ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ବଡ଼ ଉପହାର: KG ରୁ PG ଯାଏ ମାଗଣା ଶିକ୍ଷା

ରାଜ୍ୟ ସରକାରଙ୍କ ଐତିହାସିକ ‘କେଜି ରୁ ପିଜି’ ମାଗଣା ଶିକ୍ଷା ଯୋଜନା ବର୍ତ୍ତମାନ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି। ଗତ ୧ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହା ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ଠାରୁ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ନାମଲେଖା ପାଇଁ କୌଣସି ଫି’ ଆଦାୟ କରାଯିବ ନାହିଁ। ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ମଧ୍ୟ ନାମଲେଖା ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।

ବୁଧବାର ପ୍ରକାଶିତ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକାରେ ଚୟନିତ ଛାତ୍ରଛାତ୍ରୀଙ୍କଠାରୁ କୌଣସି ନାମଲେଖା ଫି ଗ୍ରହଣ କରାଯିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି। ସେହିପରି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନି ଓ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ମଧ୍ୟ ନାମଲେଖା ଫି’ ଛାଡ଼ ଘୋଷଣା କରାଯାଇଛି। ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ନିୟମିତ ପାଠ୍ୟକ୍ରମରେ ନାମଲେଖା କରୁଥିବା ଛାତ୍ରଛାତ୍ରୀଙ୍କଠାରୁ କୌଣସି ଫି’ ନିଆଯିବ ନାହିଁ।

ଅନ୍ୟପକ୍ଷରେ, ଚଳିତ ଶିକ୍ଷାବର୍ଷରେ ପ୍ରଥମ ପର୍ଯ୍ୟାୟରେ ନାମଲେଖା କରି ଫି’ ଦେଇସାରିଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ସେହି ଅର୍ଥ ଫେରସ୍ତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
ତେବେ ସେଲ୍ଫ ଫାଇନାନ୍ସ, ଅଣ-ଅନୁଦାନପ୍ରାପ୍ତ, ପିପିପି ମୋଡ୍‌ରେ ପରିଚାଳିତ ଅନୁଷ୍ଠାନ ଏବଂ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଏହି ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷରେ ମୋଟ ୫,୪୬୭.୫୫ କୋଟି ଟଙ୍କା ବ୍ୟୟ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି।

ଏହି ପଦକ୍ଷେପ ରାଜ୍ୟରେ ଉଚ୍ଚଶିକ୍ଷାରେ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବୃଦ୍ଧି ସହ ଆର୍ଥିକ ଭାବେ ଦୁର୍ବଳ ପରିବାରଙ୍କ ପାଇଁ ବଡ଼ ସହାୟତା ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।