କ୍ୟାନ୍ସର ବିରୋଧୀ ଲଢ଼େଇର ସବୁଠାରୁ ବଡ଼ ଚ୍ୟାଲେଞ୍ଜ: ବିଶେଷଜ୍ଞ ଡାକ୍ତରଙ୍କ ଅଭାବ

ଭୁବନେଶ୍ୱର: ଦେଶରେ ପ୍ରତିବର୍ଷ କେନସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କେନସର ଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷିତ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଏବେ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସଙ୍କଟର ରୂପ ନେଇଛି। ପ୍ରତିବର୍ଷ ଭାରତରେ ପ୍ରାୟ ୧୫ ଲକ୍ଷ ନୂତନ କେନସର ରୋଗୀ ଚିହ୍ନଟ ହେଉଥିବା ବେଳେ ସେହି ଅନୁପାତରେ ଅଙ୍କୋଲୋଜିଷ୍ଟଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। ଫଳରେ ସରକାରୀ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ଅପେକ୍ଷା ସମୟ ବଢ଼ିବା ସହିତ ଚିକିତ୍ସାରେ ବିଳମ୍ବ ଏବଂ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି।
ଏହି ପରିସ୍ଥିତିକୁ ନେଇ କେନସର ସର୍ଭାଇଭର୍ସ ଫାଇଟର୍ସ ଗୃପ ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, କେନସର ବିରୋଧରେ ଲଢ଼େଇ କେବଳ ଆଧୁନିକ ଭବନ କିମ୍ବା ଯନ୍ତ୍ରପାତି ନିର୍ମାଣ ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷ, ପ୍ରଶିକ୍ଷିତ ଏବଂ ସମର୍ପିତ କେନସର ବିଶେଷଜ୍ଞ ଆବଶ୍ୟକ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ତୁରନ୍ତ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

କେନ୍ଦ୍ରୀୟ ତଥ୍ୟଭଣ୍ଡାରର ଅଭାବ ଚିନ୍ତା ବଢ଼ାଉଛି;
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଦେଶରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମୋଟ କେତେଜଣ କେନସର ବିଶେଷଜ୍ଞ କାର୍ଯ୍ୟରତ ଅଛନ୍ତି, ସେନେଇ କୌଣସି କେନ୍ଦ୍ରୀୟ ଏବଂ ସାର୍ବଜନିକ ଡାଟାବେସ୍ ଉପଲବ୍ଧ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଛି ଯେ ରାଜ୍ୟ ସରକାରୀ ହସ୍ପିଟାଲଗୁଡ଼ିକରେ ବିଭାଗଭିତ୍ତିକ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା କେନ୍ଦ୍ରୀୟ ଭାବେ ସଂରକ୍ଷିତ ହେଉନାହିଁ। ଏପରି ପରିସ୍ଥିତିରେ ଦେଶର କେନସର ଚିକିତ୍ସା ମାନବ ସମ୍ବଳର ବାସ୍ତବ ସ୍ଥିତି ଆକଳନ କରିବା କଷ୍ଟକର ହୋଇପଡ଼ିଛି।

ଦେଶରେ ପ୍ରାୟ ୫ ହଜାରରୁ ୮ ହଜାର ଅଙ୍କୋଲୋଜିଷ୍ଟ;
ବିଭିନ୍ନ ଅଧ୍ୟୟନ, ଅଙ୍କୋଲୋଜି ସଂଘର ରିପୋର୍ଟ ଏବଂ ମେଡିକାଲ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଆଧାରରେ ଆକଳନ କରାଯାଉଛି ଯେ ବର୍ତ୍ତମାନ ଦେଶରେ ପ୍ରାୟ ୫,୦୦୦ରୁ ୮,୦୦୦ ଜଣ ଅଙ୍କୋଲୋଜିଷ୍ଟ କାର୍ଯ୍ୟରତ ଅଛନ୍ତି। ଏଥିରେ ମେଡିକାଲ, ସର୍ଜିକାଲ ଓ ରେଡିଏସନ ଅଙ୍କୋଲୋଜିଷ୍ଟ ସାମିଲ ଅଛନ୍ତି। ଆନୁମାନିକ ଭାବେ ସେମାନଙ୍କ ମଧ୍ୟରୁ ୨୫ରୁ ୩୫ ପ୍ରତିଶତ ସରକାରୀ କ୍ଷେତ୍ରରେ ଏବଂ ୬୫ରୁ ୭୫ ପ୍ରତିଶତ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ତେବେ ଏହା କୌଣସି ସରକାରୀ ଗଣନା ନୁହେଁ, ବରଂ ଉପଲବ୍ଧ ଅଧ୍ୟୟନ ଆଧାରିତ ଆନୁମାନିକ ତଥ୍ୟ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୧୩.୮୮ ଲକ୍ଷ ପଞ୍ଜୀକୃତ ଆଲୋପାଥିକ ଡାକ୍ତର ଥିବା ସତ୍ତ୍ୱେ କେନସର ବିଶେଷଜ୍ଞଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ। ବିଶେଷକରି ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଓ ଜିଲ୍ଲା ସ୍ତରର ସରକାରୀ ହସ୍ପିଟାଲରେ ଏହି ଅଭାବ ଅଧିକ ପରିଲକ୍ଷିତ ହେଉଛି।

ସାରା ଦେଶରେ ମାତ୍ର ପ୍ରାୟ ଏକ ହଜାର ଆଙ୍କୋଲୋଜି ସିଟ୍;
ଉପଲବ୍ଧ ତଥ୍ୟ ଅନୁସାରେ ଭାରତର ସରକାରୀ ଓ ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ମେଡିକାଲ, ସର୍ଜିକାଲ ଓ ରେଡିଏସନ ଆଙ୍କୋଲୋଜି ଶାଖାରେ ମିଶାଇ ମାତ୍ର ୧,୦୦୦ରୁ ୧,୦୫୦ଟି ସୁପର ସ୍ପେଶାଲିଟି ଓ ପୋଷ୍ଟଗ୍ରାଜୁଏଟ୍ ସିଟ୍ ଉପଲବ୍ଧ ଅଛି।
ଏଥିମଧ୍ୟରେ, ମେଡିକାଲ ଆଙ୍କୋଲୋଜି (DM/DNB) ରେ ପ୍ରାୟ ୨୦୦ରୁ ୨୩୫ଟି ସିଟ୍। ସର୍ଜିକାଲ ଆଙ୍କୋଲୋଜି (MCh/DNB) ରେ ପ୍ରାୟ ୨୨୦ରୁ ୨୬୦ଟି ସିଟ୍। ରେଡିଏସନ ଆଙ୍କୋଲୋଜି (MD/DNB) ରେ ପ୍ରାୟ ୬୦୦ରୁ ୬୫୦ଟି ସିଟ୍ ରହିଛି।
ପ୍ରତିବର୍ଷ ଲକ୍ଷାଧିକ ନୂତନ କେନସର ରୋଗୀଙ୍କ ତୁଳନାରେ ଏହି ପ୍ରଶିକ୍ଷଣ କ୍ଷମତା ଅତ୍ୟନ୍ତ ସୀମିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

ଓଡ଼ିଶାରେ କେବଳ ୨୦ଟି ଆଙ୍କୋଲୋଜି ସିଟ୍
ଓଡ଼ିଶାର ସ୍ଥିତି ଆହୁରି ଚିନ୍ତାଜନକ। ରାଜ୍ୟରେ ବର୍ତ୍ତମାନ ମାତ୍ର ୨୦ଟି ଆଙ୍କୋଲୋଜି ସୁପର ସ୍ପେଶାଲିଟି ସିଟ୍ ଉପଲବ୍ଧ ଅଛି।
କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର (AHRCC) ରେ ଡିଏମ୍ ମେଡିକାଲ ଆଙ୍କୋଲୋଜିରେ ୨ଟି, ଏମ୍.ସି.ଏଚ୍. ସର୍ଜିକାଲ ଆଙ୍କୋଲୋଜିରେ ୬ଟି ଏବଂ ଏମ୍.ସି.ଏଚ୍. ଗାଇନୋକୋଲୋଜିକାଲ ଆଙ୍କୋଲୋଜିରେ ୨ଟି ସିଟ୍ ରହିଛି। ସେହିପରି ଭୁବନେଶ୍ୱରସ୍ଥିତ IMS & SUM Hospital ରେ ଡିଏମ୍ ମେଡିକାଲ ଆଙ୍କୋଲୋଜିରେ ୫ଟି ଏବଂ ଏମ୍.ସି.ଏଚ୍. ସର୍ଜିକାଲ ଆଙ୍କୋଲୋଜିରେ ୫ଟି ସିଟ୍ ରହିଛି।

ସରକାରୀ ସୁବିଧା ଥିଲେ ମଧ୍ୟ କାହିଁକି ଅଭାବ?
ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଙ୍କୋଲୋଜିଷ୍ଟମାନଙ୍କ ବେତନ ଓ ସୁବିଧା ମଧ୍ୟ କମ୍ ନୁହେଁ। ସପ୍ତମ ବେତନ କମିଶନ ଅନୁଯାୟୀ ଜଣେ ସିନିୟର ରେସିଡେଣ୍ଟଙ୍କ ମାସିକ ବେତନ ପ୍ରାୟ ୯୦ ହଜାର ଟଙ୍କାରୁ ଆରମ୍ଭ ହୋଇ ବରିଷ୍ଠ ପ୍ରଫେସରମାନଙ୍କ କ୍ଷେତ୍ରରେ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ। ଏହା ବ୍ୟତୀତ ମହଙ୍ଗା ଭତ୍ତା (DA), ଘରଭଡ଼ା ଭତ୍ତା (HRA), Non-Practicing Allowance (NPA), ସରକାରୀ ବାସସ୍ଥାନ, ପେନସନ, ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ। କେତେକ ରାଜ୍ୟରେ ସୀମିତ ବେସରକାରୀ ପ୍ରାକ୍ଟିସ କିମ୍ବା ଶିକ୍ଷାଦାନ, ଗବେଷଣା ଓ ପରାମର୍ଶ ମାଧ୍ୟମରେ ଅତିରିକ୍ତ ଆୟର ସୁଯୋଗ ମଧ୍ୟ ରହିଛି।

ଏହା ସତ୍ତ୍ୱେ ପ୍ରଶ୍ନ ଉଠୁଛି- କାହିଁକି ସରକାରୀ ହସ୍ପିଟାଲରେ କେନସର ବିଶେଷଜ୍ଞଙ୍କ ସଂଖ୍ୟା ଆବଶ୍ୟକତା ଅନୁଯାୟୀ ବୃଦ୍ଧି ପାଉନାହିଁ? କାହିଁକି ଅଧିକାଂଶ ବିଶେଷଜ୍ଞ ବଡ଼ ସହର ଓ ବେସରକାରୀ କ୍ୟାନ୍ସର ହସ୍ପିଟାଲରେ କେନ୍ଦ୍ରୀଭୂତ ହୋଇ ରହୁଛନ୍ତି? ସରକାରୀ ହସ୍ପିଟାଲରେ ରୋଗୀଙ୍କ ଚାପ ଅଧିକ ଥିବା ସତ୍ତ୍ୱେ ଅନେକ ପଦବୀ କାହିଁକି ଖାଲି ପଡ଼ିରହୁଛି? ଏହି ପ୍ରଶ୍ନଗୁଡ଼ିକର ନୀତିଗତ ବିଶ୍ଳେଷଣ ଓ ସମାଧାନ ଆଜିର ସମୟର ଆବଶ୍ୟକତା।
ବିଶେଷଜ୍ଞଙ୍କ ମତରେ, ଏହା କୌଣସି ବ୍ୟକ୍ତି କିମ୍ବା ବୃତ୍ତିକୁ ଦୋଷାରୋପ କରିବାର ବିଷୟ ନୁହେଁ। ବରଂ ସରକାରୀ ନିଯୁକ୍ତି ପ୍ରକ୍ରିୟା, କାର୍ଯ୍ୟ ପରିବେଶ, ଭିତ୍ତିଭୂମି, ଆଧୁନିକ ଯନ୍ତ୍ରପାତି, ଗବେଷଣା ସୁଯୋଗ, ପଦୋନ୍ନତି ବ୍ୟବସ୍ଥା ଏବଂ ଦୂରଦୂରାନ୍ତ ଅଞ୍ଚଳରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ପାଇଁ ପ୍ରୋତ୍ସାହନ ଭଳି ବିଷୟରେ ସୁଧାର ଆଣିବା ଜରୁରୀ।

ଫାଇଟର୍ସ ଗୃପ ଦାବି-
କେନସର ସର୍ଭାଇଭର୍ସ ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିମ୍ନଲିଖିତ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ଦାବି କରିଛନ୍ତି-

  • ଦେଶର ସମସ୍ତ ଅଙ୍କୋଲୋଜିଷ୍ଟଙ୍କର ଏକ କେନ୍ଦ୍ରୀୟ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ କରାଯାଉ।
  • ରାଜ୍ୟ ଓ ଜିଲ୍ଲାଭିତ୍ତିକ ଅଙ୍କୋଲୋଜିଷ୍ଟଙ୍କ ଉପଲବ୍ଧତାର ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଉ।
  • ସରକାରୀ କେନସର ହସ୍ପିଟାଲ ଓ ମେଡିକାଲ କଲେଜର ସମସ୍ତ ଖାଲି ପଦବୀ ତୁରନ୍ତ ପୂରଣ କରାଯାଉ।
  • ଆଙ୍କୋଲୋଜି ସୁପର ସ୍ପେଶାଲିଟି ସିଟ୍ ସଂଖ୍ୟାରେ ବ୍ୟାପକ ବୃଦ୍ଧି କରାଯାଉ।
  • ଗ୍ରାମାଞ୍ଚଳ ଓ ପଛୁଆ ଅଞ୍ଚଳରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରାଯାଉ।
  • ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଜିଲ୍ଲାରେ ସମ୍ପୂର୍ଣ୍ଣ କେନସର ଚିକିତ୍ସା ସୁବିଧା ଏବଂ ପର୍ଯ୍ୟାପ୍ତ ବିଶେଷଜ୍ଞ ନିଯୁକ୍ତି ସୁନିଶ୍ଚିତ କରାଯାଉ।

ଅଶ୍ୱିନୀ କୁମାର ଦର୍ଜୀ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କେନସର ଚିକିତ୍ସା କ୍ଷେତ୍ରରେ ମାନବ ସମ୍ବଳର ଅଭାବ ଦୂର ହେବ ନାହିଁ, ସେପର୍ଯ୍ୟନ୍ତ କେନସର ନିୟନ୍ତ୍ରଣରେ ଦେଶର ଦୀର୍ଘମିଆଦି ଲକ୍ଷ୍ୟ ପୂରଣ କରିବା କଷ୍ଟସାଧ୍ୟ ହେବ। ତେଣୁ ଏହି ପ୍ରସଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।