ଆଉ ରହିବନି ଡେଙ୍ଗୁ ଭୟ ! ଭାରତରେ ଆସିଲା ପ୍ରଥମ ଡେଙ୍ଗୁ ଟିକା ‘QDENGA’

ଡେଙ୍ଗୁ ରୋଗ ନିୟନ୍ତ୍ରଣ ଦିଗରେ ଭାରତ ପାଇଁ ଏକ ବଡ଼ ସଫଳତା ଆସିଛି। ଦେଶରେ ପ୍ରଥମ ଥର ପାଇଁ ଡେଙ୍ଗୁ ପ୍ରତିଷେଧକ ଭ୍ୟାକ୍‌ସିନ୍ ‘QDENGA’କୁ ମଞ୍ଜୁରୀ ମିଳିଛି। ଏହି ଭ୍ୟାକ୍‌ସିନ୍‌କୁ ଜାପାନର ପ୍ରମୁଖ ଔଷଧ କମ୍ପାନୀ ଟକେଡା ବାୟୋଫାର୍ମାସିଟିକାଲ୍ସ (Takeda Biopharmaceuticals) ବିକଶିତ କରିଛି।

ଏହି ଟିକା ୪ ବର୍ଷରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ବୋଲି ଅନୁମୋଦନ ମିଳିଛି। ଏହାର ସବୁଠାରୁ ବଡ଼ ବିଶେଷତା ହେଉଛି, ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ତାହା ଜାଣିବା କିମ୍ବା ପରୀକ୍ଷା କରିବାର ଆବଶ୍ୟକତା ନାହିଁ।

ଦୁଇଟି ଡୋଜ୍‌ରେ ସମ୍ପୂର୍ଣ୍ଣ ସୁରକ୍ଷା

‘QDENGA’ ଭ୍ୟାକ୍‌ସିନ୍‌ ଦୁଇଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ପରେ ୩ ମାସ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ଦିଆଯିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଦୁଇଟି ଡୋଜ୍‌ ନେବା ପରେ ଡେଙ୍ଗୁ ବିରୋଧରେ ଶରୀରରେ ଉତ୍ତମ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥାଏ।

୪୩ଟି ଦେଶରେ ପୂର୍ବରୁ ମିଳିଛି ମଞ୍ଜୁରୀ

ଭାରତ ପୂର୍ବରୁ ‘QDENGA’କୁ ବିଶ୍ୱର ୪୩ଟି ଦେଶ ବ୍ୟବହାର ପାଇଁ ଅନୁମୋଦନ ଦେଇସାରିଛନ୍ତି। ଏହି ଭ୍ୟାକ୍‌ସିନ୍‌ର ସୁରକ୍ଷା ଓ ପ୍ରଭାବକୁ ନେଇ ବିଭିନ୍ନ ଦେଶରେ ସକାରାତ୍ମକ ଫଳାଫଳ ମିଳିଛି।

୩୨ ନିୟୁତରୁ ଅଧିକ ଡୋଜ୍‌ ଦିଆସରିଛି

ବିଶ୍ୱସ୍ତରରେ ‘QDENGA’ର ୩୨ ନିୟୁତରୁ ଅଧିକ ଡୋଜ୍ ଦିଆସରିଛି। ଏହା ଦ୍ୱାରା ଲକ୍ଷାଧିକ ଲୋକ ଡେଙ୍ଗୁ ସଂକ୍ରମଣର ଗୁରୁତର ପ୍ରଭାବରୁ ସୁରକ୍ଷା ପାଇଛନ୍ତି।

ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ପ୍ରତିବର୍ଷ ବର୍ଷା ଋତୁରେ ଭାରତର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଏ। ହଜାର ହଜାର ଲୋକ ଏହି ରୋଗରେ ଆକ୍ରାନ୍ତ ହେବା ସହ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟିଥାଏ। ଏପରି ସ୍ଥିତିରେ ‘QDENGA’କୁ ମଞ୍ଜୁରୀ ମିଳିବା ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଟିକାକରଣ ସହିତ ମଶା ନିୟନ୍ତ୍ରଣ, ସଫାସୁତରା ପରିବେଶ ଏବଂ ସଚେତନତା ମଧ୍ୟ ଡେଙ୍ଗୁ ପ୍ରତିରୋଧରେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ।