ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୋଷ୍ଟକାର୍ଡରେ ମିଳିଲା ଚାଷୀଙ୍କ ଆଶୀର୍ବାଦ

ଦେବଗଡ଼, ୨୯ ମେ: ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ଢୋଲପଡ଼ା ପଞ୍ଚାୟତର ଚାଷୀମାନେ ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଆଶୀର୍ବାଦ ଓ କୃତଜ୍ଞତା ଜଣାଇଛନ୍ତି। ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଜୈବିକ କୃଷିର ପ୍ରୋତ୍ସାହନ ପାଇଁ ଆରମ୍ଭ ହୋଇଥିବା “ଆମ ମାଟି ଆମ ପରିଚୟ” ଅଭିଯାନ ପ୍ରତି ତାଙ୍କ ସହଯୋଗ ଓ ସମର୍ଥନକୁ ଚାଷୀମାନେ ଏହି ପୋଷ୍ଟକାର୍ଡ ମାଧ୍ୟମରେ ସ୍ୱୀକାର କରିଛନ୍ତି।

ଗତ ବର୍ଷ ଡିସେମ୍ବର ୫ ତାରିଖ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା, ଜୈବିକ କୃଷିକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ କୃଷି ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।

ପୋଷ୍ଟକାର୍ଡରେ ଚାଷୀମାନେ ଉଲ୍ଲେଖ କରିଛନ୍ତି ଯେ, ମାଟି କେବଳ ଉତ୍ପାଦନର ଏକ ମାଧ୍ୟମ ନୁହେଁ, ବରଂ ସେମାନଙ୍କ ଜୀବନ ଓ ପରିଚୟର ଆଧାର। ଦୀର୍ଘ ବର୍ଷ ଧରି ଅତ୍ୟଧିକ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ଫଳରେ ମୃତ୍ତିକାର ଉର୍ବରତା ହ୍ରାସ ପାଉଥିବାବେଳେ “ଆମ ମାଟି ଆମ ପରିଚୟ” ଅଭିଯାନ ଚାଷୀମାନଙ୍କୁ ଜୈବ-ସାର ଓ ପ୍ରାକୃତିକ କୃଷି ପଦ୍ଧତି ପ୍ରତି ଆକୃଷ୍ଟ କରିଛି।

ମହିଳା ଚାଷୀ ତିଲୋତ୍ତମା ଅଡାବର କହିଛନ୍ତି ଯେ, ଏହି ଅଭିଯାନ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନେକ ଚାଷୀ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତି ଆପଣାଇବା ଆରମ୍ଭ କରିଥିବାରୁ ମାଟିର ଗୁଣବତ୍ତା ବୃଦ୍ଧି, ଆର୍ଦ୍ରତା ସଂରକ୍ଷଣ ଏବଂ ଚାଷ ଖର୍ଚ୍ଚ ହ୍ରାସ ଭଳି ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି।

ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋର ଫାଉଣ୍ଡର ଡି. ଶୁଭମ୍ କହିଛନ୍ତି ଯେ, “ଆମ ମାଟି ଆମ ପରିଚୟ” ବର୍ତ୍ତମାନ ଏକ ତୃଣମୂଳସ୍ତରୀୟ ଆନ୍ଦୋଳନର ରୂପ ନେଉଛି। ଏହାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ସେମାନଙ୍କ ମାଟି ସହ ପୁନଃ ସଂଯୋଗ କରିବା, ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ଅନୁକୂଳ ସ୍ଥାୟୀ କୃଷି ବ୍ୟବସ୍ଥା ଗଢ଼ି ତୋଳିବା।

ଚାଷୀମାନଙ୍କ ଏହି ପୋଷ୍ଟକାର୍ଡ ଅଭିଯାନ କେବଳ କୃତଜ୍ଞତାର ପ୍ରକାଶ ନୁହେଁ, ବରଂ ମାଟି ଓ କୃଷିର ସୁରକ୍ଷା ପାଇଁ ସମାଜର ସାମୂହିକ ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ମତ ପ୍ରକାଶ ପାଇଛି।