Blog
‘ଡିଜିଟାଲ ଆରେଷ୍ଟ’କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ…
‘ଡିଜିଟାଲ ଆରେଷ୍ଟ’ ନାଁରେ ସାଇବର ଠକେଇ ଘଟଣାକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରିଛି। ଡିଜିଟାଲ ଆରେଷ୍ଟ ଏକ ବଡ଼ ଠକେଇ ବୋଲି ସ୍ପଷ୍ଟ କରିବା ସହ ସନ୍ଦେହଜନକ ଫୋନ୍ କଲ୍, ଭିଡିଓ କଲ୍ କିମ୍ବା ମେସେଜ୍ରୁ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି। ‘ଡିଜିଟାଲ ଆରେଷ୍ଟ’ ହେଉଛି ଏକ ସ୍କାମ
ଭୟଭୀତ ହୁଅନ୍ତୁ ନାହିଁ
କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଭାରତରେ ‘ଡିଜିଟାଲ ଆରେଷ୍ଟ’ ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ପୋଲିସ କିମ୍ବା ଅନ୍ୟ କୌଣସି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା କାହାକୁ ‘ଡିଜିଟାଲ ଆରେଷ୍ଟ’ କରନ୍ତି ନାହିଁ। ସେହିପରି ଭିଡିଓ କଲ୍ କିମ୍ବା ମେସେଜ୍ ମାଧ୍ୟମରେ କାହାକୁ ଗିରଫ କରାଯାଏ ନାହିଁ।
ସାଇବର ଠକମାନେ ନିଜକୁ ପୋଲିସ, ସିବିଆଇ, ଇଡି କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିପାରନ୍ତି। ଗୁରୁତ୍ୱର ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଟଙ୍କା ଆଦାୟ ପାଇଁ ଉଦ୍ୟମ କରାଯାଇପାରେ। ତେବେ କୌଣସି ତଦନ୍ତକାରୀ ସଂସ୍ଥା ତଦନ୍ତ ନାଁରେ କୌଣସି ଆପ୍ରେ ଯୋଗ ଦେବାକୁ କିମ୍ବା ଭିଡିଓ କଲ୍ରେ ଦୀର୍ଘ ସମୟ ରହିବାକୁ କହିନଥାନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି।
ଏଭଳି ସନ୍ଦେହଜନକ ଫୋନ୍ କଲ୍ ଆସିଲେ ଭୟଭୀତ ନ ହୋଇ ତୁରନ୍ତ କଲ୍ କାଟିଦେବାକୁ ପୋଲିସ ପରାମର୍ଶ ଦେଇଛି। ଅଜଣା ବ୍ୟକ୍ତିଙ୍କ କଥାରେ କେବେ ହେଲେ ଟଙ୍କା ପଠାନ୍ତୁ ନାହିଁ। ସେହିପରି ଠକଙ୍କ ଚାପରେ ପଡ଼ି ଫିକ୍ସଡ୍ ଡିପୋଜିଟ୍ (FD) କିମ୍ବା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍ (PPF) ଭାଙ୍ଗି ଟଙ୍କା ଟ୍ରାନ୍ସଫର ନ କରିବାକୁ କୁହାଯାଇଛି।

ନିଜର OTP, PIN, ପାସୱାର୍ଡ କିମ୍ବା ବ୍ୟାଙ୍କିଂ ସମ୍ପର୍କିତ କୌଣସି ଗୋପନୀୟ ସୂଚନା ଅଜଣା ବ୍ୟକ୍ତିଙ୍କ ସହ ସେୟାର୍ ନ କରିବାକୁ କମିଶନରେଟ ପୋଲିସ ସତର୍କ କରିଛି। ସାଇବର ଠକେଇର ସନ୍ଦେହ ହେଲେ କିମ୍ବା ଟଙ୍କା ଠକେଇର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ନମ୍ବର ୧୯୩୦କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି।
ଏହାସହ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ରେ ଅନଲାଇନ୍ ଅଭିଯୋଗ କରାଯାଇପାରିବ। ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ସମ୍ପର୍କିତ ଘଟଣାରେ ନିକଟସ୍ଥ ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ସହ ଯୋଗାଯୋଗ କରିବାକୁ ମଧ୍ୟ କମିଶନରେଟ ପୋଲିସ ପରାମର୍ଶ ଦେଇଛି।
ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ (CC & EO) ଥାନା ସହ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର 7440006709 ଜାରି କରାଯାଇଛି। ସେହିପରି କଟକ CC & EO ଥାନାର ମୋବାଇଲ୍ ନମ୍ବର 8280405695ରେ ଯୋଗାଯୋଗ କରିପାରିବେ।
କମିଶନରେଟ ପୋଲିସର ସ୍ପଷ୍ଟ ବାର୍ତ୍ତା— ‘ଡିଜିଟାଲ ଆରେଷ୍ଟ’କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ସଚେତନ ରୁହନ୍ତୁ, ସନ୍ଦେହଜନକ କଲ୍ କାଟନ୍ତୁ ଏବଂ ସାଇବର ଠକେଇ ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାନ୍ତୁ।
- Trending




