Blog
ବିଟେକ୍ରେ ଗୋଲ୍ଡ ମେଡାଲ, କିନ୍ତୁ ମିଳିଲାନି ଚାକିରି ! ସୁଇସାଇଡ୍ ନୋଟରେ ବାପାଙ୍କୁ କହିଲେ ଶେଷ କଥା
ଉତ୍ତର ପ୍ରଦେଶର କାନପୁରରେ ଜଣେ ୨୩ ବର୍ଷୀୟ ବିଟେକ୍ ସ୍ୱର୍ଣ୍ଣପଦକ ବିଜେତା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଛାଡ଼ିଯାଇଥିବା ସୁଇସାଇଡ୍ ନୋଟରେ ସରକାରୀ ଚାକିରି ପାଇବା ପାଇଁ ବହୁବାର ଚେଷ୍ଟା କରି ମଧ୍ୟ ସଫଳ ହୋଇପାରିନଥିବାରୁ ବାପାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।
ମୃତ ଯୁବକଙ୍କ ନାମ ଆନନ୍ଦ କୁମାର। ସେ କାନପୁର ସ୍ଥିତ ପ୍ରାଣବୀର ସିଂହ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (PSIT)ରୁ ୨୦୨୪ ମସିହାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। ସେ ନିଜ କଲେଜରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଉତ୍ତର ପ୍ରଦେଶରେ ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି ସଫଳତା ପାଇଁ ତାଙ୍କୁ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ କଲେଜର ଏକ ସମାରୋହରେ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ।
ପରିବାର ଲୋକେ ବଡ଼ ଭାଇଙ୍କ ବିବାହ ପାଇଁ ବିହାର ସ୍ଥିତ ପୈତୃକ ଗାଁକୁ ଯାଇଥିବା ବେଳେ ଆନନ୍ଦ କାନପୁରର ଗୋବିନ୍ଦ ନଗରସ୍ଥିତ ତିନି ମହଲା ବିଶିଷ୍ଟ ଘରରେ ଏକାକୀ ଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ଘରର ସହାୟିକା ପଡ଼ୋଶୀ ଓ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।
ଘଟଣାସ୍ଥଳରୁ ପୋଲିସ ଇଂରାଜୀରେ ଲେଖାଯାଇଥିବା ପାଞ୍ଚ ଧାଡ଼ିର ଏକ ସୁଇସାଇଡ୍ ନୋଟ ଜବତ କରିଛି।
ସୁଇସାଇଡ୍ ନୋଟରେ ଲେଖାଯାଇଛି—
“ସରି ପାପା, ସରକାରୀ ଚାକିରି ପାଇବା ପାଇଁ ମୁଁ ପ୍ରାୟ ୫୦ ଥର ଚେଷ୍ଟା କରିଥିଲି, କିନ୍ତୁ ସଫଳ ହୋଇପାରିଲି ନାହିଁ। ମୋତେ କ୍ଷମା କରିଦିଅ।”
ଆନନ୍ଦଙ୍କ ବାପା ରାଜକୁମାର କହିଛନ୍ତି ଯେ, ବିଟେକ୍ ସମାପ୍ତ କରିବା ପରେ ଆନନ୍ଦ ପାୱାର ଗ୍ରିଡ୍ରେ ଏକ ବର୍ଷର ଆପ୍ରେଣ୍ଟିସ୍ଶିପ୍ କରିଥିଲେ। ଏହାପରେ ସେ ବିଭିନ୍ନ ସରକାରୀ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିଲେ।
ରାଜକୁମାରଙ୍କ କହିବା ଅନୁସାରେ, ଆନନ୍ଦ ରେଳବାଇ, ଷ୍ଟାଫ୍ ସିଲେକ୍ସନ କମିଶନ (SSC), ବ୍ୟାଙ୍କ ଓ ଶିକ୍ଷା ବିଭାଗର ବିଭିନ୍ନ ନିଯୁକ୍ତି ପରୀକ୍ଷା ଦେଇଥିଲେ। କିନ୍ତୁ କୌଣସି ପରୀକ୍ଷାରେ ସଫଳ ହୋଇପାରିନଥିଲେ। ଗତ କିଛି ମାସ ଧରି ସେ ଗଭୀର ମାନସିକ ଚାପରେ ରହୁଥିଲେ।
- Trending




