ଆଜି ରାତିରେ ଚମକାଇବ ଷ୍ଟ୍ରବେରୀ ମୁନ୍ !

ଆଜି ରାତିରେ ଇଂଲଣ୍ଡ ସମେତ ଉତ୍ତର ଗୋଲାର୍ଦ୍ଧର ଅନେକ ଅଞ୍ଚଳର ଆକାଶରେ ଦେଖାଯିବ ଚଳିତ ବର୍ଷର ଜୁନ୍ ମାସର ପୂର୍ଣ୍ଣିମା, ଯାହାକୁ ‘ଷ୍ଟ୍ରବେରୀ ମୁନ୍’ ବୋଲି କୁହାଯାଏ। ଏହା ଗ୍ରୀଷ୍ମ ଋତୁର ପ୍ରଥମ ପୂର୍ଣ୍ଣିମା ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ରୟାଲ୍ ଅବଜରଭେଟୋରୀ ଗ୍ରୀନୱିଚ୍ ଅନୁଯାୟୀ, ଏହି ପୂର୍ଣ୍ଣିମା ୩୦ ଜୁନ୍ ପ୍ରଭାତରେ ସର୍ବାଧିକ ଉଜ୍ଜ୍ୱଳ ଅବସ୍ଥାରେ ପହଞ୍ଚିବ। ତେବେ ୨୯ ଜୁନ୍ ସନ୍ଧ୍ୟାରୁ ମଧ୍ୟ ଏହା ପ୍ରାୟ ପୂର୍ଣ୍ଣ ରୂପରେ ଦୃଶ୍ୟମାନ ହେବ।

କାହିଁକି ସ୍ୱତନ୍ତ୍ର ଏହି ପୂର୍ଣ୍ଣିମା?

ଜୁନ୍ ମାସର ପୂର୍ଣ୍ଣିମା ଉତ୍ତର ଗୋଲାର୍ଦ୍ଧରେ ବର୍ଷର ଅନ୍ୟ ପୂର୍ଣ୍ଣିମାଠାରୁ ଭିନ୍ନ । କାରଣ ଏହି ସମୟରେ ଚନ୍ଦ୍ର, ଆକାଶରେ ଦିଗବଳୟର ନିକଟରେ ରହିଥାଏ। ଏହାଫଳରେ ଚନ୍ଦ୍ର ସାଧାରଣତଃ ଅପେକ୍ଷା ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ଏହାକୁ ‘ମୁନ୍ ଇଲ୍ୟୁଜନ୍’ ବୋଲି କୁହାଯାଏ, ଯାହା ମାନବ ଦୃଷ୍ଟିର ଏକ ସ୍ୱାଭାବିକ ଭ୍ରମ।

କାହିଁକି ଏହାର ନାମ ‘ଷ୍ଟ୍ରବେରୀ ମୁନ୍’?

ଅନେକଙ୍କ ଧାରଣା ରହିଛି ଯେ, ଏହି ଚନ୍ଦ୍ର ଲାଲ କିମ୍ବା ଗୋଲାପୀ ରଙ୍ଗର ଦେଖାଯାଏ ବୋଲି ଏହାକୁ ‘ଷ୍ଟ୍ରବେରୀ ମୁନ୍’ କୁହାଯାଏ। କିନ୍ତୁ ବାସ୍ତବରେ ଏହାର ନାମ ସହ ଚନ୍ଦ୍ରର ରଙ୍ଗ ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଓଲ୍ଡ ଫାର୍ମର୍ସ ଆଲମାନାକ୍ ଅନୁଯାୟୀ, ଉତ୍ତର ଆମେରିକାର ଆଦିବାସୀମାନେ ଜୁନ୍ ମାସରେ ଜଙ୍ଗଲୀ ଷ୍ଟ୍ରବେରୀ ଅମଳ କରୁଥିଲେ। ସେହି ଫସଲ ଋତୁକୁ ସ୍ମରଣ କରିବା ପାଇଁ ଜୁନ୍ ମାସର ପୂର୍ଣ୍ଣିମାର ନାମ ‘ଷ୍ଟ୍ରବେରୀ ମୁନ୍’ ରଖାଯାଇଥିଲା। ପୁରାତନ କାଳରେ ଏଭଳି ଭାବରେ ପୂର୍ଣ୍ଣିମାଗୁଡ଼ିକର ନାମକରଣ କରାଯାଉଥିଲା, ଯାହା ଋତୁ ପରିବର୍ତ୍ତନ ଓ କୃଷି କାର୍ଯ୍ୟକୁ ଚିହ୍ନଟ କରିବାରେ ସହାୟକ ଥିଲା।

ଚନ୍ଦ୍ର ଲାଲ କିମ୍ବା କମଳା କାହିଁକି ଦେଖାଯାଏ?

କେତେକ ସମୟରେ ପୂର୍ଣ୍ଣିମା ଲାଲ, କମଳା କିମ୍ବା ହାଲୁକା ଗୋଲାପୀ ରଙ୍ଗର ଦେଖାଯାଏ। ଏହାର କାରଣ ଚନ୍ଦ୍ର ନୁହେଁ, ବରଂ ପୃଥିବୀର ବାୟୁମଣ୍ଡଳ। ବାୟୁରେ ଧୂଳିକଣା, ଜଳୀୟବାଷ୍ପ କିମ୍ବା ପ୍ରଦୂଷଣ ଅଧିକ ଥିଲେ ଚନ୍ଦ୍ରର ଆଲୋକ ବିଚ୍ଛୁରିତ ହୋଇ ଏଭଳି ରଙ୍ଗ ଦେଖାଯାଏ।

ପାଗ ହୋଇପାରେ ବାଧକ

ଇଂଲଣ୍ଡରେ ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ବର୍ତ୍ତମାନ ଆଟଲାଣ୍ଟିକ୍ ମହାସାଗର ଦିଗରୁ ଥଣ୍ଡା ପବନ ପ୍ରବେଶ କରୁଛି। ସୋମବାର ରାତିରେ ପଶ୍ଚିମ ଇଂଲଣ୍ଡରେ ଘନ ମେଘ ଓ ବର୍ଷାର ସମ୍ଭାବନା ଥିବାରୁ ଅନେକ ସ୍ଥାନରେ ଏହି ଦୃଶ୍ୟ ଦେଖିବା କଷ୍ଟକର ହୋଇପାରେ। ତେବେ ଦକ୍ଷିଣ ଇଂଲଣ୍ଡ, ୱେଲ୍ସ ଓ ମିଡଲ୍ୟାଣ୍ଡସ୍‌ରେ ଆକାଶ ସ୍ପଷ୍ଟ ରହିବାର ସମ୍ଭାବନା ଅଧିକ।

ଆଗକୁ ଆଉ ଦୁଇଟି ସ୍ୱତନ୍ତ୍ର ପୂର୍ଣ୍ଣିମା

ଯଦି ଆଜିର ‘ଷ୍ଟ୍ରବେରୀ ମୁନ୍’ ଦେଖିବାର ସୁଯୋଗ ମିଳିନଥାଏ, ତେବେ ଆଗାମୀ ଦୁଇ ମାସରେ ଆଉ ଦୁଇଟି ବିଶେଷ ପୂର୍ଣ୍ଣିମା ଦେଖିବାର ସୁଯୋଗ ରହିଛି।

  • ୨୯ ଜୁଲାଇ: ବକ୍ ମୁନ୍ (Buck Moon) – ପୁରୁଷ ହରିଣଙ୍କ ନୂଆ ଶିଙ୍ଗ ବାହାରିବା ସମୟକୁ ଆଧାର କରି ଏହି ନାମକରଣ କରାଯାଇଛି।
  • ୨୮ ଅଗଷ୍ଟ: ଷ୍ଟର୍ଜନ ମୁନ୍ (Sturgeon Moon) – ଉତ୍ତର ଆମେରିକାର ଗ୍ରେଟ୍ ଲେକ୍ସ ଅଞ୍ଚଳରେ ଏହି ସମୟରେ ଷ୍ଟର୍ଜନ ମାଛ ଧରାଯାଉଥିବାରୁ ଏହି ପୂର୍ଣ୍ଣିମାକୁ ଏହି ନାମରେ ଜଣାଯାଏ।

ଅନୁକୂଳ ପାଗ ଥିଲେ ଆଜି ରାତିରେ ଏହି ଦୁର୍ଲଭ ଦୃଶ୍ୟକୁ ଉପଭୋଗ କରିପାରିବେ।