ମୁଖ୍ୟମନ୍ତ୍ରୀଙ୍କୁ ନେଇ AI ଅଶ୍ଳୀଳ କଣ୍ଟେଣ୍ଟ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ AI ଦ୍ୱାରା ପ୍ରସ୍ତୁତ ତଥା ଡିଜିଟାଲ୍ ଭାବେ ବିକୃତ ଅଶ୍ଳୀଳ ଓ ମାନହାନିକର କଣ୍ଟେଣ୍ଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ଯୁବକ ହେଲେ କଟକ ଜିଲ୍ଲା ଜଗତପୁର ଥାନା ନୂଆସାହି ଅଞ୍ଚଳର ବିଶ୍ୱଜିତ ସାହୁ। ଜୁଲାଇ ୫ ତାରିଖରେ ତାଙ୍କୁ ଧରାଯାଇଥିବା ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସେସ୍ ପୋଲିସ ଷ୍ଟେସନ୍ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ ସୂଚନା ଅନୁସାରେ, ଜୁଲାଇ ୪ ତାରିଖରେ ନିୟମିତ ସୋସିଆଲ୍ ମିଡିଆ ପାଟ୍ରୋଲିଂ ସମୟରେ “m.r_biswa_” ନାମକ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଆପତ୍ତିଜନକ କଣ୍ଟେଣ୍ଟ ନଜରକୁ ଆସିଥିଲା। ଉକ୍ତ ଆକାଉଣ୍ଟରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି AI ଜେନେରେଟେଡ୍ ଓ ମର୍ଫଡ୍ ଫଟୋ ସହ ରିଲ୍ସ ପୋଷ୍ଟ ଓ ପ୍ରସାର କରାଯାଉଥିବା ପୋଲିସ ଅଭିଯୋଗ କରିଛି। ସେଥିରେ ଅଶ୍ଳୀଳ ଭାଷା, ଅଶୋଭନୀୟ ଇଙ୍ଗିତ ଏବଂ ମାନହାନିକର ବିଷୟବସ୍ତୁ ରହିଥିବା ପ୍ରେସ୍ ବ୍ରିଫ୍‌ରେ କୁହାଯାଇଛି।

ସୋସିଆଲ୍ ମିଡିଆ ପାଟ୍ରୋଲିଂ ରିପୋର୍ଟ ଆଧାରରେ ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସେସ୍ ଥାନାରେ କେସ୍ ନମ୍ବର ୧୦୧, ତାରିଖ ୦୪.୦୭.୨୦୨୬ ରୁଜୁ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବିଭିନ୍ନ ଧାରା ସହ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୬ସି, ୬୭ ଓ ୬୭ଏ ଅଧୀନରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରୁ ବିଶ୍ୱଜିତ ‘Mr Biswa’ ନାମରେ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ପରିଚାଳନା କରୁଥିବା ପୋଲିସ ଜାଣିବାକୁ ପାଇଥିବା କହିଛି। ପୋଲିସର ଅଭିଯୋଗ ଅନୁଯାୟୀ, ସେ ଇଣ୍ଟରନେଟ୍‌ରୁ ଫଟୋ ସଂଗ୍ରହ କରି ସେଗୁଡ଼ିକୁ ଡିଜିଟାଲ୍ ଭାବେ ପରିବର୍ତ୍ତନ କରୁଥିଲେ। ପରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସେହି ଫଟୋକୁ ନିଜ ପୋଷ୍ଟ ଓ ରିଲ୍ସର ଥମ୍ବନେଲ୍ ଭାବେ ବ୍ୟବହାର କରୁଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଆପତ୍ତିଜନକ ଢଙ୍ଗରେ ଡିଜିଟାଲ୍ ପରିବର୍ତ୍ତନ କରାଯାଇଥିବା ମଧ୍ୟ ପୋଲିସ ଅଭିଯୋଗ କରିଛି।

ପୋଲିସ ଦାବି କରିଛି ଯେ, ଏଭଳି ଭିଡିଓ ଓ ପୋଷ୍ଟ ସୋସିଆଲ୍ ମିଡିଆରେ ଲକ୍ଷାଧିକ ଲୋକଙ୍କ ନିକଟରେ ପହଞ୍ଚିଥିଲା। ନକାରାତ୍ମକ ବାର୍ତ୍ତା, ଭୁଲ୍ ସୂଚନା ଏବଂ ଅଶ୍ଳୀଳତା ପ୍ରସାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନି କରିବା ଓ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିବା ପୋଲିସ ପ୍ରେସ୍ ବ୍ରିଫ୍‌ରେ ଉଲ୍ଲେଖ କରିଛି।

ତଦନ୍ତ ସମୟରେ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ଆଇଫୋନ୍ ଜବତ କରାଯାଇଛି। ଏଥିସହ ଆପତ୍ତିଜନକ ଇନଷ୍ଟାଗ୍ରାମ୍ ପୋଷ୍ଟ, ରିଲ୍ସ ଓ ଭିଡିଓର ସ୍କ୍ରିନ୍‌ସଟ୍ ଏବଂ ଡାଉନଲୋଡ୍ କପି ସହ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିଛି ପୋଲିସ।

ଏହି ଘଟଣା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ସତର୍କ କରିଛି କମିଶନରେଟ୍ ପୋଲିସ। AI ଜେନେରେଟେଡ୍, ମର୍ଫଡ୍, ଅଶ୍ଳୀଳ କିମ୍ବା ମାନହାନିକର କଣ୍ଟେଣ୍ଟ ତିଆରି ଓ ପ୍ରସାର କଲେ ଆଇନଗତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅନଲାଇନ୍‌ରେ ମିଳୁଥିବା ସୂଚନାକୁ ଯାଞ୍ଚ କରିବା ପରେ ସେୟାର କରିବା ଏବଂ ବେଆଇନ୍ ଡିଜିଟାଲ୍ କଣ୍ଟେଣ୍ଟ ତିଆରି କିମ୍ବା ଫରୱାର୍ଡ ନକରିବାକୁ ପୋଲିସ ପରାମର୍ଶ ଦେଇଛି।