“ବାପା…ମୋତେ ଏଠୁ ନେଇଯାଅ !”— କୁନି ଝିଅର କାନ୍ଦ ଦେଖି ଭିଜିଗଲା ସମସ୍ତଙ୍କ ଆଖି

“ବାପା ମୋତେ ଏଠୁ ତୁମ ସାଙ୍ଗରେ ନେଇ ଯାଅ…ମୁଁ ତୁମକୁ ଛାଡ଼ି ଏକାକୀ ରହିପାରିବିନି । କାନ୍ଦି କାନ୍ଦି ବାପା ବି କୁନି ଝିଅଟିକୁ ଆଲିଙ୍ଗନ କରି କହୁଛନ୍ତି ମୁଁ ବି ମରି ଯିବି, ଯଦି ମୋ ଝିଅ ମୋ ସାଙ୍ଗରେ ନରୁହେ ।” ଏହି ଭାବବିହ୍ୱଳ ମୁହୂର୍ତ୍ତକୁ ଯେ କେହିବି ଦେଖିବ ତାଙ୍କ ଆଖିରେ ଲୁହ ଆସିଯିବ । ସ୍ୱାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ବିବାଦରେ ବଳି ପଡିଛି ଏହି କୁନି ଝିଅ ।

ସ୍ୱାମୀ କହୁଛନ୍ତି ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଛନ୍ତି। ସ୍ତ୍ରୀଙ୍କ ଅଭିଯୋଗ ହେଉଛି, ସ୍ୱାମୀ ହିଁ ଅନ୍ୟ ଜଣଙ୍କୁ ବିବାହ କରି ସଂସାର କରୁଛନ୍ତି। ଉଭୟଙ୍କ ଅଭିଯୋଗ-ପ୍ରତିଅଭିଯୋଗ ମଧ୍ୟରେ ଆଇନ ନିଜ ବାଟରେ ଚାଲୁଥିବା ବେଳେ, ସବୁଠାରୁ ଅଧିକ ଯନ୍ତ୍ରଣା ସହୁଛି ଏହି ନିରୀହ କୁନି ଝିଅ। ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ଏହି ଘଟଣା ନା କେବଳ ଏକ ପାରିବାରିକ ବିବାଦ, ବରଂ ଜଣେ ଶିଶୁର ଭବିଷ୍ୟତକୁ ନେଇ ମଧ୍ୟ ଗଭୀର ପ୍ରଶ୍ନ ସୃଷ୍ଟି ହୋଇଛି ।

ଦେଢ଼ ବର୍ଷ ଧରି ସତ୍ୟବାନ ନାୟକ ଓ ତାଙ୍କ ସ୍ତ୍ରୀ କରିସ୍ମାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ଅଭିଯୋଗ ରହିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ କରୁଥିବା ବେଳେ, ଏହି ବିବାଦର ସବୁଠାରୁ ବଡ଼ ଶିକାର ପାଲଟିଛି ସେମାନଙ୍କ କୁନି ଝିଅ। ମା’ଙ୍କ ଅଭିଯୋଗ ଆଧାରରେ ଚାଇଲ୍ଡ ହେଲ୍ପଲାଇନ୍ ଶିଶୁଟିକୁ ଉଦ୍ଧାର କରି ନୀଳଗିରି ଧୋବଶିଳା କନ୍ୟା ଆଶ୍ରମରେ ରଖିଥିଲା, ଫଳରେ ସେ ବର୍ତ୍ତମାନ ନିଜ ବାପା-ମା’ଙ୍କ ସ୍ନେହରୁ ଦୂରେଇ ଜୀବନ କାଟୁଛି।

ଏହି ଘଟଣାର ସବୁଠାରୁ ଭାବବିହ୍ୱଳ ମୁହୂର୍ତ୍ତ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ପ୍ରାୟ ଦଶ ଦିନ ପରେ ଆଶ୍ରମରେ ନିଜ ବାପାଙ୍କୁ ଦେଖି କୁନି ଝିଅଟି ଦୌଡ଼ି ଆସି ତାଙ୍କ କୋଳରେ ଜାବୁଡ଼ି ଧରି କାନ୍ଦି ପକାଇଥିଲା। କାନ୍ଦି କାନ୍ଦି ତା’ର କେବଳ ଗୋଟିଏ ଅନୁରୋଧ ଥିଲା— “ବାପା, ମୋତେ ନେଇଯାଅ।” ଏହି ହୃଦୟବିଦାରକ ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ଅନେକଙ୍କ ଆଖିରେ ଲୁହ ଆସିଯାଇଥିଲା, କାରଣ ଜଣେ ଶିଶୁର ସରଳ ଆକୁଳ ଡାକ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା।

ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନୀଳଗିରି ଧୋବଶିଳା କନ୍ୟା ଆଶ୍ରମରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସେହି ସମୟରେ ବାପା-ଝିଅଙ୍କ ଭାବବିହ୍ୱଳ ମିଳନ ସମସ୍ତଙ୍କୁ କନ୍ଦେଇ ଦେଇଥିଲା ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସତ କହୁଛନ୍ତି ଏବଂ କାହାର ଅଭିଯୋଗ ଠିକ୍, ତାହାର ନିଷ୍ପତ୍ତି ଆଇନ ଓ ଅଦାଲତ କରିବ। କିନ୍ତୁ ଏହି ବିବାଦ ମଧ୍ୟରେ ଏକ ନିଷ୍ପାପ ଶିଶୁର ମାନସିକ ଅବସ୍ଥା, ତା’ର ଭାବନା ଓ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ବାପା-ମା’ଙ୍କ ସ୍ନେହ, ସୁରକ୍ଷା ପାଇବା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର। କିନ୍ତୁ ବଡ଼ମାନଙ୍କ ବିବାଦରେ ଅନେକ ସମୟରେ ଶିଶୁମାନେ ହିଁ ସବୁଠାରୁ ଅଧିକ କଷ୍ଟ ଭୋଗ କରନ୍ତି।

ଆଜି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଏହି କୁନି ଝିଅଟିର ଦୋଷ କ’ଣ? ବାପା-ମା’ଙ୍କ ମତଭେଦ ପାଇଁ କାହିଁକି ସେ ନିଜ ପରିବାର ଠାରୁ ଦୂରେଇ ରହିବ? ଆଇନ ବିବାଦର ସମାଧାନ କରିପାରିବ, କିନ୍ତୁ ଜଣେ ଶିଶୁର ମନରେ ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂରଣ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ।