରିପ୍ସନ୍ ବିନା କାଶ ସିରପ୍ କିମ୍ବା ଯେକୌଣସି ସିରପ୍-ଆଧାରିତ ଔଷଧ ଆପଣ କିଣି ପାରିବେ ନାହିଁ । ପ୍ରେସକ୍ରିପ୍ସନ୍ ଦେଖାଇଲେ ହିଁ ମିଳିବ କଫ୍ ସିରପ୍ । ଏଥିସହ ସମସ୍ତ ସିରପ୍-ଆଧାରିତ ଔଷଧ OTC(Over The Counter) ଶ୍ରେଣୀରେ ରହିବ ନାହିଁ ।
୧୬ ଜୁନ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସଂଶୋଧନକୁ ଅଧିସୂଚିତ କରିଛି। ସରକାରଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, “ସିରପ୍ ଫର୍ମୁଲେସନ୍ ଗୁଡ଼ିକ ଉପରେ ନିୟମ ଗୁଡିକୁ କଡ଼ାକଡ଼ି କରାଯିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ପରିବର୍ତ୍ତନ ‘ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ, ୧୯୪୦’ ଏବଂ ‘ଡ୍ରଗ୍ସ ରୁଲ୍ସ, ୧୯୪୫’ ଅନୁସାରେ କରାଯାଇଛି।
ନୂତନ ସଂଶୋଧନ ଅନୁଯାୟୀ, ଡ୍ରଗ୍ସ ରୁଲ୍ସର ‘ସିଡ୍ୟୁଲ K’ ରୁ “ସିରପ୍” ଶବ୍ଦକୁ ହଟାଇ ଦିଆଯାଇଛି। ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, “ଏହା ପୂର୍ବରୁ ସିଡ୍ୟୁଲ K ର ଏଣ୍ଟ୍ରି ନମ୍ବର ୧୩ ଅନୁସାରେ ୧,୦୦୦ରୁ କମ୍ ଜନସଂଖ୍ୟା ଥିବା ଗାଁ ଗୁଡ଼ିକରେ କିଛି ଖୁଚୁରା ବିକ୍ରୟ ଲାଇସେନ୍ସ ନିୟମ ପାଳନ ନକରି କାଶ ସିରପ୍ ବିକ୍ରି କରିବାକୁ ଅନୁମତି ଥିଲା।”
ସିରପ୍ର ଅପବ୍ୟବହାର ନେଇ ଚିନ୍ତା…
୨୦୨୪ ମସିହାରେ ‘ମେଡିକାଲ୍ ଜର୍ଣ୍ଣାଲ୍ ଆର୍ମ୍ଡ ଫୋର୍ସେସ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପ୍ରାୟ ୬୪ ପ୍ରତିଶତ ଲୋକ ସ୍ୱଇଚ୍ଛାରେ ଔଷଧ ସେବନ କରନ୍ତି। କାଶ ଓ ଥଣ୍ଡା ସେହି ରୋଗଗୁଡ଼ିକ ମଧ୍ୟରୁ ଥିଲା ଯାହାର ଚିକିତ୍ସା ସବୁଠାରୁ ଅଧିକ ପ୍ରେସକ୍ରିପ୍ସନ୍ ବିନା କରାଯାଉଥିଲା।
ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନରେ Aadulterated ସିରପ୍ ସେବନ ଫଳରେ କିଛି ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଅନିୟନ୍ତ୍ରିତ ଭାବରେ କାଶ ସିରପ୍ ବ୍ୟବହାରକୁ ନେଇ ଚିନ୍ତା ଆହୁରି ବଢ଼ିଥିଲା। ଯାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
- Trending




