Blog
‘ଭାବନାକୁ କ୍ଷତି ପହଞ୍ଚାଉଥିବା କଣ୍ଟେଣ୍ଟ ଚଳିବ ନାହିଁ’…ଗୁଗଲ୍ ଭିଡିଓ ହଟାଉ, ନଚେତ୍ କୋର୍ଟ ଦିଅନ୍ତୁ ନିର୍ଦ୍ଦେଶ !
ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଏକ ବିବାଦୀୟ ଭିଡିଓକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଭିଡିଓଟିକୁ ହଟାଇବା ଦାବି ସମ୍ପର୍କିତ ଆବେଦନ ଉପରେ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କ ଅଭିଯୋଗ ଅପିଲେଟ କମିଟି (Grievance Appellate Committee-GAC)କୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ, ଏହି ନିର୍ଦ୍ଦେଶକୁ କୌଣସି ପ୍ରକାରେ ଅଣଦେଖା କରାଗଲେ ତାହାକୁ ଗୁରୁତ୍ୱର ଭାବେ ନିଆଯିବ।
ଏହି ମାମଲା ଧ୍ରୁବ ରାଠୀ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ଅପଲୋଡ୍ କରିଥିବା ୟୁଟ୍ୟୁବ୍ ଭିଡିଓ ‘କ୍ୟା ହିନ୍ଦୁ ବିଫ୍ ଖା ସକତେ ହୈଁ ? କେରଳ ଷ୍ଟୋରୀ-୨ କା ପର୍ଦାଫାଶ’ ସହ ଜଡ଼ିତ। ଆବେଦନକାରୀ ଆଇନଜୀବୀ ଅମିତା ସଚଦେବ ଅଭିଯୋଗ କରିଛନ୍ତି ଯେ, ଏହି ଭିଡିଓରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଭଗବାନ କୃଷ୍ଣଙ୍କ ସମ୍ପର୍କରେ କଥିତ ଭାବେ କୁହାଯାଇଛି ଯେ, ସେମାନେ ମାଂସ ଓ ମଦ୍ୟ ସେବନ କରୁଥିଲେ। ଏହାଦ୍ୱାରା କୋଟି କୋଟି ଲୋକଙ୍କ ଧାର୍ମିକ ଭାବନା ଆହତ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ (ASG) ଚେତନ ଶର୍ମା କହିଥିଲେ ଯେ, ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମ ଉଚିତ ସତର୍କତା ଅବଲମ୍ବନ କରିବା ଉଚିତ ଥିଲା। ଆପତ୍ତିଜନକ ଏବଂ ଘୃଣା ସୃଷ୍ଟିକାରୀ ବିଷୟବସ୍ତୁକୁ ତୁରନ୍ତ ହଟାଇ ଦିଆଯିବା ଉଚିତ ଥିଲା ବୋଲି ସେ ଯୁକ୍ତି ବାଢ଼ିଥିଲେ। ଧ୍ରୁବ ରାଠୀଙ୍କ ଭିଡିଓ ସମାଜରେ ବିଭେଦ ସୃଷ୍ଟି କରୁଥିବା ବିଷୟବସ୍ତୁ ବୋଲି ସେ କୋର୍ଟଙ୍କୁ କହିଥିଲେ।
ଗୁଗଲ୍ ଭିଡିଓ ହଟାଉ, ନଚେତ୍ କୋର୍ଟ ଦିଅନ୍ତୁ ନିର୍ଦ୍ଦେଶ !
ଏଏସ୍ଜି ଆହୁରି କହିଥିଲେ ଯେ, ଗୁଗଲ୍ ନିଜେ ଭିଡିଓଟିକୁ ହଟାଇବା ପାଇଁ ନିଷ୍ପତ୍ତି ନେଉ କିମ୍ବା କୋର୍ଟ ଏହି ମାମଲାରେ ଉପଯୁକ୍ତ ନିର୍ଦ୍ଦେଶ ପାରିତ କରନ୍ତୁ। ବହୁସଂଖ୍ୟକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଏଭଳି ବିଷୟବସ୍ତୁକୁ କୌଣସି ମଞ୍ଚ ମିଳିବା ଉଚିତ ନୁହେଁ ବୋଲି ସେ କହିଥିଲେ।
୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବ GAC: କୋର୍ଟ
ଅନ୍ୟପକ୍ଷରେ ଗୁଗଲ୍ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ, କମ୍ପାନୀ ଆବେଦନକାରୀଙ୍କୁ ନିଜର ଜବାବ ଦେଇସାରିଛି ଏବଂ ଏହି ମାମଲାରେ GAC ସମ୍ମୁଖରେ ଅପିଲ୍ ମଧ୍ୟ ଦାଖଲ କରାଯାଇଛି। ଏହାପରେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା GACକୁ ୧୫ ଦିନ ମଧ୍ୟରେ ଅପିଲ୍ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟ ଭିଡିଓଟିକୁ ହଟାଇବା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଏବେ ସମସ୍ତଙ୍କ ନଜର GACର ନିଷ୍ପତ୍ତି ଉପରେ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, GACକୁ ଆଗାମୀ ୧୫ ଦିନ ମଧ୍ୟରେ ନିଜର ନିଷ୍ପତ୍ତି ଜଣାଇବାକୁ ହେବ।
- Trending




