Blog
ଅକ୍ଟୋବର ୨୬ରୁ ଘରକୁ ଘର ଯିବ ଟିମ୍, ଆରମ୍ଭ ହେବ ଭୋଟର ସର୍ଭେ !
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ବଡ଼ ଘୋଷଣା କରିଛନ୍ତି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତାଲିକାକୁ ଅଦ୍ୟତନ କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗର ସଚିବ କହିଛନ୍ତି ଯେ, ଡୋର୍-ଟୁ-ଡୋର୍ ସର୍ଭେକୁ ସଫଳ କରିବା ପାଇଁ ଚଳିତ ମାସର ୩୧ ତାରିଖ ସୁଦ୍ଧା ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ। ଏହି ଟିମ୍ରେ ବୁଥ୍ ଲେବଲ୍ ଅଫିସର (BLO), ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ, ଯାହାଫଳରେ ସର୍ଭେ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ବ୍ୟାପକ ହେବ।
ଆୟୋଗଙ୍କ ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ଏହାସହ ସଚିବ କହିଛନ୍ତି ଯେ, ଜନଗଣନା କାର୍ଯ୍ୟକ୍ରମ ଯୋଗୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହୋଇପାରେ। ତେବେ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।
ଆଜିର ବୈଠକରେ ପୁରୁଣା ବାଲଟ୍ ବକ୍ସ ଗୁଡ଼ିକର ମରାମତି କରିବା ସହ କିଛି ନୂଆ ବାଲଟ୍ ବକ୍ସ କ୍ରୟ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଏହାଛଡ଼ା, ଜଣେ ଭୋଟର ଯେପରି ଦୁଇଟି ସ୍ଥାନରେ ଭୋଟ ଦେଇ ନ ପାରିବେ, ସେଥିପାଇଁ ‘ଡି-ଡୁପ୍ଲିକେସନ୍ ଆପ୍’ (De-duplication App) ବ୍ୟବହାର କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଦ୍ୱିତୀୟ ଭୋଟର ପଞ୍ଜିକରଣକୁ ଚିହ୍ନଟ କରି ରୋକାଯିବ।
ରାଜ୍ୟ ନିର୍ବାଚନ ଆୟୋଗର ଏହି ପଦକ୍ଷେପ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏକ ସ୍ୱଚ୍ଛ, ସଠିକ୍ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ ବୋଲି ଆଶା କରାଯାଉଛି।
- Trending




