‘ରାମାୟଣ’ ଟ୍ରେଲର ପରେ ସୋସିଆଲ ମିଡିଆରେ ଝଡ଼, କୈକେୟୀ ଓ ସୀତାଙ୍କ ଲୁକ୍‌କୁ ନେଇ ବଡ଼ ଖୁଲାସା

‘ରାମାୟଣ’ ଫିଲ୍ମର ଟ୍ରେଲର ରିଲିଜ ପରଠାରୁ ଏହାର ପୋଷାକ (କଷ୍ଟ୍ୟୁମ୍) ଚୟନକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। କେତେକ ବ୍ୟବହାରକାରୀ ବିଶେଷ କରି ସାଇ ପଲ୍ଲବୀଙ୍କ ସୀତା ଚରିତ୍ରର ଆଧୁନିକ ପୋଷାକ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ, ଅନ୍ୟମାନେ ଲାରା ଦତ୍ତାଙ୍କ କୈକେୟୀ ରୂପକୁ ଟେଲିଭିଜନ ଧାରାବାହିକର ଚରିତ୍ର ସହ ତୁଳନା କରି ମିମ୍ ସେୟାର କରିଥିଲେ।

ଏହି ସମାଲୋଚନା ମଧ୍ୟରେ ଫିଲ୍ମର କଷ୍ଟ୍ୟୁମ୍ ଡିଜାଇନର୍ ରିମ୍ପଲ ଓ ହରପ୍ରୀତ ନାରୁଲା ସେମାନଙ୍କ ସୃଜନଶୀଳ ନିଷ୍ପତ୍ତି ବିଷୟରେ ଖୋଲାଖୋଲି କହିଛନ୍ତି ଏବଂ ଏପରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବ ବୋଲି ସେମାନେ ପୂର୍ବରୁ ଆଶା କରିଥିବା କହିଛନ୍ତି।

ରିମ୍ପଲ କହିଛନ୍ତି, “ଆମେ ଜାଣିଥିଲୁ ଯେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଓ ତୁଳନା ହେବା ସ୍ୱାଭାବିକ। ‘ରାମାୟଣ’ ପରି ଏକ ମହାକାବ୍ୟ ପିଢ଼ି ପିଢ଼ି ଧରି ଆମ ସାମୂହିକ ଚେତନାର ଅଂଶ ରହିଆସିଛି। କାଷ୍ଟିଂ, ପୋଷାକ, ଭିଜୁଆଲ ଇଫେକ୍ଟ ଓ କେଉଁଟି ଠିକ୍ କି ଭୁଲ୍ ତାହାକୁ ନେଇ ମତଭେଦ ରହିବା ସ୍ୱାଭାବିକ। ଆମେ ସେଥିପାଇଁ ପ୍ରସ୍ତୁତ ଥିଲୁ। ଆମ କାମ ପ୍ରତି ସଚ୍ଚୋଟତା ହିଁ ଆମକୁ ଦୃଢ଼ ରଖିଛି।”

ସୀତାଙ୍କ ବ୍ଲାଉଜ୍‌କୁ ନେଇ ହୋଇଥିବା ସମାଲୋଚନାର ଉତ୍ତର ଦେଇ ରିମ୍ପଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ସଂପୂର୍ଣ୍ଣ ସଚେତନ ଭାବେ ନିଆଯାଇଥିଲା ଏବଂ ଏହା ସୀତାଙ୍କ ପ୍ରତି ତାଙ୍କ ବ୍ୟକ୍ତିଗତ ଭାବନା ଉପରେ ଆଧାରିତ।

ସେ କହିଛନ୍ତି, “ମୁଁ ଯେତେବେଳେ ଆଖି ବନ୍ଦ କରି ମା’ ସୀତାଙ୍କୁ କଳ୍ପନା କରେ, ସେତେବେଳେ ପ୍ରତ୍ନତାତ୍ତ୍ୱିକ ସଠିକତା ବିଷୟରେ ଭାବେ ନାହିଁ। ମୋ ମନ୍ଦିରରେ ଥିବା ଦେବୀଙ୍କ ଯେଉଁ ରୂପ ମୋ ମନରେ ରହିଛି, ମୁଁ ସେହି ରୂପକୁ ହିଁ ପରଦାରେ ଦେଖାଇବାକୁ ଚାହୁଁଥିଲି। ଏହା ଏକ ସଚେତନ ନିଷ୍ପତ୍ତି ଥିଲା।”

ଗବେଷଣା ଓ କଳାତ୍ମକ ବ୍ୟାଖ୍ୟାର ସନ୍ତୁଳନ ବିଷୟରେ ସେ କହିଛନ୍ତି, “କଷ୍ଟ୍ୟୁମ୍ ଡିଜାଇନର ଭିତ୍ତି ହେଉଛି ଗବେଷଣା, କିନ୍ତୁ ତାହାର ବ୍ୟାଖ୍ୟା ହିଁ ଏହାକୁ କଳାରେ ପରିଣତ କରେ। ସେହି ଯୁଗର ସଂରକ୍ଷିତ ପୋଷାକ ନାହିଁ ଯାହାକୁ ଆମେ ବ୍ୟବହାର କରିବୁ । କ୍ୟାଲେଣ୍ଡର ଆର୍ଟ, କ୍ଷୁଦ୍ର ଚିତ୍ରକଳା, ମନ୍ଦିରର ଶିଳ୍ପ ଏବଂ ରାଜା ରବି ବର୍ମାଙ୍କ ଚିତ୍ରକଳାକୁ ଦେଖି ଆମେ ବଡ଼ ହୋଇଛୁ। ବିଭିନ୍ନ ଦେଶ ଓ ସଂସ୍କୃତିରେ ‘ରାମାୟଣ’ର ଭିନ୍ନ ଭିନ୍ନ ବ୍ୟାଖ୍ୟା ହୋଇଛି। ଏହା ଆମର ନିଜସ୍ୱ ବ୍ୟାଖ୍ୟା।”

ଅନ୍ୟପଟେ, କୈକେୟୀଙ୍କ ରୂପକୁ ନେଇ ହୋଇଥିବା ସମାଲୋଚନାର ଉତ୍ତରରେ ହରପ୍ରୀତ କହିଛନ୍ତି ଯେ, ଏହି ଚରିତ୍ରର ପୋଷାକରେ ପ୍ରତୀକାତ୍ମକ ଅର୍ଥ ରହିଛି।

ସେ କହିଛନ୍ତି, “କୈକେୟୀଙ୍କ ପୋଷାକର ସବୁଜ ରଙ୍ଗ ମାତୃତ୍ୱର ପ୍ରତୀକ, ଯେତେବେଳେ ଗାଢ଼ ମାରୁନ୍ ରଙ୍ଗ ତାଙ୍କ ମନର ଶକ୍ତି ଓ ସେ ନେବାକୁ ଯାଉଥିବା କଠିନ ନିଷ୍ପତ୍ତିର ଅନ୍ଧକାରକୁ ପ୍ରତିଫଳିତ କରେ। ସେ ନିଜ ପୁଅ ଓ ରାମଙ୍କ ମଧ୍ୟରେ ଦ୍ୱନ୍ଦ୍ୱରେ ରହିଛନ୍ତି। ପ୍ରତ୍ୟେକ ରଙ୍ଗକୁ ଭଲଭାବେ ଚିନ୍ତା କରି ଚୟନ କରାଯାଇଛି । ଅନେକ ସମୟରେ ଲୋକମାନେ ପୂର୍ଣ୍ଣ ପୃଷ୍ଠଭୂମି ନ ଜାଣି ତୁରନ୍ତ ପ୍ରତିକ୍ରିୟା ଦେଇଦିଅନ୍ତି।”

ସେ ଆହୁରି କହିଛନ୍ତି, “ପ୍ରତ୍ୟେକ ଡିଜାଇନ୍‌ର ପଛରେ କିଛି ଚିନ୍ତା ରହିଛି। ପ୍ରାଚୀନ ମହାକାବ୍ୟକୁ ନୂଆ ପିଢ଼ି ପାଇଁ ଭିଜୁଆଲ୍ ଭାବରେ ଉପସ୍ଥାପନ କରିବାର ଏହା ଆମର ପ୍ରୟାସ। ପ୍ରତ୍ୟେକ ସୂତାର ପଛରେ ଏକ ଉଦ୍ଦେଶ୍ୟ ରହିଛି। ଆମର ଅନୁରୋଧ ହେଉଛି, ଫିଲ୍ମ ଦେଖିବା ପୂର୍ବରୁ କୌଣସି ନିଷ୍କର୍ଷରେ ପହଞ୍ଚନ୍ତୁ ନାହିଁ। ପ୍ରଥମେ ଫିଲ୍ମ ଦେଖନ୍ତୁ, ଅନୁଭବ କରନ୍ତୁ, ତା’ପରେ ନିଜର ମତ ଗଠନ କରନ୍ତୁ।”

‘ରାମାୟଣ’ର ଟ୍ରେଲର ଜୁଲାଇ ୩୦ରେ ମୁକ୍ତି ପାଇଥିଲା। ଏଥିରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା, ରବି ଦୁବେ ଲକ୍ଷ୍ମଣ, ୟଶ ରାବଣ, ଅରୁଣ ଗୋବିଲ ରାଜା ଦଶରଥ, ଲାରା ଦତ୍ତା କୈକେୟୀ, ରାକୁଲ ପ୍ରୀତ ସିଂହ ଶୂର୍ପଣଖା, ଶୋଭନା କୈକେସୀ ଏବଂ ବିବେକ ଓବରୟ ବିଦ୍ୟୁତ୍ଜିହ୍ୱା ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ଜଟାୟୁଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ତେବେ ସନି ଦେଓଲଙ୍କ ହନୁମାନ ଏବଂ ଭରତ, ଶତ୍ରୁଘ୍ନ ଓ କୌଶଲ୍ୟାଙ୍କ ଚରିତ୍ର ଟ୍ରେଲରରେ ସ୍ଥାନ ପାଇନାହିଁ।