Blog
ବନ୍ଧୁତାରୁ ବ୍ଲାକମେଲ୍ ! ଅନ୍ତରଙ୍ଗ ଫଟୋ-ଭିଡିଓ ଦେଖାଇ ୬ କୋଟିର ଠକେଇ
ଉତ୍ତରପ୍ରଦେଶର ଜଣେ ମହିଳାଙ୍କ ବିରୋଧରେ ଟିଣ୍ଡର ଓ ସୋସିଆଲ ମିଡିଆ ଜରିଆରେ ପୁରୁଷମାନଙ୍କ ସହ ବନ୍ଧୁତା ସ୍ଥାପନ କରିବା ପରେ, ସେମାନଙ୍କର ଅନ୍ତରଙ୍ଗ ଫଟୋ ଓ ଭିଡିଓକୁ ବ୍ୟବହାର କରି ବ୍ଲାକମେଲ୍ କରିବା ଏବଂ ବଡ଼ ଅଙ୍କର ଟଙ୍କା ଦାବି କରିବାର ଅଭିଯୋଗ ଆସିଛି।
ହାଇକୋର୍ଟ ଆଇନଜୀବୀଙ୍କ ଦ୍ୱାରା ଦାଖଲ ଅଭିଯୋଗ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଏକ କଥିତ ନେଟୱର୍କ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଜଣେ ମହିଳା ଡେଟିଂ ଆପ୍ ଟିଣ୍ଡର ମାଧ୍ୟମରେ ପୁରୁଷମାନଙ୍କ ସହ ବନ୍ଧୁତା କରୁଥିଲେ। ପରେ ସେମାନଙ୍କୁ ଅପରାଧିକ ମାମଲାରେ ଫସାଇଦେବାର ଧମକ ଦେଇ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗରେ ମହିଳାଙ୍କ ପରିଚୟ ପଲ୍ଲବୀ ସିଂହ ରାଜପୁତ ବୋଲି ଦର୍ଶାଯାଇଛି। ଡେଟିଂ ଆପ୍ ଏବଂ ସୋସିଆଲ ମିଡିଆ ଜରିଆରେ ସେ ପୁରୁଷମାନଙ୍କୁ ଟାର୍ଗେଟ୍ କରୁଥିବା ଅଭିଯୋଗ ରହିଛି।
ଅଭିଯୋଗ ଏବଂ କଥିତ ପୀଡ଼ିତମାନଙ୍କ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ, ପ୍ରଥମେ ସମ୍ପର୍କ ବନ୍ଧୁତାରୁ ଆରମ୍ଭ ହେଉଥିଲା। ପରେ ଧୀରେ ଧୀରେ ସମ୍ପର୍କ ଅଧିକ ଘନିଷ୍ଠ ହେଉଥିଲା। ଏହାପରେ ଦୁଇପକ୍ଷଙ୍କ ସାକ୍ଷାତ ସମୟର ଫଟୋ କିମ୍ବା ଭିଡିଓ ରେକର୍ଡ କରାଯାଉଥିବା ଅଭିଯୋଗ ହୋଇଛି।

ପରବର୍ତ୍ତୀ ସମୟରେ ଏହି ଫଟୋ ଓ ଭିଡିଓକୁ ବ୍ୟବହାର କରି ସମ୍ପୃକ୍ତ ପୁରୁଷମାନଙ୍କୁ ବ୍ଲାକମେଲ୍ କରାଯାଉଥିଲା ବୋଲି ଅଭିଯୋଗ ରହିଛି। ଅଭିଯୋଗକାରୀଙ୍କ ଦାବି ଅନୁସାରେ, ଏହି ପ୍ରକ୍ରିୟାରେ ପୀଡ଼ିତମାନଙ୍କଠାରୁ ୬ କୋଟିରୁ ଅଧିକ ଟଙ୍କା ଆଦାୟ କରାଯାଇଛି।
ଗୁରୁତର ମାମଲାରେ ଫସାଇବାକୁ ଧମକ !
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଟଙ୍କା ଦେବାକୁ ମନା କଲେ ପୁରୁଷମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ଗୁରୁତର ଅପରାଧିକ ମାମଲାରେ ଫସାଇଦେବାକୁ ଧମକ ଦିଆଯାଉଥିଲା।
ତେବେ ଏହି ସମସ୍ତ ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।
ଅଭିଯୋଗକାରୀଙ୍କ ଅନ୍ୟତମ ଗୁରୁତର ଦାବି ହେଉଛି, ମହିଳାଙ୍କ ଦ୍ୱାରା ଦାଖଲ ଅଭିଯୋଗ ପରେ ୫ ଜଣ ବ୍ୟକ୍ତି ଜେଲ୍ ଯାଇଛନ୍ତି। କଥିତ ପୀଡ଼ିତଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ଏହି ମାମଲାଗୁଡ଼ିକ ସହିତ ଆଗକୁ ଆହୁରି ଆଇନଗତ ମାମଲା ଏବଂ ସାମାଜିକ ଭାବେ ଅପମାନିତ କରିବାର ଧମକ ଦେଇ ଟଙ୍କା ଦେବାକୁ ଚାପ ପକାଯାଉଥିଲା।
ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଏହି ଘଟଣା ସହ ସମ୍ପର୍କିତ ବୋଲି ଦାବି କରାଯାଉଥିବା କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରୁଛି।
ଏକ ଫଟୋରେ ଖଟ ଉପରେ ବିପୁଳ ପରିମାଣର ଟଙ୍କାର ବଣ୍ଡଲ୍ ରଖାଯାଇଥିବା ଦେଖାଯାଉଛି। ଅନ୍ୟ ଏକ ଫଟୋରେ ଜଣେ ମହିଳାଙ୍କ ହାତରେ ଅସ୍ତ୍ର ଭଳି ଦେଖାଯାଉଥିବା ଏକ ବସ୍ତୁ ରହିଛି।
ତେବେ ଏହି ଫଟୋଗୁଡ଼ିକର ଉତ୍ସ, ତାରିଖ ଏବଂ ପ୍ରକୃତ ପରିପ୍ରେକ୍ଷିତ ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ।
ଭିନ୍ନ ନାମରେ ସୋସିଆଲ ମିଡିଆ ଆକାଉଣ୍ଟ !
ଅନ୍ୟ ଏକ ଅଭିଯୋଗ ଅନୁସାରେ, ନୂଆ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ମହିଳା ଜଣକ ଭିନ୍ନ ଭିନ୍ନ ନାମରେ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରୁଥିଲେ ବୋଲି ଦାବି କରାଯାଇଛି। ଏଥିରେ ‘ସ୍ୱିଟି ତିୱାରୀ’ ନାମ ମଧ୍ୟ ଉଲ୍ଲେଖ କରାଯାଇଛି।
ଅଭିଯୋଗ ଅନୁସାରେ, ପଲ୍ଲବୀ ସିଂହ ରାଜପୁତଙ୍କୁ ଏହି କାର୍ଯ୍ୟରେ ଆଉ ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷ ସହଯୋଗ କରୁଥିଲେ।
ମାମଲାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ହିଁ ଅଭିଯୋଗଗୁଡ଼ିକର ସତ୍ୟତା ଏବଂ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
- Trending




