୩୫ ବର୍ଷରେ ନା ଘର, ନା କାର୍… ତଥାପି କାହିଁକି କହିଲେ “ମୁଁ ଖୁସି” ?

ସୋସିଆଲ ମିଡିଆରେ ଯେତେବେଳେ ଲୋକମାନେ ନିଜର ଦାମୀ ଗାଡ଼ି, ଆଲିଶାନ ଘର ଓ ବିଳାସପୂର୍ଣ୍ଣ ଭ୍ରମଣର ଫଟୋ ସେୟାର କରି ପରସ୍ପରକୁ ଟପିଯିବାର ପ୍ରତିଯୋଗିତାରେ ବ୍ୟସ୍ତ, ସେତେବେଳେ ଜଣେ ବ୍ୟକ୍ତିଙ୍କ ସରଳତା ଓ ସଚ୍ଚୋଟତାରେ ଭରା ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାଧାରଣତଃ ୩୫ ବର୍ଷ ବୟସରେ ପହଞ୍ଚିଲେ ଲୋକମାନେ ଜୀବନରେ “ସେଟଲ୍” ହୋଇନଥିବା କଥାକୁ ନେଇ ଚିନ୍ତିତ ହୁଅନ୍ତି। କିନ୍ତୁ ଏହି ବ୍ୟକ୍ତି ଦେଖାଇଛନ୍ତି ଯେ, ଜୀବନକୁ ଦେଖିବାର ଦୃଷ୍ଟିକୋଣ ବଦଳିଗଲେ ପ୍ରକୃତ ଶାନ୍ତି ଓ ସନ୍ତୋଷ କେଉଁଠି ମିଳେ।

ଆଶିଷ ଜୈନ ନାମକ ଜଣେ ବ୍ୟକ୍ତି ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ନିଜ ଜୀବନକୁ ନେଇ ଏକ ସଚ୍ଚୋଟ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ସେ ଲେଖିଛନ୍ତି, “ମୋର ବୟସ ୩୫ ବର୍ଷ। ମୋର ନିଜସ୍ୱ ଘର ନାହିଁ, କାର ନାହିଁ, ବ୍ୟାଙ୍କରେ ବହୁତ ଟଙ୍କା ନାହିଁ, ଷ୍ଟକ୍ କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ବଡ଼ ପୁଞ୍ଜିନିବେଶ ମଧ୍ୟ ନାହିଁ। କୌଣସି ବଡ଼ ଚାକିରି ମଧ୍ୟ କରୁନାହିଁ। କିନ୍ତୁ ମୁଁ ଏକ ଭଲ ଭଡ଼ାଘରେ ରହୁଛି, କ୍ୟାବରେ ଯାତ୍ରା କରିପାରୁଛି ଏବଂ ମୋ ଉପରେ କୌଣସି ଋଣ ନାହିଁ।

ଗତ ବର୍ଷ ତୁଳନାରେ ମୋର ଶରୀର ଓ ମାନସିକ ସ୍ୱାସ୍ଥ୍ୟ ଅଧିକ ଭଲ ଅଛି। ଯେଉଁ ଛୋଟଛୋଟ କଥାର କୌଣସି ବର୍ଷ ପରେ ମୂଲ୍ୟ ରହିବ ନାହିଁ, ସେଗୁଡ଼ିକୁ ନେଇ ଚିନ୍ତା କରିବା ଛାଡ଼ିଦେଇଛି। ଘର କିମ୍ବା କାର କିଣିବାର ଚାପ ଓ ଭବିଷ୍ୟତକୁ ନେଇ ଅତ୍ୟଧିକ ଦୁଶ୍ଚିନ୍ତା ମଧ୍ୟ ଛାଡ଼ିଦେଇଛି। ଏବେ ମୁଁ ନିଜ ଶରୀର ଓ ମନର ଯତ୍ନ ନେଉଛି। ବର୍ଷେରୁ ଅଧିକ ସମୟ ହେଲା ଧୁମ୍ରପାନ ଛାଡ଼ି ଦେଇଛି ଏବଂ ଜଙ୍କ୍ ଫୁଡ୍ ଖାଇବା ମଧ୍ୟ ବନ୍ଦ କିମ୍ବା ବହୁତ କମ୍ କରିଦେଇଛି। ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଥିବା ଜରୁରୀ ନୁହେଁ। ପ୍ରତ୍ୟେକ ଦିନକୁ ଯେପରି ଆସୁଛି ସେପରି ବଞ୍ଚନ୍ତୁ ଏବଂ ନିଜ ଉପରେ ଧ୍ୟାନ ଦିଅନ୍ତୁ।”

ଆଶିଷଙ୍କ ଏହି ପୋଷ୍ଟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ଅନେକ ଏହାକୁ ଆଜିର ସମୟର ସବୁଠାରୁ ବ୍ୟବହାରିକ ଓ ମନକୁ ଶାନ୍ତି ଦେଉଥିବା ବାର୍ତ୍ତା ବୋଲି କହିଛନ୍ତି।

ଜଣେ ବ୍ୟବହାରକାରୀ ମନ୍ତବ୍ୟ କରି ଲେଖିଛନ୍ତି, “ମୁଁ ଆପଣଙ୍କ କଥା ସହ ସମ୍ପୂର୍ଣ୍ଣ ସହମତ। ଜୀବନ ବଞ୍ଚିବାର ସବୁଠାରୁ ବ୍ୟବହାରିକ ଉପାୟ ହେଉଛି କୃତଜ୍ଞତା ପ୍ରକାଶ କରିବା ଶିଖିବା। ପ୍ରତିଯୋଗିତା ଅନ୍ୟମାନଙ୍କ ଇନଷ୍ଟାଗ୍ରାମ୍ ଜୀବନଶୈଳୀ ସହ ନୁହେଁ, ବରଂ ନିଜ ସହ ହେବା ଉଚିତ୍।”

ଆଶିଷଙ୍କ ଏହି ପୋଷ୍ଟ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକଙ୍କୁ ମୁହୂର୍ତ୍ତକ ପାଇଁ ଅଟକି ଭାବିବାକୁ ବାଧ୍ୟ କରିଛି ଯେ, ସଫଳତାର ପ୍ରକୃତ ଅର୍ଥ କ’ଣ।

ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “୩୫ ବର୍ଷ ବୟସରେ କୌଣସି ଋଣ ନଥିବା, ସୁସ୍ଥ ଶରୀର ଓ ଶାନ୍ତ ମନ ହିଁ ପ୍ରକୃତ ସଫଳତା। ଯେଉଁ କଥା ଆମ ନିୟନ୍ତ୍ରଣରେ ଅଛି, ସେଥିରେ ଧ୍ୟାନ ଦେବା ଦେଖାଦେଖିର ଚେକ୍‌ଲିଷ୍ଟ ପୂରଣ କରିବାଠାରୁ ଅଧିକ ଭଲ। ଆଗକୁ ବଢ଼ିଚାଲନ୍ତୁ।”

ଆଉ ଜଣେ ଲେଖିଛନ୍ତି, “ସଫଳତା କେବଳ ଆପଣଙ୍କ ପାଖରେ କ’ଣ ଅଛି, ତାହା ନୁହେଁ। ବରଂ ନିଜ ଭିତରେ ଆପଣ ଗଢ଼ି ତୋଳୁଥିବା ଶାନ୍ତି, ସୁସ୍ଥତା ଓ ଆତ୍ମବିକାଶ ହିଁ ପ୍ରକୃତ ସଫଳତା। ଆଜିର ସମୟରେ ଋଣମୁକ୍ତ ଜୀବନ ହେଉଛି ସବୁଠାରୁ ଅଣମୂଲ୍ୟାୟିତ ବିଜୟ।”