ଓଡ଼ିଶାର ରେଳ ବିକାଶକୁ ନୂଆ ଗତି, ଡବଲ ଇଞ୍ଜିନ ସରକାରଙ୍କ ବଡ଼ ପଦକ୍ଷେପ…

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ମିଳୁଛି । ରାଜ୍ୟର ରେଳ ବିକାଶ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ହୋଇଛି । ଶ୍ରୀକ୍ଷେତ୍ର ପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ନୂଆ ରେଳ ସଂଯୋଗ ଆରମ୍ଭ ହୋଇଛି। ପୁରୀ–କୋରାପୁଟ ସ୍ପେଶାଲ ଟ୍ରେନ୍‌କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି ।

ଏହି ନୂଆ ରେଳ ସେବା ଦ୍ୱାରା ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯାତାୟାତ ଆହୁରି ସହଜ ହେବ। ଭୁବନେଶ୍ୱର ଓ ରାୟଗଡ଼ା ଦେଇ ପୁରୀରୁ କୋରାପୁଟକୁ ଏହି ସ୍ପେଶାଲ ଟ୍ରେନ୍ ଗଡ଼ିବ। ଫଳରେ ପୁରୀ, ଭୁବନେଶ୍ୱର, ରାୟଗଡ଼ା ଓ କୋରାପୁଟ ସମେତ ବିଭିନ୍ନ ଅଞ୍ଚଳର ଯାତ୍ରୀ ଉପକୃତ ହେବେ।

ନୂଆ ରେଳ ସଂଯୋଗ ଦ୍ୱାରା କେବଳ ଯାତ୍ରୀ ପରିବହନ ସୁବିଧା ବୃଦ୍ଧି ପାଇବ ନାହିଁ, ବରଂ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିବ। ଶ୍ରୀଜଗନ୍ନାଥ ଧାମ ପୁରୀ ସହ କୋରାପୁଟର ପର୍ଯ୍ୟଟନ ଓ ଆଦିବାସୀ ସଂସ୍କୃତି ସମୃଦ୍ଧ ଅଞ୍ଚଳର ରେଳ ସଂଯୋଗ ଆହୁରି ସୁଦୃଢ଼ ହେବ।

ସେହିପରି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ବ୍ରହ୍ମପୁର ରେଳ ଷ୍ଟେସନର ସମ୍ପୂର୍ଣ୍ଣ ପୁନର୍ବିକାଶ କରାଯିବ। ଆଧୁନିକ ଯାତ୍ରୀ ସୁବିଧା ଓ ଉନ୍ନତ ଭିତ୍ତିଭୂମି ସହ ବ୍ରହ୍ମପୁର ରେଳ ଷ୍ଟେସନକୁ ନୂଆ ରୂପ ମିଳିବ ।

ଏହି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ୧୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ହାତକୁ ନିଆଯାଇଛି। ଯାତ୍ରୀଙ୍କ ସୁବିଧା, ସୁରକ୍ଷା ଏବଂ ଆରାମଦାୟକ ଯାତ୍ରାକୁ ଗୁରୁତ୍ୱ ଦେଇ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ବିକଶିତ କରାଯିବ।

ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ ସହ ରାଜ୍ୟରେ ରେଳ ସଂଯୋଗକୁ ମଧ୍ୟ ଆହୁରି ସୁଦୃଢ଼ କରାଯାଉଛି। ନୂଆ ରେଳ ସେବା ଏବଂ ଉନ୍ନତ ରେଳ ଯୋଗାଯୋଗ ଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଓ ରୋଜଗାର କ୍ଷେତ୍ରକୁ ନୂଆ ଗତି ମିଳିବ।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ଓ ଯାତାୟାତ କେନ୍ଦ୍ର ବ୍ରହ୍ମପୁର ପାଇଁ ଏହି ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି। ଷ୍ଟେସନର ନୂଆ ରୂପ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇବା ସହ ବ୍ରହ୍ମପୁର ସହରର ବିକାଶକୁ ମଧ୍ୟ ଆହୁରି ତ୍ୱରାନ୍ୱିତ କରିବ।