Blog
‘ବନ୍ଦେ ମାତରମ୍’କୁ ମିଳିଲା ବଡ଼ ସମ୍ମାନ ! ରାଜ୍ୟସଭାରେ ପାସ୍ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ୍
ଭାରତର ଜାତୀୟ ସମ୍ମାନ ଏବଂ ସ୍ୱାଧୀନତା ସଂଗ୍ରାମର ଐତିହ୍ୟ ସହ ଜଡ଼ିତ ‘ବନ୍ଦେ ମାତରମ୍’କୁ ଆହୁରି ଦୃଢ଼ ଆଇନଗତ ସୁରକ୍ଷା ଦେବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ରାଜ୍ୟସଭାରେ ପାରିତ ହୋଇଛି। ଏହି ସଂଶୋଧନ ପରେ ‘ବନ୍ଦେ ମାତରମ୍’କୁ ‘ଜନ ଗଣ ମନ’ ଭଳି ସମାନ ଆଇନଗତ ସୁରକ୍ଷା ପ୍ରଦାନ କରାଯିବ।
ଏହି ବିଲ୍ ପାସ୍ ହେବା ପରେ ‘ବନ୍ଦେ ମାତରମ୍’ର ଜାଣିଶୁଣି ଅପମାନ କରିବା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ। ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିବ।
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଏହା କେବଳ ଏକ ଆଇନ ସଂଶୋଧନ ନୁହେଁ। ବରଂ ଏହା ଭାରତର ଆତ୍ମା, ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ଏବଂ ଜାତୀୟ ସମ୍ମାନ ପ୍ରତି ଦେଶର ସାମୂହିକ ପ୍ରତିବଦ୍ଧତାର ପ୍ରତୀକ।
ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ‘ବନ୍ଦେ ମାତରମ୍’ କୋଟି କୋଟି ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲା। ତେଣୁ ଏହାର ସମ୍ମାନ ରକ୍ଷା କରିବା ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।
ବିଲ୍କୁ ସମର୍ଥନ
ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେପି ସାଂସଦ ଡା. ରାଧା ମୋହନ ଦାସ ଅଗ୍ରୱାଲ କହିଥିଲେ ଯେ, ‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ଏହି ଗୀତ ଭାରତର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ପ୍ରତୀକ ଥିଲା ବୋଲି ସେ କହିଥିଲେ।
ସେହିପରି ସାଂସଦ ଗୋଲ୍ଲା ବାବୁରାଓ ମଧ୍ୟ ବିଲ୍କୁ ସମର୍ଥନ କରି କହିଥିଲେ ଯେ, ‘ବନ୍ଦେ ମାତରମ୍’ କେବଳ ଏକ ଗୀତ ନୁହେଁ, ଏହା ଭାରତୀୟଙ୍କ ଦେଶପ୍ରେମ, ତ୍ୟାଗ ଏବଂ ଜାତୀୟ ଚେତନାର ଅମର ପ୍ରତୀକ।
କ’ଣ ବଦଳିବ?
ଏହି ସଂଶୋଧନ ବିଲ୍ ଲାଗୁ ହେବା ପରେ ‘ବନ୍ଦେ ମାତରମ୍’କୁ ମଧ୍ୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ମିଳିବ। ଅର୍ଥାତ୍, ଏହାର ଜାଣିଶୁଣି ଅପମାନ, ଅବମାନନା କିମ୍ବା ଅସମ୍ମାନ କରିବା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।
ଏହି ବିଲ୍କୁ କେନ୍ଦ୍ର ସରକାର ଜାତୀୟ ସମ୍ମାନ, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ସୁରକ୍ଷିତ ରଖିବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।
- Trending




