Blog
ଜମି କିଣାବିକା, ପଞ୍ଜୀକରଣ ପ୍ରକ୍ରିୟାରେ ଆସିବ ବଡ଼ ପରିବର୍ତ୍ତନ !
ରାଜ୍ୟରେ ଜମି କିଣାବିକା ଓ ପଞ୍ଜୀକରଣ ପ୍ରକ୍ରିୟାରେ ଆସିବ ବଡ଼ ପରିବର୍ତ୍ତନ। ଏଣିକି ଜମି କିଣାବିକା କ୍ଷେତ୍ରରେ ସମସ୍ତ ଆର୍ଥିକ କାରବାର ସମ୍ପୂର୍ଣ୍ଣ କ୍ୟାସ୍ଲେସ୍ ହେବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ପଞ୍ଜୀକରଣ ସମୟରେ ଏଣିକି ଗୋଟିଏ ଟଙ୍କା ମଧ୍ୟ ନଗଦ ଆକାରରେ କାରବାର ହେବ ନାହିଁ। ପୂର୍ବରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ କାରବାର କରିବାର ବ୍ୟବସ୍ଥା ରହିଥିଲା। ତେବେ ନୂଆ ବ୍ୟବସ୍ଥାରେ ସମସ୍ତ ଦେୟ ଡିଜିଟାଲ୍ ବା କ୍ୟାସ୍ଲେସ୍ ମାଧ୍ୟମରେ କରାଯିବ।
ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ସହ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ନୂଆ ବ୍ୟବସ୍ଥା ଲାଗୁ ହେଲେ ଜମି କ୍ରେତା ଓ ବିକ୍ରେତାଙ୍କୁ ବାରମ୍ବାର ରେଜିଷ୍ଟ୍ରେସନ୍ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ।
ସେହିପରି ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଦଲିଲ ମଧ୍ୟ ଅନଲାଇନ୍ରେ ଉପଲବ୍ଧ ହେବ। ଫଳରେ ଲୋକମାନେ ସହଜରେ ନିଜ ଦଲିଲ ପାଇପାରିବେ। ଏହାଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି।
ଏହି ନୂଆ କ୍ୟାସ୍ଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର SOP (Standard Operating Procedure) ଜାରି କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।
- Trending




