ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା ! ଜାଣନ୍ତୁ, କେଉଁ ଦଳକୁ ଯିବା ନେଇ ଚାଲିଛି ଚର୍ଚ୍ଚା…

ପାଞ୍ଚ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଦାୟ ନେବା ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ଟିମରେ ସାମିଲ କରିବା ପାଇଁ ଶାହରୁଖ ଖାନଙ୍କ ସହ-ମାଲିକାନାଧୀନ Kolkata Knight Riders (କେକେଆର୍) ଓ Rajasthan Royals (ଆରଆର୍) ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେକେଆର୍‌ର ଶୀର୍ଷ ପରିଚାଳନା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମାଲିକପକ୍ଷ ମଧ୍ୟରେ ପାଣ୍ଡ୍ୟାଙ୍କୁ ନେଇ ଏକାଧିକ ପର୍ଯ୍ୟାୟର ଆଲୋଚନା ହୋଇଛି।

ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱିତୀୟ ପ୍ରତ୍ୟାବର୍ତ୍ତନ ବହୁତ ସଫଳ ହୋଇନଥିଲା। ତାଙ୍କ ନେତୃତ୍ୱରେ ଦଳ କେବଳ ଥରେ ପ୍ଲେଅଫ୍‌ରେ ପ୍ରବେଶ କରିପାରିଥିଲା।

ସୂତ୍ର ଅନୁଯାୟୀ, “ଅଜିଙ୍କ୍ୟ ରାହାଣେ କେକେଆର୍ ପାଇଁ ସବୁବେଳେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲେ ଏବଂ ଚଳିତ ସିଜନ ପରେ ତାଙ୍କୁ ରିଲିଜ୍ କରାଯିବା ନିଶ୍ଚିତ ଥିଲା। ଗତ ସିଜନର ଶେଷ ଭାଗରେ କେକେଆର୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେତେବେଳେ ରିଲାଏନ୍ସର ବାର୍ଷିକ ସାଧାରଣ ସଭା (AGM) ନିକଟରେ ଥିବାରୁ ଆଇପିଏଲ୍ ଟ୍ରେଡ୍ ସେମାନଙ୍କର ପ୍ରାଥମିକତା ନଥିଲା।”

ସୂତ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, କେକେଆର୍ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗ କରିଛି ଏବଂ ଏନେଇ କିଛି ପର୍ଯ୍ୟାୟର ଆଲୋଚନା ମଧ୍ୟ ହୋଇଛି।

ଯଦି ପାଣ୍ଡ୍ୟା କେକେଆର୍‌କୁ ଯାଆନ୍ତି, ତେବେ ନଗଦ ଚୁକ୍ତି କିମ୍ବା ଖେଳାଳି ବଦଳ ପ୍ରକ୍ରିୟାରେ ହେଉ, ତାଙ୍କ ପାଇଁ ଅଧିନାୟକ ପଦ ପ୍ରାୟ ନିଶ୍ଚିତ ବୋଲି ଧରାଯାଉଛି। କାରଣ ବର୍ତ୍ତମାନ ସମୟରେ ରିଙ୍କୁ ସିଂଙ୍କୁ କେକେଆର୍‌ର ସ୍ଥାୟୀ ଅଧିନାୟକ ଭାବେ ଦେଖାଯାଉନାହିଁ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କ ବଦଳରେ କେବଳ ନଗଦ ରାଶି ଚାହୁଁଛି ନା ଖେଳାଳି ବଦଳ ଚୁକ୍ତିକୁ ପସନ୍ଦ କରୁଛି, ସେନେଇ ସୂତ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

ଆଇପିଏଲ୍ ଟ୍ରାନ୍ସଫର୍ ନିୟମ ଅନୁଯାୟୀ, କୌଣସି ଖେଳାଳି ନିଜେ ଅନ୍ୟ ଫ୍ରାଞ୍ଚାଇଜି ସହ ଟ୍ରେଡ୍ ସମ୍ପର୍କରେ ଆଲୋଚନା କରିପାରିବେ ନାହିଁ। କେବଳ ଦୁଇଟି ଫ୍ରାଞ୍ଚାଇଜି ମଧ୍ୟରେ ଆଲୋଚନା ହୋଇପାରିବ। ତଥାପି ଖେଳାଳିଙ୍କ ସମ୍ମତି ବିନା କୌଣସି ଟ୍ରେଡ୍ ସମ୍ଭବ ନୁହେଁ। ଯଦି ଖେଳାଳି ସମ୍ମତି ନ ଦିଅନ୍ତି, ତେବେ ତାଙ୍କୁ ନିଲାମୀ ପୁଲ୍‌କୁ ଫେରାଇ ଦିଆଯିବ।

ଏହା ସହିତ, ମୁମ୍ବାଇ ଇଣ୍ଡିଆନ୍ସ ପାଖକୁ ଆଉ ଏକ ପ୍ରସ୍ତାବ ଆସିଥିବା ଜଣାପଡ଼ିଛି। ସେଥିରେ ଯଶସ୍ୱୀ ଜୈସ୍ୱାଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଖେଳାଳି ବଦଳ (ଟ୍ରେଡ୍) ନେଇ ଚର୍ଚ୍ଚା ହୋଇଛି। ତେବେ ଏହି ଆଲୋଚନା କେତେ ଦୂର ଆଗକୁ ବଢ଼ିଛି, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ, ରାଜସ୍ଥାନ ରୟାଲ୍ସ ଦୀର୍ଘ ମିଆଦୀ ଅଧିନାୟକ ଭାବେ ରିୟାନ ପାରଗଙ୍କୁ ଦେଖୁଥିବାରୁ ସେଠାରେ ପାଣ୍ଡ୍ୟାଙ୍କ ପାଇଁ ନେତୃତ୍ୱ ଭୂମିକା ମିଳିବା କଷ୍ଟକର ହୋଇପାରେ।

ଯଦି ଏହି ଅଦଳ ବଦଳ ବାସ୍ତବ ରୂପ ନେଇଥାଏ, ତେବେ ବର୍ତ୍ତମାନ ସ୍ଥିତିରେ ରାଜସ୍ଥାନ ରୟାଲ୍ସ ତୁଳନାରେ କୋଲକାତା ନାଇଟ୍ ରାଇଡର୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅଧିକ ଉପଯୁକ୍ତ ବୋଲି ମନେ କରାଯାଉଛି।