ମହାକାଶରେ ଉଡ଼ିଲା ଭାରତର ସ୍ୱପ୍ନ ! ସଫଳତାର ସହ ଲଞ୍ଚ ହେଲା ‘ବିକ୍ରମ-୧’

ଭାରତର ମହାକାଶ ଇତିହାସରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ପକ୍ଷରୁ ବିକଶିତ ‘ବିକ୍ରମ-୧’ ରକେଟ୍ ସଫଳତାର ସହ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ଏହା ଭାରତର ପ୍ରଥମ ବେସରକାରୀ ଭାବେ ବିକଶିତ କକ୍ଷପଥ (ଅର୍ବିଟାଲ୍) ରକେଟ୍ ଭାବେ ଇତିହାସ ସୃଷ୍ଟି କରିଛି।

ଶ୍ରୀହରିକୋଟା ଲଞ୍ଚପ୍ୟାଡ୍‌ରେ ଦୀର୍ଘ ଅପେକ୍ଷା ପରେ ସମୟ ୧୨ଟା ୫ ମିନିଟ୍ ୩୦ ସେକେଣ୍ଡରେ ରକେଟ୍‌ଟି ମହାକାଶ ଅଭିମୁଖେ ଉଡ଼ାଣ ଭରିଥିଲା। ଉତ୍‌କ୍ଷେପଣ ପୂର୍ବରୁ ନିର୍ଦ୍ଧାରିତ ସମୟ ସକାଳ ୧୧ଟା ୩୦ ମିନିଟ୍ ପୂର୍ବରୁ କିଛି ମିନିଟ୍ ଆଗରୁ ମିଶନ୍ କଣ୍ଟ୍ରୋଲ୍ ପକ୍ଷରୁ ଏକ “ପ୍ଲାନ୍ଡ ହୋଲ୍ଡ” ଘୋଷଣା କରାଯାଇଥିଲା। କିନ୍ତୁ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପରେ ସଫଳ ଭାବେ ଉତ୍‌କ୍ଷେପଣ କରାଯାଇଥିଲା।

ଦିନ ୧୨ଟା ୨୧ ମିନିଟ୍‌ରେ ରକେଟ୍‌ଟି ସଫଳତାର ସହ ପେଲୋଡ୍‌କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଥିଲା। ଏହା ପରେ ଲଞ୍ଚ ସେଣ୍ଟରରୁ “ହେଲୋ ସ୍ପେସ୍, ୱି ହାଭ୍ ଆରାଇଭ୍ଡ” ବୋଲି ଘୋଷଣା କରାଯାଇଥିଲା। ଏହି ସଫଳତା ସହ ଭାରତର ମହାକାଶ ଅଭିଯାନରେ ବିକ୍ରମ-୧ ନିଜର ସ୍ୱତନ୍ତ୍ର ସ୍ଥାନ ସୁନିଶ୍ଚିତ କରିଛି।

ବିଶ୍ୱର ଅଭିଜାତ କମ୍ପାନୀ ତାଲିକାରେ ସ୍କାଇରୁଟ୍

ଏହି ସଫଳତା ସହ ହାଇଦ୍ରାବାଦର ସ୍କାଇରୁଟ୍ ଏରୋସ୍ପେସ୍ ବିଶ୍ୱର ସେହି ଅଳ୍ପ କେତେକ ବେସରକାରୀ କମ୍ପାନୀ ଗୁଡିକ ତାଲିକାରେ ସାମିଲ ହୋଇଛି, ଯେଉଁମାନେ ସଫଳତାର ସହ ଅର୍ବିଟାଲ୍ ରକେଟ୍ ବିକାଶ ଏବଂ ଉତ୍‌କ୍ଷେପଣ କରିପାରିଛନ୍ତି। ‘ଆଗମନ’ (Aagaman) ନାମକ ଏହି ମିଶନ୍ ବିଶ୍ୱ

କ’ଣ ନେଇକି ଯାଇଛି ବିକ୍ରମ-୧ ?

ବିକ୍ରମ-୧ ରକେଟ୍‌ରେ Grahaa Space, Cosmoserve, DCubed ଏବଂ Skyrootର SCOPE ପରି ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ୍ ପେଲୋଡ୍ ରହିଛି। ଏହାସହ Cosmos Diamonds ପକ୍ଷରୁ ପ୍ରସ୍ତୁତ “Cosmic Bloom” କଳାକୃତି ଏବଂ ସାର୍ ସି.ଭି. ରମଣ, ଡ. ବିକ୍ରମ ସାରାଭାଇ ଓ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ମଧ୍ୟ ମହାକାଶକୁ ପଠାଯାଇଛି।

ବିକ୍ରମ-୧ର ବିଶେଷତ୍ୱ

ପ୍ରାୟ ସାତ ମହଲା କୋଠା ସମାନ ଉଚ୍ଚତା ବିଶିଷ୍ଟ ବିକ୍ରମ-୧ ଏକ ଚାରି ପର୍ଯ୍ୟାୟ ବିଶିଷ୍ଟ ଅର୍ବିଟାଲ୍ ଲଞ୍ଚ ଭେହିକଲ୍। ଏହାକୁ ସମ୍ପୂର୍ଣ୍ଣ କାର୍ବନ୍ କମ୍ପୋଜିଟ୍ ଗଠନ ସହ ନିର୍ମାଣ କରାଯାଇଛି। ଏଥିରେ 3D ପ୍ରିଣ୍ଟେଡ୍ ଇଞ୍ଜିନ୍ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ସଲିଡ୍ ଫ୍ୟୁଏଲ୍ ବୁଷ୍ଟର୍ ବ୍ୟବହାର କରାଯାଇଛି।

ଏହା ୩୫୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ଛୋଟ ଉପଗ୍ରହକୁ ଲୋ ଆର୍ଥ ଅର୍ବିଟ୍ (LEO) ରେ ସ୍ଥାପନ କରିପାରିବ। ପ୍ରଥମ ମିଶନ୍‌ରେ ଏହା ୪୫୦ କିଲୋମିଟର ଉଚ୍ଚତାର ୬୦ ଡିଗ୍ରୀ ଇନ୍କ୍ଲିନେସନ୍ କକ୍ଷପଥକୁ ଲକ୍ଷ୍ୟ କରିଥିଲା।

ବିକ୍ରମ ସାରାଭାଇଙ୍କ ନାମରେ ରକେଟ୍

ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ସାରାଭାଇଙ୍କ ସମ୍ମାନରେ ଏହି ରକେଟ୍‌ର ନାମ ‘ବିକ୍ରମ-୧’ ରଖାଯାଇଛି। ୨୦୨୨ ନଭେମ୍ବରରେ ବିକ୍ରମ-ଏସ୍ ସବ୍-ଅର୍ବିଟାଲ୍ ମିଶନ୍‌ର ସଫଳତା ପରେ ଏହା ସ୍କାଇରୁଟ୍‌ର ପରବର୍ତ୍ତୀ ବଡ଼ ପଦକ୍ଷେପ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଉତ୍‌କ୍ଷେପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ “ଭାରତର ମହାକାଶ ଯାତ୍ରାର ଏକ ଐତିହାସିକ ନୂଆ ଅଧ୍ୟାୟ” ବୋଲି କହିଥିଲେ। ସେ କହିଥିଲେ, ଏହି ଚାରି ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ଦ୍ରୁତ ଏବଂ ଚାହିଦା ଅନୁଯାୟୀ ଉତ୍‌କ୍ଷେପଣ ସେବା ପ୍ରଦାନ କରିବ। ଏହି ମିଶନ୍ ଭାରତର ଯୁବପିଢ଼ିର ପ୍ରତିଭା, ଦୃଢ଼ ସଙ୍କଳ୍ପ ଏବଂ ଉଦ୍ୟମୀ ମନୋଭାବକୁ ପ୍ରତିଫଳିତ କରୁଛି।

ସେ ସ୍କାଇରୁଟ୍‌ର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ #IndiaWithVikram1 ହ୍ୟାସଟ୍ୟାଗ୍‌ରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

‘ବନ୍ଦେ ମାତରମ୍’ ବାର୍ତ୍ତା ମହାକାଶକୁ

ବିକ୍ରମ-୧ ସହ ପ୍ରଧାନମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ମହାକାଶକୁ ଯାଇଛି। ସ୍ମାରକ କାର୍ଡରେ ସେ କେବଳ “ବନ୍ଦେ ମାତରମ୍” ଲେଖିଥିଲେ। ଏହା ସହ ବିଶ୍ୱର ବିଭିନ୍ନ ସ୍ଥାନର ଲୋକଙ୍କ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଯାଇଛି।

ମିଶନ୍ ‘ଆଗମନ’ ପୂର୍ବରୁ ସ୍କାଇରୁଟ୍ ଜଣାଇଥିଲା ଯେ, ବିକ୍ରମ-୧ ରକେଟ୍‌ରେ ଏହାକୁ ନିର୍ମାଣ କରିଥିବା ଇଞ୍ଜିନିୟର୍, ଟେକ୍ନିସିଆନ୍ ଏବଂ ସମଗ୍ର ଟିମ୍‌ର ସଦସ୍ୟମାନଙ୍କ ସ୍ୱାକ୍ଷର ମଧ୍ୟ ରହିଛି, ଯାହା ଭାରତର ଏହି ଐତିହାସିକ ବେସରକାରୀ ମହାକାଶ ମିଶନ୍‌ରେ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଉଛି।